ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ହରିଚନ୍ଦନପୁର/ଯୋଡ଼ା : କିଛିଦିନ ତଳେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କୁ କେତେକ ଯୁବକ ବିବସ୍ତ୍ର କରି ଭିଡିଓ ସୁଟିଂ କରିବା ଏବଂ ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ଘଟଣା ରାଜ୍ୟରେ ଚହଳ ପକାଇଥିବାବେଳେ ହରିଚନ୍ଦନପୁର ଓ ବାମେବାରୀ ଥାନା ଅଞ୍ଚଳର ଜଣେ ଲେଖାଏଁ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ହରିଚନ୍ଦନପୁର ଥାନା ଅଞ୍ଚଳର ଜଣେ ୧୩ ବର୍ଷ ବୟସ୍କା ନାବାଳିକା ମାମୁଘରେ ରହି ପଢ଼ୁଛନ୍ତି। ତାଙ୍କ ମାଆଙ୍କର ପରଲୋକ ହୋଇଯାଇଥିବାବେଳେ ବାପା ଏକ ମାମଲାରେ ଜେଲ୍‌ରେ ଅଛନ୍ତି। ଗତ ୧୧ ତାରିଖରେ ଘରେ କେହି ନଥିବା ସୁଯୋଗରେ ଏହି ଥାନା ତାଳଡ଼ିିହି ଗ୍ରାମର ଲିଟନ ମହାନ୍ତ (୨୦) ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଚିତ୍କାର କରିବାରୁ ମାମୁଘର ଲୋକ ପହଞ୍ଚିଯାଇଥିଲେ ଓ ଅଭିଯୁକ୍ତ ଖସି ପଳାଇଥିଲେ। ପୀଡ଼ିତା ନାବାଳିକାର ମାମୁ ଏ ସଂପର୍କରେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଲିଟନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏସ୍‌ଡିପିଓ ଏସ୍‌. ଟପୋ ଘଟଣାର ତଦନ୍ତ କରୁଛନ୍ତି।

ସେହିପରି ବାମେବାରୀ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏହି ଥାନା ଅଞ୍ଚଳର ଜଣେ ଯୁବକ ମନୋଜ ମୁଣ୍ଡାଙ୍କୁ ପୁଲିସ ଗିରଫ କରିଛି। ଥାନାଧିକାରୀ ପ୍ରକାଶ ଜେମ୍‌ସ ଟପୋଙ୍କ ସୂଚନା ଅନୁଯାୟୀ, ଗତ ୭ ତାରିଖରେ ପୀଡ଼ିତା ନାବାଳିକାର ବାପା ମାଆ ଧାନ କାଟିବା ପାଇଁ ଅନ୍ୟ ଏକ ଗାଁକୁ ଯାଇଥିଲେ। ଘରେ ଏକା ଥିଲେ ନାବାଳିକା ଜଣକ। ସେହିଦିନ ମନୋଜ ତାଙ୍କୁ ଡାକିନେଇ ଏକ ଧାନ ବିଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ନାବାଳିକାର ବାପା ମାଆ ଘରକୁ ଫେରିବା ପରେ ତାଙ୍କୁ ଏହି ଘଟଣା ନାବାଳିକା ଜଣାଇଥିଲେ। ଗତକାଲି ପୀଡ଼ିତା ନାବାଳିକାର ବାପା ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ମନୋଜଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର