ଅସ୍ଥାୟୀ ପୋଲ ଧୋଇଗଲା, ଯାତାୟାତ ଠପ୍‌

ପାଟଣା: ପହିଲି ବର୍ଷାରେ ଧୋଇଗଲା କାଂଝାରିରେ ଥିବା ଅସ୍ଥାୟୀ ସେତୁ। ଏବେ ବର୍ଷା ଯେତେଦିନ ଲୋକଙ୍କ ଦୁଃଖ ସେତେ ଦିନ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବ୍ରାହ୍ମଣୀଦେଓ ଗ୍ରାମ ସୀମାରେ ପ୍ରବାହିତ କାଂଝାରୀ ନଦୀରେ ପ୍ରତିବର୍ଷ ନିଜସ୍ୱ ଉଦ୍ୟମରେ ଏହି ପୋଲ ତିଆରି ହୁଏ। ବ୍ରାହ୍ମଣୀଦେଓ ଓ ଆଖପାଖ ଗାଁର ଲୋକମାନେ ପ୍ରତିବର୍ଷ ଶ୍ରମ ଓ ଅର୍ଥଦାନ କରି ଏହାକୁ ତିଆରି କରିଥାନ୍ତି। ଏହା ହେବାଦ୍ୱାରା ଲୋକେ କେନ୍ଦୁଝରକୁ ମାତ୍ର ୨୫ କିଲୋମିଟର ରାସ୍ତା ଅତିକ୍ରମ କରି ଯିବାଆସିବା କରିଥାନ୍ତି। ସେହିପରି କେନ୍ଦେଇପଶି ଡାକ୍ତରଖାନାକୁ ମାତ୍ର ୨ କିଲୋମିଟର ବାଟ ଅତିକ୍ରମ କରି ପହଞ୍ଚିଥାନ୍ତି। ଏବେ ପୋଲ ଧୋଇଯିବା ପରେ କେନ୍ଦୁଝର ଯିବାକୁ ୬୦ କିଲୋମିଟର ଦୂର ବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି କେନ୍ଦେଇପଶି ଡାକ୍ତରଖାନାକୁ ୨ କିଲୋମିଟର ପରିବର୍ତ୍ତେ ୨୦ କିଲୋମିଟର ହୋଇଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ବ୍ରାହ୍ମଣୀଦେଓ ଗ୍ରାମର ଅଜୟ କୁମାର ସେଠୀ, କିରାଣି ନାଏକ, ରୁଦ୍ର ନାଏକ, ଶରତ ମହାନ୍ତ, ବାବୁଲା ମହାନ୍ତ, ଚୈତନ୍ୟ ନାଏକ, ବିଜୟ କୁମାର ସେଠୀ, ନାରଣ ନାଏକ, ରଂଜନ ନାଏକ, ଚ୍ରକଧର ନାଏକ, ତ୍ରିଲୋଚନ ମହାକୁଡ଼ ଓ ସୌମ୍ୟରଞ୍ଜନ ନାଏକଙ୍କ ନେତୃତ୍ୱରେ ଅସ୍ଥାୟୀ ପୋଲ ନିର୍ମିତ ହୋଇଥିଲା। ଟ୍ରାକ୍ଟର ଜେସିବି ମେସିନ୍‌, ହ୍ୟୁମ୍‌ପାଇପ ଆଦି ଯୋଗାଡ଼ କରି ସମସ୍ତଙ୍କ ଶ୍ରମଦାନରେ ପୋଲ ନିର୍ମାଣ ହୋଇଥିଲା। ବର୍ଷା ପରେ ସମସ୍ତଙ୍କର ଶ୍ରମ ବୃଥା ଯାଇଛି। ଯାତାୟାତ ଠପ୍‌ ହୋଇଯିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ନଦୀ ମୁଖ୍ୟ ପ୍ରତିବନ୍ଧ ସାଜିଥିବାରୁ ଜରୁରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଲୋକଙ୍କ ପ୍ରାଣହାନି ମଧ୍ୟ ଘଟୁଛି। ଯାତାୟାତରେ ସମସ୍ୟା ପାଇଁ ପିଲାମାନେ ସ୍କୁଲ କଲେଜ ଯାଇପାରୁନାହାନ୍ତି। ଏହାଦ୍ୱାରା ଗରିବ ଲୋକେ ଅଧିକ ହଇରାଣ ହେଉଥିଲାବେଳେ ସଂପନ୍ନ ବ୍ୟକ୍ତିମାନେ ସେମାନଙ୍କ ପିଲାଙ୍କୁ ହଷ୍ଟେଲରେ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସ୍ଥାୟୀ ପୋଲ ଥିଲେ ଏହି ରାସ୍ତା ଦେଇ ପାଟଣାରୁ କେନ୍ଦୁଝରକୁ ସିଧାସଳଖ ରାସ୍ତା ସଂଯୋଗୀକରଣ ହୋଇପାରନ୍ତା। ଅସ୍ଥାୟୀ ପୋଲ ଯୋଗୁଁ କେବଳ ଗ୍ରୀଷ୍ମ ଋତୁରେ ସାଇକେଲ, ମୋଟର ସାଇକେଲରେ ଗମନାଗମନ ହୋଇଥାଏ। ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ବିଧାୟକଙ୍କୁ ଅନେକଥର ଗୁହାରି କରିଥିଲେ ସୁଦ୍ଧା କେହି ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି। ଏ ପ୍ରସଙ୍ଗକୁ ନେଇ ଦିନେ ଏ ଅଞ୍ଚଳରେ ଆନ୍ଦୋଳନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ସମ୍ବନ୍ଧିତ ଖବର