ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ୪୯ ନଂ ଜାତୀୟ ରାଜପଥର କାଇପୁର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ନିର୍ମାଣାଧୀନ ପୋଲ ଉପରେ ଖସି ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ସଦର ଥାନା ଅନ୍ତର୍ଗତ ମରଦଙ୍ଗା ଯୋଡି ଗ୍ରାମର ମୁନ୍ନା ଖୁଣ୍ଟିଆ ବୋଲି ଜଣାପଡିଛି।
ଅର୍ଦ୍ଧନିର୍ମିତ ପୋଲର ସେଣ୍ଟ୍ରିଙ୍ଗ ଭିତରେ ବାଇକଟି ପଡ଼ିଥିବା ବେଳେ ଯୁବକଜଣଙ୍କ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ଆଜି ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମରଦଙ୍ଗା ଯୋଡି ଗ୍ରାମର ମୁନ୍ନା ଖୁଣ୍ଟିଆ କୌଣସି କାମରେ ସୁଆକାଠି ପଟୁ ଏହି ରାସ୍ତା ଦେଇ ଯାଉଥିବା ବେଳେ ଏନ ଏଚ ୪୯ ରାସ୍ତା ଉପରେ ନିର୍ମାଣାଧୀନ ପୋଲ ଉପରେ ଖସି ପଡ଼ିଥିଲେ। ତାଙ୍କ ବାଇକଟି ପୋଲର ସେଣ୍ଟ୍ରିଙ୍ଗ ଭିତରେ ଖସି ପଡ଼ିଥିବା ବେଳେ ସେ ରାସ୍ତା ଉପରେ ଛିଟିକି ପଡ଼ି ମୃତ୍ୟୁବରଣ କରିଥିଲେ।
ଏନ ଏଚ ୪୯ ରାସ୍ତା କାମ କରୁଥିବା ଠିକା ସଂସ୍ଥା ମଣ୍ଟେକାର୍ଲ କମ୍ପାନି ରାସ୍ତା ଉପରେ ପୋଲ ନିର୍ମାଣ କରୁଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ସୂଚନା ଫଳକ କି ବାରିକେଡ ଲଗାଉ ନଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ବିରାଟ ବଡ଼ ବଡ଼ ଖାଲ ଖୋଳି ଦେଇ ବାରିକେଡ ଲଗାଉ ନାହିଁ। ଏହାଫଳରେ ବାଇକ ଚାଳକ ହେଉ କି ଯାତାୟତ କରୁଥିବା ଗାଡ଼ିଚାଳକମାନେ ଜାଣି ନପାରି ରାସ୍ତାର ଖାଲରେ ପଡୁଛନ୍ତି। ପୋଲ କାମ ଶୀଘ୍ର ସାରିବା ସହ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଆଜି ସକାଳେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଯୁବକଙ୍କ ମୃତଦେହ କୁ ଉଦ୍ଧାର କରିଛି। ମୃତ ଦେହକୁ ଵ୍ୟଵଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟ କୁ ପଠାଇଛି। ଏଣେ ସରଳ ଓ ମିଷ୍ଟଭାଷୀ ଯୁବକ ମୁନ୍ନା ଖୁଣ୍ଟିଆଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/pola.jpg)