ଆନନ୍ଦପୁର: ଆଜି ଘରକୁ ଆସିଥାନ୍ତେ, ମା-ଭଉଣୀ ଓ ପତ୍ନୀଙ୍କ ସହ ଘଟଗାଁ ତାରିଣୀଙ୍କ ପାଖକୁ ଯାଇଥାନ୍ତେ | ଜୁନ ମାସରେ ୧୦୮ ନଡ଼ିଆ ଯାଚିବେ ବୋଲି ମାନସିକ କରିଥିଲେ | ଆଉ ମାନସିକ ପୂରଣ ପାଇଁ ଘଟଗାଁ ଯାଇ ତାରିଣୀଙ୍କ ପାଖରେ ନଡ଼ିଆ ଯାଚିଥାନ୍ତେ | ହେଲେ ଘରକୁ ଆଜି ନିଜେ ଆସିବା ବଦଳରେ ପାର୍ଥିବ ଶରୀର ଆସିଛି | ଆଉ ଆଜି ଜୁଇର ନିଆଁରେ ଜଳିଯାଇଛନ୍ତି ବୀର ଯବାନ ସୁଶାନ୍ତ ଖୁଣ୍ଟିଆ | ନିଜ ପରିବାରର ୩ ବର୍ଷରେ ତିନିଟି ମୃତ୍ୟୁ ସାଙ୍ଗକୁ ମାଙ୍କ ସ୍ୱାସ୍ଥ୍ୟ କାମନା କରି ସେ ମାନସିକ କରିଥିଲେ | ହେଲେ ଆନନ୍ଦପୁର ଆସିବା ପୂର୍ବରୁ ଗତକାଲି ସିଆରପିଏଫ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଥିଲେ | ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ଆଜି ଆନନ୍ଦପୁରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ବନ୍ଧୁ, ପରିଜନ ଓ ସମ୍ପର୍କୀୟଙ୍କ ଆଖିରୁ ଲୁହ ଛୁଟିଚାଲିଥିଲା | କାରଣ ଗତ ତିନି ବର୍ଷ ମଧ୍ୟରେ ତିନି ତିନିଟି ଦୁଃଖକୁ ଦେଖିସାରିଥିବା ଘରର ରୋଜଗାରିଆ ପୁଅକୁ ଆଜି ସମସ୍ତେ ହରାଇଥିଲେ | ୪ନମ୍ବର ୱାର୍ଡ଼ ଖୁଣ୍ଟିଆସାହିର ଅତୁଳ ଚରଣ ଖୁଣ୍ଟିଆଙ୍କର ତିନି ପୁଅ ସନ୍ତୋଷ, ପ୍ରଶାନ୍ତ ଓ ସୁଶାନ୍ତ। ନିଜର ତିନି ପୁଅ ଓ ଗୋଟିଏ ଝିଅକୁ ନେଇ ଖୁସିରେ ଚଳୁଥିବା ଅତୁଳଙ୍କର ପରିବାର ଉପରେ ଯେମିତି ୨୦୨୦ ମସିହାରୁ ଯମ ଦାଉ ସାଧିଛି | ତିନିବର୍ଷ ତଳେ ଅତୁଳଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିଲା।

Advertisment

ଏହି ସମୟରେ ବଡ଼ପୁଅ ସନ୍ତୋଷ ଯେକି ଆନନ୍ଦପୁରରେ ଏକ ମୋବାଇଲ ଦୋକାନ କରିଥିଲେ କର୍କଟ ରୋଗରେ ଶଯ୍ୟାଶାୟୀ ଥିଲେ। ସେ ବାପାଙ୍କୁ ମଧ୍ୟ ମୁଖାଗ୍ନି ଦେଇ ପାରିନଥିଲେ। ଏହାର କିଛିମାସ ପରେ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୨ ଅପ୍ରେଲ ୨୯ରେ ମଝିଆପୁଅ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ସେ ସେତେବେଳେ ତିନିମାସ ତଳେ ବିବାହ କରିଥିବାବେଳେ ଛତିଶଗଡ଼ ଜଗଦଲପୁରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କର ମୃତଦେହ ସେ ରହୁଥିବା ଘରୁ ଉଦ୍ଧାର କରାଯାଇଥିଲା‌। ପରିବାରର ଲଗାତର ତିନିଜଣଙ୍କ ମୃତ୍ୟୁ ହେବାପରେ କାଳେ ଘରେ କିଛି ଦୋଷ ଅଛି ଭାବି ଛଅମାସ ତଳେ ସେମାନେ ନିଜଘର ଛାଡିଦେଇ ୬ନମ୍ବର ୱାର୍ଡ଼ରେ ଭଡ଼ାଘରେ ରହୁଥିଲେ।

ଏହି ଭଡାଘରେ ମଧ୍ୟ ସୁଶାନ୍ତଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବିବାହକୁ ମାତ୍ର ଦୁଇମାସ ପୁରିଥିଲା | ପରିବାରରେ ତିନି ତିନିଟି ମୃତ୍ୟୁକୁ ଦେଖି ସାରିଥିବା ସୁଶାନ୍ତଙ୍କର ଜୁନ ୨ରେ ବିବାହ ହୋଇଥିଲା | ସମସ୍ତେ ଆଶା କରିଥିଲେ ଅଭିଶପ୍ତ ଘର ପରିବର୍ତ୍ତନ ପରେ ହୁଏତ ଖୁସି ଆସିବ | ତେବେ ବିବାହର ମାତ୍ର ୨ ମାସ ନ ପୂରୁଣୁ ସୁଶାନ୍ତଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା | ଉଲ୍ଲେଖ ଥାଉ କି ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶା ସୀମାକୁ ଲାଗି ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ କୋହ୍ଲାଣ ଜଙ୍ଗଲରେ ନକ୍ସଲ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଗୁଳିକାଣ୍ଡରେ ସିଆର୍‌ପିଏଫ୍‌ ୬୦ ବାଟାଲିୟନର ହାବିଲଦାର ମୁନ୍ନାଲାଲ୍‌ ଯାଦବ ଏବଂ ହେଡ୍‌ କନେଷ୍ଟବଳ ସୁଶାନ୍ତ କୁମାର ଖୁଣ୍ଟିଆ ଗୁରୁତର ହୋଇଥିଲେ। ଦୁହିଁଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ରାଞ୍ଚିସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।