ତେଲକୋଇ ରାଜନୀତି ଅଙ୍କ ଅଡ଼ୁଆ

କେନ୍ଦୁଝର : ଆସନ୍ତା ସାଧାରଣ ନିର୍ବାଚନରେ ତେଲକୋଇ ଆସନରୁ ପ୍ରାର୍ଥୀ ହେବା ଲାଗି ଶାସକ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କଂଗ୍ରେସ ଶିବିରରେ କିନ୍ତୁ ଉତ୍ସାହ ସେତିକି ନାହିଁ। ଏଭଳିସ୍ଥଳେ ବିଜେଡି ବିବାଦରୁ ଫାଇଦା ନେବା ଲାଗି ବିଜେପି ଆଶା ବାନ୍ଧି ବସିଛି ।

କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀରୁ ତେଲକୋଇ ଆସନଟି ବିଜେଡିର ଗଡ ଭାବେ ପରିଚିତ। ଗତ ୪ଟି ବିଧାନସଭା ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଦୁଇ ନମ୍ବର ସ୍ଥାନରେ ରହିଛି କଂଗ୍ରେସ। ୨୦୦୦ ଏବଂ ୨୦୦୪ ମସିହାରେ ଏଠାରେ ନିଳାଦ୍ରୀ ନାଏକ ବିଜୟୀ ହୋଇଥିଲେ। ୨୦୦୯ରେ କିନ୍ତୁ ଦଳ ପ୍ରାର୍ଥୀ ବଦଳାଇଥିଲା। ବିଜେଡି ଟିକେଟରେ ଲଢି ଇଂ ପ୍ରେମାନନ୍ଦ ନାଏକ ଏଠାରୁ ଜିତିଥିଲେ। ୨୦୧୪ରେ ଦଳ ତାଙ୍କୁ ଆଉ ପ୍ରାର୍ଥୀ ନ କରି ପୂର୍ବତନ ବିଧାୟକ ନିଳାଦ୍ରୀ ନାଏକଙ୍କ ପୁତ୍ର ବେଦବ୍ୟାସଙ୍କୁ ଛିଡ଼ା କରିଥିଲା ଓ ସେ ବର୍ତମାନ ବିଧାୟକ ଅଛନ୍ତି। ହେଲେ ଗତ ୪ ଥର ଭଳି ଏଥର ନିର୍ବାଚନରେ ଏହି ଆସନର ସ୍ଥିତି ସେତେ ସହଜ ନାହିଁ। କାରଣ ସ୍ଥାନୀୟ ବିଜେଡିରେ ଗୋଷ୍ଠୀକନ୍ଦଳ ମୁଣ୍ଡ ଟେକିଛି। ବିଧାୟକ ବେଦବ୍ୟାସଙ୍କ ସହିତ ଜିଲ୍ଲା ନେତୃବର୍ଗଙ୍କର ସଂପର୍କ ସେତେଟା ଭଲ ନାହିଁ । କାରଣ, ୨୦୧୪ରେ ସ୍ଥାନୀୟ ନେତାମାନେ ଇଂ ପ୍ରେମାନନ୍ଦ ନାଏକଙ୍କୁ ଆଉ ଥରେ ଟିକେଟ ଦେବାକୁ ଉଦ୍ୟମ ଚଳାଇଥିଲେ। ହେଲେ ରାଜ୍ୟ ନେତୃତ୍ୱଙ୍କର ନିଷ୍ପତ୍ତି ବେଦବ୍ୟାସଙ୍କ ସପକ୍ଷରେ ଯାଇଥିଲା।

ଦୁଇ ବର୍ଷ ତଳେ ହରିହନ୍ଦନପୁର ବ୍ଲକରେ ଚାଲିଥିବା ଏକ ଦଳୀୟ ବୈଠକରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଜେଡ଼ି କର୍ମୀଙ୍କ ଦ୍ୱାରା ବିଧାୟକ ବେଦବ୍ୟାସ ନାଏକ ମାଡ ଖାଇବା ପରେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଥିଲା।

ଗତ ଦୁଇ ବର୍ଷ ଧରି ତତ୍‌କାଳୀନ କଂଗ୍ରେସ ବିଧାୟକ ପ୍ରାଣବଲ୍ଲଭ ନାଏକ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି। ପ୍ରାଣବଲ୍ଲଭଙ୍କ ପୁତ୍ର ନିର୍ମଳ ନାଏକଙ୍କୁ ବିଜେଡିର ଜିଲ୍ଲା ମିଡିଆ ସଂଯୋଜକ କରାଯିବା ପରେ ଏହି ଆଲୋଚନା ଅଧିକ ଜୋର ଧରିଛି। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେପିରେ ମିଶିଛନ୍ତି। ଦଳ ତାଙ୍କୁ ସେଠାରେ ଟିକେଟ ଦେବ ବୋଲି ଚର୍ଚ୍ଚା ଚାଲିଛି। ଫଳରେ କଂଗ୍ରେସ ତେଲକୋଇ ଆସନରୁ ଏକ ଭଲ ଚେହେରା ସନ୍ଧାନରେ ରହିଛି। କିନ୍ତୁ ଦଳ ସାମ୍ନାରେ ଆଜି ଯାଏ ସେଭଳି କୌଣସି ଟାଣୁଆ ନେତା ନାହାନ୍ତି।

ଏସବୁ ଭିତରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଜନ ସମୃଦ୍ଧି ପାର୍ଟି ତେଲକୋଇ ବ୍ଲକରେ ନିଜର ସଂଗଠନ ବଢ଼ାଉଛି।

ସମ୍ବନ୍ଧିତ ଖବର