ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଜାହିରି କରିଥିବା ବେଳେ ଏବେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମାତିଛି। ବାର୍ହାଟିପୁରା ଗ୍ରାମ ନିକଟ ରଜାବନ୍ଧ ମୁଣ୍ଡାବସ୍ତିର ୪ଟି ଛେଳିକୁ ବାଘ ମାରିଥିବା ବେଳେ ୧୦ ଛେଳି ନିଖୋଜ ଥିବା ଜଣାପଡ଼ିଛି। ଛେଳିଙ୍କ ମୃତଦେହ ପାଖରୁ ବାଘର ପାଦଚିହ୍ନ ଠାବ ହୋଇଥିବାରୁ ବାରବାଙ୍କ ଜଙ୍ଗଲ ନିକଟ କାଳିମାଟି, ଦୁଧିଆନାଳୀ, ରଜାବନ୍ଧ, ସୁନାରିପଶି ସମେତ ଆଖପାଖ ଗ୍ରାମର ଲୋକଙ୍କୁ ଜଙ୍ଗଲ ଭିତରକୁ ନଯିବାକୁ ବନ ବିଭାଗ ପରାମର୍ଶ ଦିଆଯାଇଛି। ଏନେଇ ଆଜି ଡାକବାଜି ଯନ୍ତ୍ର ଦ୍ବାରା ସଂପୃକ୍ତ ଗ୍ରାମର ଲୋକଙ୍କୁ ସତର୍କ କରାଯାଇଛି।
ଘଟଗାଁ ରେଞ୍ଜ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରଜାବନ୍ଧ ମୁଣ୍ଡାବସ୍ତିର ଲୋକେ ଗତକାଲି ୫୦ରୁ ଊର୍ଦ୍ଧ୍ବ ଛେଳି ନେଇ ବାରବାଙ୍କ ସଂରକ୍ଷିତ ଜଙ୍ଗଲକୁ ଚରାଇବାକୁ ଯାଇଥିଲେ। ଅପରାହ୍ଣରେ ପ୍ରବଳ ବର୍ଷା ଯୋଗୁଁ ସେମାନେ ଛେଳି ଗୁଡ଼ିକୁ ଫେରାଇ ଆଣିପାରି ନଥିଲେ। ଆଜି ସକାଳୁ ଛେଳି ଖୋଜିବା ପାଇଁ ଲୋକେ ଜଙ୍ଗଲକୁ ଯାଇଥିଲେ। ବିଭିନ୍ନ ସ୍ଥାନରେ ୪ଟି ଛେଳି କ୍ଷତବିକ୍ଷତ ହୋଇ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଫରେଷ୍ଟ ଗାର୍ଡ ଶାନ୍ତିଲତା ମୁଣ୍ଡାରିକୁ ଜଣାଇଥିଲେ। ଫରେଷ୍ଟ ଗାର୍ଡ ଏ ସମ୍ପର୍କରେ ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁରଙ୍କୁ ଅବଗତ କରିଥିଲେ। ଶ୍ରୀ କୁଅଁରଙ୍କ ନିର୍ଦେଶକ୍ରମେ ଘଟଗାଁ ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ, ଢେଙ୍କିକୋଟ ଫରେଷ୍ଟର ଚିତ୍ତରଂଜନ ପରିଡ଼ା, ଫରେଷ୍ଟ ଗାର୍ଡ ଶାନ୍ତିଲତା ମୁଣ୍ଡାରି, ବାଘ ବିଶେଷଜ୍ଞ ନିମାଇ ଚରଣ ପଲେଇଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ପାରା କର୍ମଚାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାଘର ପାଦଚିହ୍ନ ଠାବ କରି ମାପଚୁପ କରିବା ପରେ ଏହା କଲରାପତରିଆ ବାଘ ବୋଲି ଜଣାପଡ଼ିଛି।
କେନ୍ଦୁଝର ସଦର ରେଞ୍ଜ ଜଂଘିରା ଫରେଷ୍ଟ ସେକ୍ସନରୁ ଏହି କଲରାପତରିଆ ବାଘ ବାରବାଙ୍କ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି। ବାଘର ଗିତିବିଦ୍ଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଆଜି ସେଠାରେ ଟ୍ରାପ୍ କ୍ୟାମେରା ଲଗାଯାଇଛି। ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରତି ଛେଳି ପିଛା ୪ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଛେଳି ମାଲିକ ରଜାବନ୍ଧ ସାହିର ବାସନ୍ତୀ ମୁଣ୍ଡା, ଲମ୍ବୋଦର ମୁଣ୍ଡା ଓ ଗଙ୍ଗାଧର ମୁଣ୍ଡାଙ୍କୁ ପ୍ରଦାନ କରାଯାଇଛି।
ମାତିଛି କଲରାପତରିଆ: ୪ ଛେଳି ଶିକାର, ୧୦ ନିଖୋଜ
ଗ୍ରାମବାସୀଙ୍କୁ ଜଙ୍ଗଲ ଯିବା ମନା
/sambad/media/post_attachments/wp-content/uploads/2021/07/leopard-animal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)