ଯୋଡ଼ା: କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଯୋଡ଼ା ବ୍ଲକ୍ରେ ଥିବା ହାଣ୍ଡିଭଙ୍ଗା ଜଳପ୍ରପାତ ଅନ୍ୟତମ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ ମଧ୍ୟ ଏହାର ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିଥିବା ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରି ନାହିଁ।
ଯୋଡ଼ା ବ୍ଲକ୍ର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବଡ଼କାଳିମାଟି ପଞ୍ଚାୟରେ ଅବସ୍ଥିତ ହାଣ୍ଡିଭଙ୍ଗା ଜଳପ୍ରପାତ। ବଣପାହାଡ଼ ଘେରା ସବୁଜ ବଳୟ ମଧ୍ୟରେ ଏହି ଜଳପ୍ରପାତଟି ରହିଥିବାରୁ ଏହା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଶ୍ରାବଣ ମାସରେ ଏଠାରେ ପୂଜା ପାଉଥିବା ବାବା ପଦ୍ମେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଲାଗିଥାଏ। ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଥିଲେ ମଧ୍ୟ ଏହାର ବିକାଶ ପ୍ରତି ସରକାର ଆଖିବୁଜି ଦେଇଛନ୍ତି। କାଳିମାଟିଠାରୁ ଏହି ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିଥିବା ୬ କିମି ରାସ୍ତା ଶୋଚନୀୟ ହୋଇଛି। ଯୋଡ଼ାରୁ କାଳିମାଟିକୁ ସଂଯୋଗ ହୋଇଥିବାର ରାସ୍ତା ମରାମତି ଓ ପ୍ରଶସ୍ତୀକରଣ କରାଯାଉ ନାହିଁ। ଏହି ରାସ୍ତାରେ ପ୍ରତିଦିନ ହଜାର ଖଣିଜ ବୋଝେଇ ଟ୍ରକ୍ ଯାତାୟତ କରୁଥିବା ରାସ୍ତାବସ୍ଥା ଶୋଚନୀୟ ହୋଇଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗମନାଗମନର ବିକାଶ ହେଲେ ଏହି ପର୍ଯ୍ୟଟନସ୍ଥଳୀକୁ ଆସିବାପାଇଁ ପର୍ଯ୍ୟଟକମାନେ ଇଚ୍ଛା ପ୍ରକାଶ କରିବେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।
ସେହିପରି ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ରହୁନଥିବାରୁ ଯୋଗାଯୋଗରେ ସମସ୍ୟା ହେଉଛି। ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ସ୍ଥାନୀୟ ଗ୍ରାମବାସୀ ଡୁକୁରା ମୁଣ୍ଡା ଓ ସୁଶାନ୍ତ ଖମାଣିଆ କହିଛନ୍ତି, ଜଳପ୍ରପାତ ଓ ମନ୍ଦିର ଚାରିପଟେ ଖଣି ଏବଂ କଳା କାରଖାନା ଗଢ଼ି ଉଠିଛି। ମାତ୍ର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କେହି ଆଗକୁ ଆସୁନାହାନ୍ତି। ପ୍ରଶାସନ ମଧ୍ୟ ଏହି ସ୍ଥାନର ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇନାହିଁ ବୋଲି ଉଭୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯୋଡ଼ା ଖଣିମଣ୍ଡଳ ଓ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଖଣି ମଣ୍ଡଳରେ ବ୍ୟାପକ ଖଣି ଖନନ ପାଇଁ ଜଙ୍ଗଲ ଧ୍ୱଂସ ହେଉଛି। ଆଗାମୀ ଦିନରେ ହାଣ୍ଡିଭଙ୍ଗା ଜଳପ୍ରପାତର ସୌନ୍ଦର୍ଯ୍ୟ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ହାଣ୍ଡିଭଙ୍ଗାର ପ୍ରାକୃତିକ ସୌନ୍ଦର୍ଯ୍ୟ ରକ୍ଷା କରିବା ସହ ଏହାର ପାରିପାର୍ଶ୍ବିକ ବିକାଶ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ହାଣ୍ଡିଭଙ୍ଗା ଜଳପ୍ରପାତ: ସମ୍ଭାବନା ଅଛି, ଉଦ୍ୟମ ନାହିଁ
/sambad/media/post_attachments/wp-content/uploads/2024/05/9cbb05da-6051-4022-bb77-7d5dc95a1f1d.jpeg)
/sambad/media/agency_attachments/2024-07-24t043029592z-sambad-original.webp)