ମାକୁ ପିଟିପିଟି ହତ୍ୟା କଲା ପୁଅ, ବାପାଙ୍କ ଗୋଡ଼ ଭାଙ୍ଗିଲା

ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତଥା ଢେଙ୍କିକୋଟ ଫାଣ୍ଡି ମନୋହରପୁର ପଞ୍ଚାୟତ ପର୍ଶୁରାମପୁର ଗ୍ରାମରେ ମଦ ବିକ୍ରି ଟଙ୍କା ଭାଗକୁ କେନ୍ଦ୍ରକରି ମାକୁ ପିଟିପିଟି ହତ୍ୟା କରିଛି ପୁଅ। ଅଭିଯୁକ୍ତ ପୁଅ ହେଉଛି ଶାନ୍ତନୁ ନାଏକ (୨୩)। ମା ରେବତୀ ନାଏକ(୪୫) ଙ୍କୁ ଏକ କାଠ ଫାଳିଆରେ ଅମାନୁଷିକ ଭାବେ ପିଟିପିଟି ହତ୍ୟା କରିଥିଲା। ବାପା ଗଣେଶ୍ୱର ନାଏକ(୫୦)ଙ୍କୁ ପିଟିପିଟି ଗୋଡ଼ ଭାଙ୍ଗିଦେଇଛି।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ପର୍ଶୁରାମପୁର ଗ୍ରାମର ଗଣେଶ୍ୱର ନାଏକଙ୍କ ପରିବାର ନିୟମିତ ମହୁଲି ମଦ ତିଆରି କରି ବିକ୍ରି କରୁଥିଲେ। ଗତକାଲି ଜଙ୍ଗଲରେ ମଦ ତିଆରି କରି ବିକ୍ରି କରିବା ସହ ଘରକୁ ଫେରିଥିଲେ। ମଦ ବିକ୍ରି କରି ୧୩୦୦ ଟଙ୍କା ଗଣେଶ୍ୱର ନିଜ ପାଖରେ ରଖିଥିଲେ। ଘରେ ପହଞ୍ଚିବା ପରେ ଶାନ୍ତନୁ ସେହି ଟଙ୍କାରୁ ଭାଗ ମାଗିଥିଲେ। ଗଣେଶ୍ୱର ଟଙ୍କା ନଦେବାରୁ ଶାନ୍ତନୁ ଏକ କାଠରେ ବାପାଙ୍କୁ ପିଟି ତାଙ୍କ ଗୋଡ଼ ଭାଙ୍ଗି ଦେଇଥିଲା। ଏତିକି ବେଳେ ମା ରେବତୀ ନାଏକ ବାପାଙ୍କୁ ନ ପିଟିବାକୁ କହିବାରୁ ତାଙ୍କୁ ମଧ୍ୟ ଶାନ୍ତନୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ରେବତୀ ଟଳି ପଡ଼ିଥିଲେ। ଆଜି ସକାଳୁ ଘଟଗାଁ ଥାନା ଅଧିକାରୀ ,ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଢେଙ୍କିକୋଟ ଫାଣ୍ଡି ଅଧିକାରୀ କେନ୍ଦୁଝରରୁ ଆସିଥିବା ସାଇଣ୍ଟିଫିକ ଟିମ୍ ସହ ପର୍ଶୁରାମପୁର ଗାଁକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗୁରୁତର ଗଣେଶ୍ୱର ଚିକିତ୍ସାଧୀନ ଅଛନ୍ତି। ପୁଅ ଶାନ୍ତନୁ ନାଏକକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର