ପ୍ୟାରିସ୍‌ ସାଇକେଲ ରେସ୍‌ରେ ଭାଗ ନେବେ କେନ୍ଦୁଝର ପୁଅ ତୁଷାର; ଏକମାତ୍ର ଓଡ଼ିଆ ଭାବେ ଅଂଶଗ୍ରହଣ କରିବେ

କେନ୍ଦୁଝର: ପ୍ୟାରିସ୍‌ ସାଇକେଲ ରେସ୍‌ରେ ଭାଗନେବେ କେନ୍ଦୁଝର ପୁଅ ତୁଷାରକାନ୍ତି ରାଉତରାୟ। ପ୍ରାୟ ୧୨ ଶହ କିଲୋମିଟରର ଏହି ସାଇକେଲ ରେସ୍‌ରେ ଏକମାତ୍ର ଓଡ଼ିଆ ଭାବେ ସେ ଅଂଶଗ୍ରହଣ କରିବେ।

ପ୍ୟାରିସରେ ପ୍ରତି ଚାରିବର୍ଷରେ ଥରେ ପ୍ୟାରିସ- ବ୍ରେଷ୍ଟ-ପ୍ୟାରିସ୍‌ ରେସ୍‌ ବା ପିବିପି ରେସ୍‌ ନାମରେ ଏହି ସାଇକେଲ ରେସ୍‌ର ଆୟୋଜନ କରାଯାଇଥାଏ। ମାତ୍ର ୯୦ ଘଣ୍ଟା ସମୟ ମଧ୍ୟରେ ୧୨ ଶହ କିଲୋମିଟରର ରେସ୍‌ ସଂପୂର୍ଣ୍ଣ ହୋଇଥାଏ। ଏହି ୧୨ଶହ କିମି ମଧ୍ୟରୁ ୧୨ କିମି ସଂପୂର୍ଣ୍ଣ ପାହାଡ଼ିଆ ଥାଏ, ଯାହାକି ସବୁଠାରୁ କଷ୍ଟକର ପର୍ଯ୍ୟାୟ। ‌ସେହିପରି ପ୍ୟାରିସ୍‌ରୁ ବ୍ରେଷ୍ଟ ମଧ୍ୟରେ ତାପମାତ୍ରା ୪ ଡିଗ୍ରିରୁ ଆରମ୍ଭ କରି ୪୦ ଡିଗ୍ରି ପର୍ଯ୍ୟନ୍ତ ରହୁଥିବାରୁ ପ୍ରତ‌ିଯୋଗୀଙ୍କ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ। ସବୁଠୁ ବଡ଼ କଥା ହେଉଛି ଏହି ରେସ୍‌ରେ ଯୋଗଦେବା ପାଇଁ ପୂର୍ବରୁ ଏକ ପ୍ରି-ରେସ୍‌ ପ୍ରକ୍ରିୟା ସଂପୂର୍ଣ୍ଣ କରିଥିବା ଜରୁରି। ତାହା ସର୍ବନିମ୍ନ ୩ ଶହ କିମ୍ବା ୪ ଶହ କିଲୋମିଟରର ରେସ୍‌ ଥାଏ। ପିବିପି ରେସ୍‌ ପକ୍ଷରୁ ଭାରତରେ ଦାୟିତ୍ବରେ ଥିବା ଏସିପି ଫ୍ରାନ୍ସ ପକ୍ଷରୁ ଏହି ପ୍ରି ରେସ୍‌ ପ୍ରକ୍ରିୟା ହୋଇଥି‌ଲା। ଏଥିରେ କେନ୍ଦୁଝର ସହରର ମାଗୁରଗାଡ଼ିଆ ବାସିନ୍ଦା ତ୍ରିଲୋଚନ ରାଉତରାୟଙ୍କ ପୁଅ ତୁଷାରକାନ୍ତି ମନୋନୀତ ହୋଇଛନ୍ତି।

ଦିଲ୍ଲୀରେ ରହୁଥିବା ତୁଷାରକାନ୍ତି କେନ୍ଦୁଝର ସହରର ମୋଚିବନ୍ଧ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ଡିଡି ସ୍ବୟଂଶାସିତ ମହାବିଦ୍ୟାଳୟରୁ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପ‌ରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ। ଏବେ ସେ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ପ୍ରବନ୍ଧକ ଭାବେ କାମ କରୁଛନ୍ତି। ଏଥିନେଇ ତୁଷାରକାନ୍ତି କୁହନ୍ତି, ବିଷେଶତଃ ପ୍ରଦୂଷଣ କମ୍‌ କରିବା ଓ ସାଇକେଲ ବ୍ୟବହାରକୁ ପ୍ରସାର କରିବା ଉଦ୍ଦେଶ୍ୟ ନେଇ ଏହି ରେସ୍‌ ଆୟୋଜିତ ହୋଇଥାଏ। ଏଥିରେ ୬୬ଟି ଦେଶରୁ ପ୍ରତିଯୋଗୀ ଭାଗ ନେଉଛନ୍ତି।

ସମ୍ବନ୍ଧିତ ଖବର