ଆନନ୍ଦପୁର: ଝାଡ଼ଖଣ୍ଡରେ ଆଜି ନକ୍ସଲଙ୍କ ହମଲାରେ କେଉଁଝର ଆନନ୍ଦପୁରର ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ତେବେ ସୁଶାନ୍ତଙ୍କ ଆକସ୍ମିକ ସହିଦ ହେବା ଖବର ପ୍ରକାଶ ପାଇବା ପରେ ସମଗ୍ର ଆନନ୍ଦପୁର କାନ୍ଦୁଥିବାବେଳେ ଏହି ଦୁଃଖଦ ଖବର ଶୁଣିବାକୁ ପରିବାରରେ କେହି ନଥିବା ଜଣାପଡିଛି। ସୁଶାନ୍ତ ସହିଦ ହେବା ପରେ ତାଙ୍କ ପରିବାରକୁ ନେଇ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣଙ୍କ ଆଖିରୁ ବି ଲୁହ ଟୋପେ ଝରିଆସିବ | ଦଇବ ଏତେ ବି ନିଷ୍ଠୁର ହୋଇପାରନ୍ତି | ଦଇବ ଏତେ ବି ଦୁଃଖ ଦେଇପାରନ୍ତି, ତାହା ଆପଣ କଳ୍ପନା କରିପାରିବେ ନାହିଁ | ୪ନମ୍ବର ୱାର୍ଡ଼ ଖୁଣ୍ଟିଆସାହିର ଅତୁଳ ଚରଣ ଖୁଣ୍ଟିଆଙ୍କର ତିନି ପୁଅ ସନ୍ତୋଷ, ପ୍ରଶାନ୍ତ ଓ ସୁଶାନ୍ତ। ନିଜର ତିନି ପୁଅ ଓ ଗୋଟିଏ ଝିଅକୁ ନେଇ ଖୁସିରେ ଚଳୁଥିବା ଅତୁଳଙ୍କର ପରିବାର ଉପରେ ଯେମିତି ୨୦୨୦ ମସିହାରୁ ଯମ ଦାଉ ସାଧିଛି | ତିନିବର୍ଷ ତଳେ ଅତୁଳଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିଲା।
ଏହି ସମୟରେ ବଡ଼ପୁଅ ସନ୍ତୋଷ ଯେକି ଆନନ୍ଦପୁରରେ ଏକ ମୋବାଇଲ ଦୋକାନ କରିଥିଲେ କର୍କଟ ରୋଗରେ ଶଯ୍ୟାଶାୟୀ ଥିଲେ। ସେ ବାପାଙ୍କୁ ମଧ୍ୟ ମୁଖାଗ୍ନି ଦେଇ ପାରିନଥିଲେ। ଏହାର କିଛିମାସ ପରେ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୨ ଅପ୍ରେଲ ୨୯ରେ ମଝିଆପୁଅ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ସେ ସେତେବେଳେ ତିନିମାସ ତଳେ ବିବାହ କରିଥିବାବେଳେ ଛତିଶଗଡ଼ ଜଗଦଲପୁରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କର ମୃତଦେହ ସେ ରହୁଥିବା ଘରୁ ଉଦ୍ଧାର କରାଯାଇଥିଲା। ପରିବାରର ଲଗାତର ତିନିଜଣଙ୍କ ମୃତ୍ୟୁ ହେବାପରେ ଛଅମାସ ତଳେ ସେମାନେ ନିଜଘର ଛାଡିଦେଇ ୬ନମ୍ବର ୱାର୍ଡ଼ରେ ଭଡ଼ାଘରେ ରହିଥିଲେ। ଏହି ଭଡାଘରେ ମଧ୍ୟ ସୁଶାନ୍ତଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବିବାହକୁ ମାତ୍ର ଦୁଇମାସ ପୁରିଥିଲା |
ପରିବାରରେ ତିନି ତିନିଟି ମୃତ୍ୟୁକୁ ଦେଖି ସାରିଥିବା ସୁଶାନ୍ତଙ୍କର ଜୁନ ୨ରେ ବିବାହ ହୋଇଥିଲା | ସମସ୍ତେ ଆଶା କରିଥିଲେ ଅଭିଶପ୍ତ ଘର ପରିବର୍ତ୍ତନ ପରେ ହୁଏତ ଖୁସି ଆସିବ | ତେବେ ବିବାହର ମାତ୍ର ୨ ମାସ ନ ପୂରୁଣୁ ଆଜି ସୁଶାନ୍ତଙ୍କ ଜୀବନ ମଧ୍ୟ ଚାଲିଯାଇଛି | ସୁଶାନ୍ତଙ୍କ ମା ଏବେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମାଙ୍କ ପାଖରେ ତାଙ୍କର ଝିଅ ରହିଛନ୍ତି। ଗତ ତିନିବର୍ଷ ମଧ୍ୟରେ ବାପା ଓ ତିନିପୁଅଙ୍କ ଦେହାନ୍ତ ହେବାପରେ ପରିବାର ଏବେ ମୂରବୀ ଶୁନ୍ୟ ହୋଇପଡିଛି।