ସୌଭାଗ୍ୟ ଯୋଜନାରେ ଅର୍ଥ ଆଦାୟ ଘଟଣା:ନେସ୍କୋ କର୍ମଚାରୀ ନିଲମ୍ବିତ

କେନ୍ଦୁଝର: ‘ସୌଭାଗ୍ୟ’ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ନେସ୍କୋ କର୍ମଚାରୀମାନେ ହାତଗୁଞ୍ଜା ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଭାଗୀୟ ତଦନ୍ତ ପରେ ଜଣେ ଲାଇନମ୍ୟାନଙ୍କୁ ନିଲମ୍ବିତ କରାଯାଇଛି। ଏଭଳି ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବା ଲାଇନ୍‌ମ୍ୟାନ ସତ୍ୟଜିତ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସଂପର୍କରେ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ ଚିଠି କରିଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ କହିବା ଅନୁସାରେ କୌଣସି ପ୍ରକାର ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ‘ସୌଭାଗ୍ୟ’ ଯୋଜନାରେ ବିନା ମୂଲ୍ୟରେ ବିଜୁଳି ସଂଯୋଗ ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଜନାର୍ଦ୍ଦନପୁର ଗ୍ରାମର ରାଧିକାଦେଇପୁରରେ କିଛିଦିନ ତଳେ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌କରଣ ପାଇଁ ନେସ୍କୋ ପକ୍ଷରୁ ବ୍ୟବସ୍ଥା ହୋଇଥିଲା। ବିଭାଗୀୟ କର୍ମଚାରୀମାନେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ଅଢ଼େଇ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ। ଗ୍ରାମରୁ ପାଖାପାଖି ୨୫ ହିତାଧିକାରୀଙ୍କ ପାଖରୁ ସର୍ବନିମ୍ନ ଅଢ଼େଇ ହଜାରରୁ ୩ ହଜାର ଲେଖାଏଁ ଟଙ୍କା ସଂଗ୍ରହ କରିଥିଲେ। ସ୍ଥାନୀୟ ହିତାଧିକାରୀଙ୍କ ଅଭିଯୋଗକୁ ଭିତ୍ତିକରି ସମ୍ବାଦରେ ଏକ ବିସ୍ତତ ଖବର ପ୍ରକାଶ ପାଇଥିଲା। ଏହାପରେ ଟଙ୍କା ନେଇଥିବା କର୍ମଚାରୀମାନେ ରାଧିକାଦେଇପୁରରେ ପହଞ୍ଚି ହିତାଧିକାରୀମାନଙ୍କୁ ଟଙ୍କା ଫେରାଇଥିଲେ। ଏହି ଘଟଣାରେ ତଦନ୍ତ କରାଯାଇ ଜଣେ ଲାଇନ୍‌ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର