ବାଂଶପାଳ: ସୁନୀତା ଘଣାଙ୍କ ମୃତ୍ୟୁ ଘଟଣାରେ ପୁଲିସ ତାଙ୍କ ସ୍ବାମୀ ସୁରେଶ ପରିଡ଼ାଙ୍କୁ ନୟାକୋଟ ଥାନା ବସନ୍ତପୁର ନିକଟ ବୈତରଣୀ ନଦୀକୂଳରୁ ଶବ ଉଦ୍ଧାର ହୋଇଥିବା ସ୍ଥାନକୁ ନେଇ ହତ୍ୟାକାଣ୍ଡର ପୁନଃଦୃଶ୍ୟାୟନ କରିଛି। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତାରୁ ସୁନୀତାଙ୍କୁ ସୁପାରି କିଲରଙ୍କ ଜରିଆରେ ହତ୍ୟା କରିଥିବା ନେଇ ସେ କେନ୍ଦୁଝର ଟାଉନ ଥାନା ପୁଲିସ ଆଗରେ ସ୍ବୀକାର କରିଛି। ଗତକାଲି ସୁନୀତାଙ୍କ ଶବକୁ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ସାରକୁଣ୍ଡା ଗ୍ରାମର ତାଙ୍କ ଭାଇ ସୁବାସ ଘଣା ଓ ମା’ କୁନାରୀ ଘଣା ଚିହ୍ନଟ କରିଥିଲେ। ଜ୍ୱାଇଁ ବାରିଆ ଥାନା ପୋଡ଼ାସିମଳା ଗ୍ରାମର ସୁରେଶ ପରିଡା ତାଙ୍କ ଝିଅକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିବା ପରେ ଏହାକୁ ଭିତ୍ତିକରି ଟାଉନ ଥାନା ପୁଲିସ ମାମଲା ରୁଜୁ କରି ସୁରେଶକୁ ଅଟକ ରଖି ପଚରାଉଚରା କରୁଥିଲା।
ମିଳିଥିବା ସୂଚନା ଅନୁସାରେ ୫ ବର୍ଷ ତଳେ ସୁନୀତାଙ୍କୁ ସୁରେଶ ପ୍ରେମବିବାହ କରିଥିଲା। ଉଭୟ କେନ୍ଦୁଝର ସହରର କାଶିପୁରଠାରେ ଭଡ଼ାଘରେ ରହୁଥିଲେ। ସୁନୀତା ଅନେକ ସମୟରେ ଝଗଡ଼ା କରି ମାନସିକ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ୨ ମାସ ପୂର୍ବରୁ ସୁରେଶ ଯୋଜନା କରିଥିଲା। ସେ ୨ ଜଣ ସୁପାରି କିଲରଙ୍କ ସହିତ ଯୋଗାଯୋଗ କରିଥିଲା। ଗତ ସେପ୍ଟେମ୍ବର ୩ ତାରିଖ ଦିନ ୧୧ଟାରେ ପୂର୍ବ ଯୋଜନା ମୁତାବକ ସୁନୀତାଙ୍କୁ ଧରି ଖଣ୍ଡାଧାର ଜଳପ୍ରପାତ ବୁଲାଇ ନେଇଥିଲା। ଖଣ୍ଡାଧାରରେ ବୁଲାବୁଲି କରିବା ପରେ ଘରକୁ ବାହାରିଥିଲେ। ମାତ୍ର କେନ୍ଦୁଝର ଯିବା ବଦଳରେ ବସନ୍ତପୁର ପଟ ରାସ୍ତାରେ ଅଣ୍ଡିଆମରା ସାହି ପୂର୍ବରୁ ରାସ୍ତା କଡ଼ରେ ଶୌଚ ଯିବ ବୋଲି କହି ପ୍ରାୟ ୮୦୦ ମିଟର ଜଙ୍ଗଲ ରାସ୍ତାରେ ମଲଦା ନଦୀକୂଳକୁ ସୁନୀତାଙ୍କୁ ନେଇଥିଲା ସୁରେଶ। ଏହି ସମୟରେ ପୂର୍ବରୁ ଛକି ରହିଥିବା ୨/୩ ଜଣ ସୁପାରି କିଲର ସୁନୀତାଙ୍କୁ ମାଡ଼ିବସି ରଶି ଲଗାଇ ତଣ୍ଟି ଚିପି ହତ୍ୟା କରି ଶବକୁ ନଦୀରେ ଫିଙ୍ଗି ଦେଇଥିଲେ। ପରେ ସମସ୍ତେ ଫେରାର ହୋଇଯାଇଥିଲେ।
ହତ୍ୟାକାଣ୍ଡ ପୂର୍ବରୁ ସୁପାରି କିଲରଙ୍କୁ ସେ ଅଗ୍ରିମ ୧ ଲକ୍ଷ ଟଙ୍କା ଦେଇଥିଲା। ପରେ ବାକି ୨ ଲକ୍ଷ ଟଙ୍କା ଦେଇଥିଲା ବୋଲି ସୁରେଶ କହିଛି। ଆଜି ଟାଉନ ଥାନା ଓ ନୟାକୋଟ ଥାନା ପୁଲିସ ଉପସ୍ଥିତିରେ ହତ୍ୟାକାଣ୍ଡର ପୁନଃଦୃଶ୍ୟାୟନ କରିଥିଲା ସୁରେଶ। ହତ୍ୟାରେ ସଂପୃକ୍ତ ସୁପାରି କିଲରଙ୍କୁ ପୁଲିସ ଖୋଜୁଛି। ସମସ୍ତ ଅଭିଯୁକ୍ତ ଧରାପଡ଼ିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/k.jpg)