କେନ୍ଦୁଝର: ସମକାଳୀନ ପୁରୁଷ ପ୍ରାଧାନ୍ୟ ଗୀତିକାର ସମାଜରେ ମହିଳା ଗୀତିକାରଙ୍କ କଥା ଉଠିଲେ ହୁଏତ କାହାରି ନାଁ ମନେ ପଡ଼ି ନ ପାରେ । କିନ୍ତୁ ଚଳିତ ରଥଯାତ୍ରା ଅବସରରେ ସର୍ବାଧିକ ୩ ନିୟୁତ ଦର୍ଶକ ଦେଖିଥିବା  “ତମ ରଥ ଗଡ଼ିବନି କି ଏଇ ବରଷ...’ ଗୀତର ଗୀତିକାର ଯେ ଜଣେ ମହିଳା, ତାହା ହୁଏତ ଅନେକଙ୍କୁ ଜଣା ନଥିବ । ବାସ୍ତବରେ ଏହି ଗୀତଟି ସୁପରହିଟ୍ ଗୀତର ମାନ୍ୟତା ପାଇବା ପରେ ଏହି ମହିଳା ଗୀତିକାର ପ୍ରତିଭା ମିଶ୍ରଙ୍କ ପ୍ରତିଭା ଉପରେ ସମସ୍ତଙ୍କର ନଜର ପଡ଼ିଛି ।

Advertisment

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ସଦର ମହକୁମାର ସାମନ୍ତରାୟପୁରରେ ରହନ୍ତି ପ୍ରତିଭା ମିଶ୍ର । ସ୍ୱାମୀ କମଳ କୁମାର ମିଶ୍ର ଏବଂ ଦୁଇ ପୁଅଙ୍କୁ ନେଇ ସଂସାର ଗଢ଼ିଥିବା ପ୍ରତିଭାଙ୍କର କିନ୍ତୁ ଗୀତ ଲେଖିବାରେ ନିଶା । ଅତି ଛୋଟ ବେଳୁ ଶିଶୁ କବିତା ଏବଂ ଠାକୁରଙ୍କ ଜଣାଣ ଲେଖୁଥିବା ପ୍ରତିଭାଙ୍କର ଏହି ଗୀତ ଲେଖିବା ରୁଚି ଧୀରେ ଧୀରେ ବଢ଼ିବା ପରେ ସ୍ୱାମୀ କମଳଲୋଚନ ମିଶ୍ର ତାଙ୍କୁ ଗୀତ ଲେଖିବା ପାଇଁ ସାହସ ଦେଇଥିଲେ । ଇତିମଧ୍ୟରେ ପ୍ରତିଭା ମିଶ୍ରଙ୍କର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଗୀତ ରିଲଜ୍ ସରିଲାଣି । ଏହାମଧ୍ୟରୁ “ତମ ରଥ ଗଡ଼ିବନି କି ଏଇ ବରଷ...’ ଗୀତଟି ସୁପର ଡୁପରହିଟ୍ ସାବ୍ୟସ୍ତ ହୋଇଛି । ଏହି ଗୀତକୁ ଅମିତ ତ୍ରିପାଠୀ ସ୍ୱର ସଂଯୋଜନା କରିଥିବା ବେଳେ ସସ୍ମିତା ମିଶ୍ର ଗାଈଥିଲେ ।

publive-image

ଖାଲି ଏଇ ଗୋଟିଏ ଗୀତ ନୁହେଁ, ବରଂ କୁମାର ବାପି, ଶ୍ରୀଚରଣ ମହାନ୍ତି, ଈରା ମହାନ୍ତି, ଅସୀମା ପଣ୍ଡାଙ୍କ ଭଳି ସୁପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ପ୍ରତିଭା ମିଶ୍ରଙ୍କ ଗୀତଗାଇଛନ୍ତି ଏବଂ ଗୀତଗୁଡିକ ଶ୍ରୋତାମାନଙ୍କ ଦ୍ୱାରା ଆଦୃତ ହୋଇଛି । ପ୍ରତିଭାଙ୍କ ଗୀତଗୁଡିକ ମଧ୍ୟରେ “ତମକୁ ପ୍ରଭୁ ଭାବେ ନିଜର”, “ଉଠ ମହାଦେବ ଆସ, ଆସିଛି ଶ୍ରାବଣ ମାସ”, “ କହ ସୁଦାମ ସୁବଳ ମୋ କହ୍ନେଈ କାହିଁ”, “ମୃଦଙ୍ଗର ତାଳେ ତାଳେ”, “ଆରେ କାଳିଆ ଜହ୍ନ”, “ ଏକା ଏକା ତୁମେ ଜଗନ୍ନାଥ”, “ଆଶାଢ଼ ଆସିଛି ତୁମ ରଥ ଗଡିବ”, “ରଥ ଚକ ତଳେ ମୋ ଯାଉ ଜୀବନ”, “ମହକୁଛି ଆଜି ବଡ଼ ଦାଣ୍ଡ”, “ ଦୋଳି କଲା କଟମଟ ବଉଳଲୋ”, “ହସୁଛି ମୋ କଳାଗୋବିନ୍ଦ” ଭଳି ଶହ ଶହ ଭଜନର ଗୀତିକାର ଭାବେ ପ୍ରତିଭା ମିଶ୍ର ଶ୍ରୋତାଙ୍କର ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ତେବେ ସବୁଠୁ ବଡ଼ କଥା ହେଉଛି, ଜଣେ ମହିଳା ଗୀତିକାର ଭାବେ ପ୍ରତିଷ୍ଠା ପାଇବା ପ୍ରତିଭା ମିଶ୍ରଙ୍କ କ୍ଷେତ୍ରରେ ଏତେ ସହଜ ନ ଥିଲା । ଦୀର୍ଘ ବର୍ଷ ଧରି ଗୀତ ଲେଖିବା ଡାଏରିରେ ରଖିବା ବ୍ୟତୀତ ତାଙ୍କର ଅନ୍ୟ କିଛି ଉପାୟ ନ ଥିଲା । କିନ୍ତୁ ସଂଗୀତ ନିର୍ଦ୍ଦେଶକ ଅମିତ ତ୍ରିପାଠୀ ତାଙ୍କ ଗୀତକୁ ପସନ୍ଦ କରିବା ପରେ ତାଙ୍କର ଗୀତ ଲେଖି ଆଗକୁ ବଢ଼ିଲା । “ ନିମ୍ବ ବଗିଚାରେ ମଳୟ ବହିଲେ..” ଗୀତଟି ପ୍ରଥମେ ରେକଡିଂ ହୋଇଥିଲା । ଇତିମଧ୍ୟରେ ଶତାଧିକ ଗୀତର ଗୀତିକାର ହୋଇ ସାରିଥିବା ପ୍ରତିଭା କିନ୍ତୁ ଆଧୁନିକ ଗୀତ ଲେଖନ୍ତି ନାହିଁ । ତେବେ କାହିଁକି ସେ ଆଧୁନିକ ଗୀତ ଲେଖନ୍ତି ନାହିଁ ପ୍ରଶ୍ନରେ ଗୋଟିଏ କଥା ସେ ସ୍ପଷ୍ଟ କରିଛନ୍ତି- ମୋତେ ମହାପ୍ରଭୁ ଭଲ ଲଗନ୍ତି । ମୁଁ ମହାପ୍ରଭୁଙ୍କ ପାଇଁ ଲେଖେ । ଯେତେବେଳେ ମହାପ୍ରଭୁଙ୍କ ପାଇଁ ଲେଖୁଛି, ସେତେବେଳେ ଆଉ ଆଧୁନିକ ଗୀତ ଲେଖିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପ୍ରତିଭା ମିଶ୍ର ।

ତେବେ ପୁରୁଷ ପ୍ରାଧାନ୍ୟ ଗୀତିକାରଙ୍କ ଗହଳିରେ ଏହି ମହିଳା ଗୀତିକାରଙ୍କ ସୃଷ୍ଟି ଏବଂ ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ଯେ ନିଆରା ତାହା ସ୍ପଷ୍ଟ ।