କେନ୍ଦୁଝର: ସଜେଇ ହେଉଛି କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରମୁଖ ‌ପର୍ଯ୍ୟଟନସ୍ଥଳ ସାନଘାଗରା। ବନ ବିଭାଗ ଏଠାରେ ନିର୍ମାଣ କରୁଛି ଝୁଲାପୋଲ ସାଙ୍ଗକୁ ଟ୍ରି ହାଉସ୍‌ (ଗଛ ଘର)। ସାନଘାଗରା ପ୍ରକୃତି ନିବାସକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଝୁଲାପୋଲ ଓ ଟ୍ରି ହାଉସ୍‌ର ଭରପୂର ମଜା ଉଠାଇ ପାରିବେ।

Advertisment

publive-image
କେନ୍ଦୁଝର ସହର ଉପକଣ୍ଠ ସାନଘାଗରାରେ ରହିଛି ପ୍ରକୃତି ନିବାସ। ବନ ବିଭାଗ ପକ୍ଷରୁ ନିର୍ମିତ ଏହି ପ୍ରକୃତି ନିବାସରେ ରହିଛି ୫ଟି କଟେଜ୍‌। ଏଥିସହ ଗୋଟିଏ ଡରମିଟୋରି ଓ ଡ୍ରାଇଭରଙ୍କ ପାଇଁ ଏକ ବିଶ୍ରାମ ଗୃହ। ଏହି ପ୍ରକୃତି ନିବାସରେ ରହିବା ପାଇଁ ବନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ବୁକିଂ ବ୍ୟବସ୍ଥା କରାଯାଇଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ଏବେ ନୂଆ ଝୁଲାପୋଲ ଓ ଟ୍ରି ହାଉସ୍‌ ନିର୍ମାଣ କରାଯାଉଛି। ଏହି ଝୁଲାପୋଲ ଧାଡ଼ି ହୋଇ ରହିଥିବା ଗଛଗୁଡ଼ିକୁ ସଂଯୋଗ କରି ନିର୍ମାଣ କରାଯାଉଛି। ଭୂମିଠାରୁ ଏହାର ଉଚ୍ଚତା ୨୦ ଫୁଟ ରହିଛି। ଏହି ଝୁଲା ପୋଲର ଲମ୍ବ ପ୍ରାୟ ୨୭୦ ଫୁଟ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତି ନିବାସର କଟେଜ୍‌ରେ ରହିବା ସହ ଝୁଲାପୋଲରେ ଚାଲିଚାଲି ବୁଲିପାରିବେ। ଝୁଲାପୋଲ‌ରେ ଚାଲିବା ସମୟରେ ଥକା ଲାଗିଲେ ମଝିରେ ମଝିରେ ଟ୍ରି ହାଉସ୍‌ ରହିଛି। ଏଠାରେ ପର୍ଯ୍ୟଟକମାନେ ବିଶ୍ରାମ ନେଇ ପାରିବେ। ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଝୁଲାପୋଲ ଓ ଟ୍ରି ହାଉସ୍‌ ନିର୍ମାଣ ହେଉଥିବା ବେଳେ ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।

ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରକୃତିକୁ ଭଲ ପାଉଥିବା ପର୍ଯ୍ୟଟକମାନେ ନିୟମିତ ଆସିଥାନ୍ତି। ସେମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।