କେନ୍ଦୁଝର ବିଜେଡିକୁ ସନା ସାହାରା

କେନ୍ଦୁଝର, (ସୁବ୍ରତ ସ୍ବାଇଁ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ବିଜେଡି, ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି। ନିର୍ବାଚନ ପୂର୍ବରୁ ଖଣିଖାଦାନ ଭରା ‌କେନ୍ଦୁଝର ଜିଲ୍ଲା‌ରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଦବ୍‌ଦବା ଦେଖିବାକୁ ମିଳୁଛି।

୨୦୧୭ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲାର ୧୩ଟି ପଞ୍ଚାୟତ ସମିତି ମଧ୍ୟରୁ ୫ଟିରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥିତ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲେ। ୭ଟି ପଞ୍ଚାୟତ ସମିତିରେ ବିଜେଡି ସମର୍ଥିତ ଏବଂ ଗୋଟିଏ ପଞ୍ଚାୟତ ସମିତିରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇବାରେ ସମର୍ଥ ହୋଇଥିଲେ। ପାଟଣା, ସାହାରପଡ଼ା ଓ ବାଂଶପାଳ ବ୍ଲକ୍‌ର ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ପରୋକ୍ଷରେ ସନାତନଙ୍କ ସମର୍ଥନ ମିଳିଥିଲା। ତେଲକୋଇ ପଞ୍ଚାୟତ ସମିତିର ଅଧ୍ୟକ୍ଷା ହୋଇଥିଲେ ମମତା ଦେହୁରୀ। ସେ ଖୁଣ୍ଟାପଡ଼ା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହେବାପରେ ସନାତନଙ୍କ ସମର୍ଥନରେ ଅଧ୍ୟକ୍ଷା ପଦ ହାତେଇବାରେ ସଫଳ ହୋଇଥିଲେ। ସେହିପରି ଚମ୍ପୁଆ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ରମଣୀ ନାଏକ, ଯୋଡ଼ାର ସୁକୁମାରୀ ଦେହୁରୀ, କେନ୍ଦୁଝର‌ରେ ଲତିକା ଦେହୁରୀ, ଝୁମ୍ପୁରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଦେହୁରୀ ନିର୍ବାଚିତ ହୋଇଥିଲେ। ଏମାନେ ସମସ୍ତେ ଥିଲେ ସନାତନଙ୍କ ସମର୍ଥକ। ଏହି ପ୍ରାର୍ଥୀମାନେ ସିଧାସଳଖ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସହିତ ଲଢ଼େଇ କରି ବିଜୟୀ ହୋଇଥିଲେ।

ଏହାବାଦ୍‌ ଆନନ୍ଦପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ମମତା ନାଏକ, ଘସିପୁରାର ସୁଜାତା ସାହୁ, ପାଟଣାର ବିଶ୍ବନାଥ ନାଏକ, ଘଟଗାଁର ଦ୍ରୌପଦୀ ଦଣ୍ଡପାଟ, ବାଂଶପାଳରେ ଦଶରୀ ମନ୍ତ୍ରୀ, ହାଟଡିହିରେ ସଂଜୁଲତା ବିଶ୍ବାଳ, ହରିଚନ୍ଦନପୁରରେ ସୁରେଶ ଦେହୁରୀ ବିଜେଡି ସମର୍ଥନରେ ଅଧ୍ୟକ୍ଷ ପଦ ହାତେଇବାରେ ସଫଳ ହୋଇଥିଲେ। ଏକମାତ୍ର ସାହାରପଡ଼ା ବ୍ଲକ୍‌ରେ ରମ୍ଭାବତୀ ଦେହୁରୀ ବିଜେପି ସମର୍ଥନରେ ଅଧ୍ୟକ୍ଷା ପଦବି ହାତେଇଥିଲେ। ମୋଟାମୋଟି ଭାବେ ୭ଟି ପଞ୍ଚାୟତ ସମିତିରେ ବିଜେଡି, ଗୋଟିଏରେ ବିଜେପି ଏବଂ ୫ଟି ପଞ୍ଚାୟତ ସମିତିରେ ସନାତନ ମହାକୁଡ଼ଙ୍କ ସମର୍ଥିତ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ପାଇବାରେ ସଫଳ ହୋଇଥିଲେ।

ଚଳିତ ନିର୍ବାଚନରେ ଶାସକ ବିଜେଡି ସନାତନଙ୍କ ଉପ‌ରେ ନିର୍ଭର କରିବ ବୋଲି ଅନୁମାନ କରାଯାଉଛି। ଯଦିଓ ଚମ୍ପୁଆରେ ସନାତନଙ୍କ ବଦଳରେ ମୀନାକ୍ଷୀ ମହାନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ବିଧାୟିକାଙ୍କ ଅପେକ୍ଷା ପୂର୍ବତନ ବିଧାୟକ ସନାତନଙ୍କ ସାଂଗଠନିକ ଦକ୍ଷତା ଉପରେ ବି‌ଜେଡି ଅଧିକ ନିର୍ଭରଶୀଳ। ସନାତନ ବିଧିବଦ୍ଧ ଭାବେ ବିଜେଡିରେ ମିଶି ନଥିଲେ ମଧ୍ୟ ଗତ ବିଧାନସଭା ନିର୍ବାଚନ ପରଠାରୁ ସନାତନଙ୍କ ସଂଗଠନ ବିଜେଡି ପାଇଁ କାମ କରୁଛି। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ପଞ୍ଚାୟତ ନିର୍ବାଚନରେ ୫ଟି ବ୍ଲକ୍‌ରେ ସନାତନଙ୍କ ସମର୍ଥକମାନେ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ହେବା‌ରେ ସଫଳ ହୋଇଥିଲେ। ସେଥିପାଇଁ ଚଳିତ ନିର୍ବାଚନରେ ଏସବୁ  ବ୍ଲକ୍‌ରେ ସନାତନଙ୍କ ପରାମର୍ଶରେ ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲା ପରିଷଦଠାରୁ ଆରମ୍ଭ କରି ସମିତି ସଭ୍ୟ, ସରପଞ୍ଚ ପ୍ରାର୍ଥୀମାନେ ମଧ୍ୟ ସନାତନଙ୍କ ପରାମର୍ଶରେ ଦିଆଯିବାକୁ ବିଚାର ଚାଲିଥିବା ସୂଚନା ମିଳିଛି। ଇତିମଧ୍ୟରେ ବିଜେଡିର ବରିଷ୍ଠ ନେତାମାନେ ସନାତନଙ୍କ ସହିତ ଏକାଧିକ ଥର ଗୁପ୍ତ ବୈଠକ କରିସାରିଥିବା ବେଳେ ଆଉ କିଛିଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଜଣେ ବରିଷ୍ଠ ବିଜେଡି ନେତା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଯଦିଓ ଶାସନ ଗାଦିରେ ବିଜେଡି ଦୀର୍ଘଦିନ ଧରି ବସିଛି, ମାତ୍ର ଜିଲ୍ଲାରେ ବିଜେଡିର ବିଜୟ ପାଇଁ ସନାତନଙ୍କ ସାହାରା ଆବଶ୍ୟକ ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର