ଦେଓଗାଁ ଅଞ୍ଚଳରେ ଅସାମାଜିକଙ୍କ ଦୌରାତ୍ମ୍ୟ:ଗୋଟିଏ ରାତିରେ ୮ ଜଣଙ୍କ ଘରେ ପଶିଲେ

ଲୁଟି ନେଲେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଓ ଦାମୀ ଆସବାବପତ୍ର

ଆନନ୍ଦପୁର: ଘସିପୁରା ଥାନା ଦେଓଗାଁରେ ଚୋରମାନେ ଗୋଟିଏ ରାତିରେ  ୮ ଜଣଙ୍କ ଘରେ ପଶିବା ଏବଂ ତିନି ଜଣଙ୍କ ଘରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଗତ ୨୫ ତାରିଖ ରାତିରେ ଚୋରମାନେ ବିଧୁଭୂଷଣ ମହାନ୍ତିଙ୍କ ଘର ତାଲା ଭାଙ୍ଗି ୪ଟି ସୁନାମୁଦି, ୧୦ଟି ଦାମୀ ଶାଢୀ ଓ ନଗଦ ୧୫ ହଜାର ଟଙ୍କା ନେଇ ଯାଇଥିଲେ। ସେହିପରି ଚିଲ ମୁଖୀଙ୍କ ଘରେ ଚାରି ଜଣ ଦୁର୍ବୃତ୍ତ ପଶି ଭୁଜାଲି ମୁନରେ ଗୃହକର୍ତ୍ତାଙ୍କୁ ଭୟଭୀତ କରିବା ସହ ସୁନାଗହଣା, ଟଙ୍କା, ଶାଢ଼ୀ ଓ ଅନ୍ୟ ଜିନିଷ ନେଇ ଯାଇଥିବା ବେଳେ ପ୍ରକାଶ ମହାନ୍ତିଙ୍କ ଘରୁ ଗୋଟିଏ ସୁନା ମୁଦି ଓ ଅନ୍ୟ ଜିନିଷପତ୍ର ନେଇ ଯାଇଛନ୍ତି। ଗ୍ରାମର ଶରତ ଦାସ, ଭାରତେନ୍ଦୁ ମହାନ୍ତି, ବିକାଶ ଦାସ, ନାରାୟଣ ସାହୁ, ବିଦ୍ୟାଧର ସାହୁଙ୍କ ଘର ତାଲା ଭାଙ୍ଗି ପଶିବାକୁ ଉଦ୍ୟମ କରିବା ସମୟରେ ଲୋକମାନେ ଉଠି ପଡିବାରୁ ଚୋରମାନେ ଦୌଡ଼ି ପଳାଇଥିଲେ। ଏ ନେଇ ଘସିପୁରା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ୍‌ ଏହାକୁ ଗୁରୁତ୍ଵ ଦେଉନଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଏସ୍‌ପି ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର