କେନ୍ଦୁଝର/ଯୋଡ଼ା/ହରିଚନ୍ଦନପୁର: ପୁରୀ-ଆନନ୍ଦବିହାର ଟର୍ମିନାଲ (ନୂଆଦିଲ୍ଲୀ) ସାପ୍ତାହିକ ଟ୍ରେନ୍‌ ଆଜିଠାରୁ କେନ୍ଦୁଝର ଦେଇ ଚଳାଚଳ କରିଛି। ଏହି ଟ୍ରେନ୍‌ ପୁରୀରୁ ଶନିବାର ଭୋର ୪ଟା୧୫ରେ ବାହାରି ସକାଳ ୮.୧୦ ମିନିଟରେ ହରିଚନ୍ଦନପୁର ଏବଂ କେନ୍ଦୁଝରଗଡ଼ ଷ୍ଟେସନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୯ଟା୫୦ରେ ପହଞ୍ଚିଥିଲା। କେନ୍ଦୁଝରଗଡ଼ ଷ୍ଟେସନରେ ଏହି ଟ୍ରେନ୍‌କୁ ବହୁ ଲୋକେ ସ୍ବାଗତ କରିଥିଲେ। ୨୦ ମିନିଟ ଅଟକିବା ପରେ ୧୦ଟା୧୦ ମିନିଟ୍‌ରେ ଟ୍ରେନ୍‌ ଛାଡ଼ିଥିଲା। ରବିବାର ଅପରାହ୍‌ଣ ୧ଟା୧୦ରେ ଏହି ଟ୍ରେନ୍‌ ନୂଆଦିଲ୍ଲୀରେ ପହଞ୍ଚିବ। ରବିବାର ସନ୍ଧ୍ୟା ୫ଟା୨୦ରେ ଏହି ଟ୍ରେନ୍‌ ଆନନ୍ଦବିହାର ଟର୍ମିନାଲରୁ ଛାଡ଼ିବ। ସୋମବାର ସନ୍ଧ୍ୟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବ। ପୁରୀରେ ରାତି ୧୧ଟା ୫୫ରେ ପହଞ୍ଚିବ। ଏହି ଟ୍ରେନ୍‌ରେ ଆଜି କେନ୍ଦୁଝରରୁ ବହୁ ଯାତ୍ରୀ ନୂଆଦିଲ୍ଲୀ ସମେତ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି। ଏଥିରେ ଗୋଟିଏ ପ୍ରଥମ, ଦୁଇଟି ଦ୍ୱିତୀୟ ଏବଂ ୫ଟି ଥ୍ରିଟାୟାର ଏସି ବଗି ରହିଛି। ଏହାଛଡ଼ା ୬ଟି ସ୍ଲିପର ଓ ୪ଟି ସାଧାରଣ ମୋଟ ୧୯ଟି ବଗି ରହିଛି।

Advertisment

ଟ୍ରେନ୍‌ ଯୋଡ଼ା ବାଂଶପାଣିଠାରେ ମଧ୍ୟାହ୍ନ ୧୨.୦୩ରେ ପହଞ୍ଚିବା ପରେ ବିଭିନ୍ନ ବର୍ଗରେ ଲୋକେ ସ୍ବାଗତ କରିଥିଲେ। ଟ୍ରେନ୍‌ଟି ଅତ୍ୟନ୍ତ ଲମ୍ବା ହୋଇଥିବାରୁ ବାଂଶପାଣି ଷ୍ଟେସନର ଛୋଟ ପ୍ଲାଟଫର୍ମରେ ସମସ୍ୟା ହୋଇଥିଲା। ଟ୍ରେନ୍‌ ପଛରୁ କିଛି ବଗି ପ୍ଲାଟଫର୍ମ ବାହାରେ ରହିଥିଲା। ଯାତ୍ରୀଙ୍କୁ ଓହ୍ଲାଇବା ଓ ଚଢ଼ିବାରେ ସମସ୍ୟା ହେଉଥିଲା। ଯାତ୍ରୀମାନେ ଟ୍ରେନ୍‌ ତଳକୁ ଡେଉଁଥିବା ବେଳେ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କ ହାତ ଧରି ଲୋକେ ଉପରକୁ ଉଠୁଥିଲେ। ଏହି ଟ୍ରେନ୍‌କୁ ସପ୍ତାହକୁ ତିନିଥର ଚଳଚଳ କରାଇବା ପାଇଁ ଦେବବ୍ରତ ମିଶ୍ର, ଚର୍ଚ୍ଚିଲ ମହାକୁଡ଼, ପ୍ରଗତି ଷଡ଼ଙ୍ଗୀ, ବରିଷ୍ଠ ନାଗରିକ ବି.ଡି. ସାହୁ ଦାବି ଜଣାଇଛନ୍ତି। ସେହିପରି ଭୁବନେଶ୍ୱରରୁ କେନ୍ଦୁଝର ପର୍ଯ୍ୟନ୍ତ ଆସୁଥିବା ଟ୍ରେନ୍‌ ଗୁଡ଼ିକୁ ବାଂଶପାଣି ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଏବଂ କେନ୍ଦୁଝର-ଜାମସେଦପୁର ମଧ୍ୟରେ ଏକ ନୂତନ ଟ୍ରେନ୍‌ ଚଳାଚଳ ପାଇଁ ଦାବି ହୋଇଛି।