ଦୁଇ ହଜାର ଟଙ୍କା ଲାଞ୍ଚ ନେଇଥିଲେ :ପିଇଓଙ୍କୁ ୪ ବର୍ଷ ଜେଲ୍‌

କେନ୍ଦୁଝର: ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଜଣେ ପିଇଙ୍କୁ ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
୨୦୧୫ ମସିହାରେ ବସନ୍ତ କୁମାର ବେହେରା କେନ୍ଦୁଝର ସଦର ବ୍ଲକ ମଇଦାନକେଲ ପଞ୍ଚାୟତର ପିଇଓଭାବେ କାର୍ଯ୍ୟ କରୁଥିଲେ। ଗ୍ରାମର ଚମ୍ପା ମହାନ୍ତ (୬୫)ଙ୍କୁ ବିଜୁ ପକ୍କାଘର ପ୍ରଦାନ ପାଇଁ ଗ୍ରାମସଭାରେ ନିଷ୍ପତ୍ତି ହୋଇଥିଲା। ଚମ୍ପାଙ୍କ ପୁଅ ସହଦେବ ୨୦୧୫ ମସିହା ମେ ୨୪ ତାରିଖରେ ପିଇଓ ଶ୍ରୀ ବେହେରାଙ୍କ ପାଖକୁ ଯାଇଥିଲେ। ଶ୍ରୀ ବେହେରା ଓ୍ଵାର୍କ ଅର୍ଡର କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ସେ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିବାରୁ ୪ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଥିବାରୁ ସହଦେବ ଘରକୁ ପଳେଇ ଆସିଥିଲେ। ପରଦିନ ସେ ପୁଣି ପିଇଓଙ୍କ ପାଖକୁ ଯାଇ ୪ ହଜାର ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ଶେଷରେ ଦୁଇ ହଜାର ଟଙ୍କା ଦେବାକୁ କଥା ଛିଡ଼ିଲା। ୨ ହଜାର ଟଙ୍କା ଦେଲେ ଓ୍ଵାର୍କ ଅର୍ଡର ମିଳିବ ବୋଲି ପିଇଓ ଶ୍ରୀ ବେହେରା କହିଥିଲେ।
ସହଦେବ ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ପକ୍ଷରୁ ପିଇଓ ଶ୍ରୀ ବେହେରାଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା। ଜୁନ୍‌ ୫ ତାରିଖରେ ସହଦେବଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ପିଇଓ ଶ୍ରୀ ବେହେରା। ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ। ମାମଲାର ବିଚାର କରି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ପ୍ରଦ୍ୟୁମ୍ନ କୁମାର ନାୟକ ଶ୍ରୀ ବେହେରାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପିପି ଦେବଦତ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର