ତେଲକୋଇ: ଗାଁରେ ଅଛି ଦୁଇଟି ନଳକୂପ। ଗୋଟିଏ ସମ୍ପୂର୍ଣ୍ଣ ଖରାପ। ଅନ୍ୟ ନଳକୂପରୁ ବାହାରୁଥିବା ପାଣି ବ୍ୟବହାରଯୋଗ୍ୟ ନୁହେଁ। ‘ବସୁଧା’ ଯୋଜନାରେ ପାଇପ୍ ପାଇପ୍ ଯୋଗେ ଜଳ ଯୋଗାଣ ହେଉଥିଲା। ତିନିମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଣି ପାଇଁ
ହଟହଟା ହେଉଛନ୍ତି ତେଲକୋଇ ବ୍ଲକ୍ ଓରିଆବିରିଦା ପଞ୍ଚାୟତ ଜଟ ଗ୍ରାମର ମୁଣ୍ଡାସାହିବାସୀ। ଏହାର ପ୍ରତିବାଦରେ ଆଜି ସାହିର ମହିଳାମାନେ ତେଲକୋଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗରା, ବାଲଟି ଧରି ଧାରଣାରେ ବସିଛନ୍ତି।
ମୁଣ୍ଡାସାହିରେ ୭୦ ପରିବାର ବାସ କରୁଥିବା ବେଳେ ଲୋକସଂଖ୍ୟା ୩୦୦ରୁ ଅଧିକ। ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଲୋକେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳୁନି। ଆଜି ସାହିର ମହିଳାମାନେ ଗରା, ବାଲଟି ଧରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଡିଓଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସିଥିଲେ। ଗାଁକୁ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଘରକୁ ଫେରିଛନ୍ତି। ତୁରନ୍ତ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଶ୍ରୀମତୀ ମୁଣ୍ଡା, ମାନସୀ ମୁଣ୍ଡା, ଗୁରୁବାରୀ ମୁଣ୍ଡା, ରଜନୀ ମୁଣ୍ଡା, କୁନି ମୁଣ୍ଡା ପ୍ରମୁଖ ଦାବି କରିଛନ୍ତି। ଏନେଇ ବିଡିଓ ଗୀତା ମୁର୍ମୁଙ୍କୁ ପଚାରିବାରୁ, ଆସନ୍ତାକାଲି ସାହିରେ ପାନୀୟଜଳ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।
ପାଣି ପାଇଁ ତେଲକୋଇ ବ୍ଲକ୍ରେ ଧାରଣା
/sambad/media/post_attachments/wp-content/uploads/2024/04/k.jpg)
/sambad/media/agency_attachments/2024-07-24t043029592z-sambad-original.webp)
