ହାଟଡିହି (କିଶୋର ଆଚାର୍ଯ୍ୟ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସାଳନ୍ଦୀ ନଦୀ ଉପରେ ନିର୍ମିତ ହଦଗଡ଼ ଡ୍ୟାମ୍‌କୁ ୫୦ ବର୍ଷ ପୂରିବାକୁ ଯାଉଛି। ହେଲେ ଏହି ଡ୍ୟାମ୍‌ ପାଇଁ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ସରୁନାହିଁ। ସେମାନେ ଏଯାଏ ଥଇଥାନ ହୋଇପାରିଲେ ନାହିଁ କି ସ୍ଥାନୀୟ ଲୋକଙ୍କ ଚାଷଜମିକୁ ପାଣି ମା‌ଡ଼ିଲା। ହଦଗଡ଼ ଡ୍ୟାମ୍‌ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିଲେ ମଧ୍ୟ ଏହାର ପାରିପାର୍ଶ୍ବିକ ବିକାଶ ହୋଇପାରି ନଥିବା ବେଳେ ଇକୋ ଟୁରିଜମ୍‌ କେବଳ ପ୍ରସ୍ତାବରେ ସୀମିତ ରହିଛି। ସେହିପରି ଡ୍ୟାମ୍‌ର ଜଳଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଉଛି।
୧୯୫୯ରେ ସାଳନ୍ଦୀ ନଦୀରେ ଡ୍ୟାମ୍‌ ନିର୍ମାଣ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ୧୯୭୪ରେ ଡ୍ୟାମ୍‌ ନିର୍ମାଣ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଜଳଧାରଣ କ୍ଷମତା ୬୦୧ ମିଲିୟନ କ୍ୟୁବିକ ମିଟର ରହିଛି। ୬୭୨ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଳଭଣ୍ଡାର ଦ୍ବାରା ଭଦ୍ରକ, ବାଲେଶ୍ୱର ସମେତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ୧ ଲକ୍ଷ ୭ହଜାର ହେକ୍ଟର ଚାଷଜମି ଜଳସେଚିତ ହେଉଛି। ଏହା ଉପରେ ତିନିଟି ଜିଲ୍ଲାର ୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ନିର୍ଭର କରୁଛନ୍ତି। ଡ୍ୟାମ୍‌ରେ ୮ଟି ଗେଟ୍‌ ରହିଛି। ଦୁଇଟି ପାହାଡ଼ ମଧ୍ୟରେ ବନ୍ଧ ବନ୍ଧାଯାଇ ଡ୍ୟାମ୍‌ ନିର୍ମାଣ କରାଯାଇଛି। ଏହାର ନୀଳ ଜଳରାଶି ସମୁଦ୍ରର ଭ୍ରମ ସୃଷ୍ଟି କରିଥାଏ।
ଡ୍ୟାମ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ସୁଜୁନାପାଳ ଗ୍ରାମର ଗ୍ରାମବାସୀ କେ. ବାଲିପାଳ, ପିତାନାଉ, ଦଲକି ଆଦି ସ୍ଥାନରେ ବସତି ସ୍ଥାପନ କରି ରହିଆସୁଛନ୍ତି। ଇତିମଧ୍ୟରେ ୫୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇ ନାହିଁ। ଏସବୁ ଗାଁକୁ ସବୁଦିନିଆ ରାସ୍ତା ନଥିବା ବେଳେ ବିଦ୍ୟୁତ୍‌, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଲୋକେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ପିତାନାଉ, ଦଲକି ଗ୍ରାମର ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ ସିଧାସଳଖ ରାସ୍ତା ନାହିଁ। ଲୋକେ ହୁଲିଡଙ୍ଗା ସାହାଯ୍ୟରେ ଡ୍ୟାମ୍‌ ଭିତରେ ୭ କିଲୋମିଟର ରାସ୍ତା ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଛନ୍ତି।

Advertisment

publive-image
ଜଳଭଣ୍ଡାର ପାଣିର ସୁପରିଚାଳନା ପାଇଁ ବିଦ୍ୟାଧରପୁରରେ ନିର୍ମାଣ ହୋଇଛି ଏକ ଆନିକଟ। ଏଠାରୁ ଭଦ୍ରକ, ବାଲେଶ୍ୱର ସମେତ ହାଟଡିହି ବ୍ଲକ୍‌ର କିଛି ଅଞ୍ଚଳକୁ ଜଳସେଚନ କରାଯାଉଛି। କିନ୍ତୁ ଏହି ଡ୍ୟାମ୍‌ ଓ କେନାଲ ପାଇଁ ଜମି ହରାଇଥିବା ଚାଷୀଙ୍କ ଜମିକୁ ପାଣି ପହଞ୍ଚି ପାରୁନାହିଁ। ହଦଗଡ଼, କେ. ବାଲିପାଳ, ବାଲିବରେଇ, ସୋସୋ, ପଢ଼ିଆରିପଲ୍ଲୀ, ବାଙ୍ଗୋର, ଧନୁର୍ଜୟପୁର ପଞ୍ଚାୟତର ଚାଷୀମାନେ ଏଠାରୁ ପାଣି ଟୋପାଏ ପାଉନଥିବା କହିଛନ୍ତି। ବର୍ଷାପାଣି ଉପରେ ନିର୍ଭର କରି ଚାଷୀମାନେ ଚାଷ କରିଥାନ୍ତି। ବର୍ଷା ନହେଲେ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଥମେ ହଦଗଡ଼ ଡ୍ୟାମ୍‌ର ବାମ ଓ ଦକ୍ଷିଣ କେନାଲ ଓ ଏବେ ବୈତରଣୀ କେନାଲ ପାଇଁ ଏହି ଅଞ୍ଚଳବାସୀ ଜମି ହରାଇଥିଲେ ମଧ୍ୟ ସେମାନଙ୍କ ଚାଷଜମି ଜଳସେଚନରୁ ବଞ୍ଚିତ ହୋଇଛି।
ସେହିପରି ହଦଗଡ଼ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ ପର୍ଯ୍ୟଟନର ବିକାଶ ହୋଇପାରିନି। ଏଠାରେ ପାନୀୟଜଳ ସମସ୍ୟା ଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟଟିଏ ନାହିଁ। ସେହିପରି ୨୦୨୨ରୁ ହଦଗଡ଼ରେ ଇକୋ ଟୁରିଜମ ଘୋଷଣା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ହଦଗଡ଼ ଗସ୍ତରେ ଆସି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କହିଥିଲେ। ହେଲେ ଏହା କେବଳ ଘୋଷଣାରେ ଅଟକି ରହିଛି।

ସେମାନେ ଯାହା କହନ୍ତି...
ହଦଗଡ଼ ନଦୀବନ୍ଧ ନିର୍ମାଣ ସରକାରଙ୍କ ଏକ ବଡ଼ ପଦକ୍ଷେପ। କିନ୍ତୁ ଏଥିପାଇଁ ଜମି ହରାଇ ବିସ୍ଥାପିତ ହୋଇଥିବା ଲୋକଙ୍କ କଥାକୁ ସରକାର ଭୁଲି ଯାଇଛନ୍ତି। ଡ୍ୟାମର ସୁରକ୍ଷା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉ ନାହାନ୍ତି। ସେହିପରି ଇକୋ ଟୁରିଜମ୍‌ର ସ୍ୱପ୍ନ ଦେଖାଇ ସରକାର ଚୁପ୍‌ ବସିଛନ୍ତି।
ମଦନ ମୋହନ ନନ୍ଦୀ, ପୂର୍ବତନ ସରପଞ୍ଚ, ହଦଗଡ଼
ହଦଗଡ଼ ଡ୍ୟାମ୍‌ରୁ କେନ୍ଦୁଝର ଜିଲ୍ଲାର ଲୋକମାନେ ପାଣି ପାଇପାରୁ ନାହାନ୍ତି। ବାରମ୍ବାର ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ଏ ଦିଗରେ କୌଣସି ବ୍ୟବସ୍ଥା କରାଗଲା ନାହିଁ। ବିସ୍ଥାପିତଙ୍କ ସମସ୍ୟା ପ୍ରତି ମଧ୍ୟ ସରକାର ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି। ବିସ୍ଥାପିତମାନେ ବାସ କରୁଥିବା କେ. ବାଲିପାଳ ପଞ୍ଚାୟତର ଲୋକଙ୍କୁ ଜମିପଟ୍ଟା ଦିଆଯାଉ ନଥିବାରୁ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି।
ସୋମନାଥ ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ
ହଦଗଡ଼ ଡ୍ୟାମ୍‌ ଓ କେନାଲ ନିର୍ମାଣ ପାଇଁ ଆମେ ତିନିଟି ପର୍ଯ୍ୟାୟରେ ଜମି ହରାଇଲୁ। ଅନେକ ଲୋକଙ୍କ ଅର୍ଦ୍ଧାଧିକ ଚାଷଜମି କେନାଲରେ ଚାଲିଗଲା। କିନ୍ତୁ ଆମ ଚାଷଜମି ଜଳସେଚିତ ହୋଇପାରିଲା ନାହିଁ। ପ୍ରତିବର୍ଷ ଏଠାକାର ଚାଷୀମାନେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। କୋଟି କୋଟି ଟଙ୍କା ବ୍ୟୟ କରାଯାଇ ସାଳନ୍ଦୀ ସଂସ୍କାର କାର୍ଯ୍ୟ ହେଲା। ଆମ ଅଞ୍ଚଳର ଲୋକେ ଏହାର ସୁଫଳ ପାଇଲେ ନାହିଁ।
ଅନ୍ତର୍ଯ୍ୟାମୀ ରାଉତ, ଶିକ୍ଷାବିତ୍‌