ହରିଚନ୍ଦନପୁରରେ କାଳବୈଶାଖୀର ତାଣ୍ଡବ: ଚକି ଖେଳ ଖେଳୁଥିବା ବେଳେ ବଜ୍ରପାତ, ୧୪ ଆହତ

ନୋଡ଼ାଲ ସ୍କୁଲର ୪୦୦ ଟାଇଲ ଉଡ଼ାଇନେଲା କାଳବୈଶାଖୀ, କାନ୍ଥପଡ଼ି ଭାଇ-ଭଉଣୀ ଆହତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଲ ପଞ୍ଚାୟତ ଅଧିନ ବଳିପର୍ବତ ଗାଁରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଛି। ଚମ୍ପାସାହିରେ ୧୮ ଜଣ ପିଲା ଚକି ଖେଳ ଖେଳୁଥିବା ବେଳେ ବଜ୍ରପାତ ହେବାରୁ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦୈତାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସେହିଭଳି ରଘୁନାଥପୁର ଗାଁରେ କାନ୍ଥପଡ଼ି ବୃଦ୍ଧ ଭାଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶାନ୍ତିଲତା ପଟ୍ଟାନୟକ(୬୦) ଓ ସୁଦାମ ପଟ୍ଟନାୟକ(୫୮) ଘର ଭିତରେ ବସିଥିବା ବେଳେ ପ୍ରବଳ ବର୍ଷା ପରେ କାନ୍ଥ ପଡ଼ିଯାଇଥିଲା। ଉଭୟ ଭାଇ ଭଉଣୀକୁ ପ୍ରଥମେ ହରିଚନ୍ଦନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କାଳବୈଶାଖୀର ପ୍ରଭାବରେ ହରିଚନ୍ଦନପୁର ବଜାର ୨ଟି ଦୋକାନ ଉଡ଼ିଯାଇଛି। ସେହିଭଳି ନୋଡାଲ ସ୍କୁଲର ୪୦୦ ଟାଇଲ ଉଡ଼ିଯାଇଛି। ଏଠାକାର ଏକ ସ୍ୱେଚ୍ଛାସେବୀ ସଂଗଠନର ୪ ବଖରା ଘରର ଆଜବେଷ୍ଟସ ମଧ୍ୟ ଉଡ଼ିଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର