ଅସମ୍ଭାଳ ସଡ଼କ ଦୁର୍ଘଟଣା:ଦିନକୁ ଗଡୁଛି ଗୋଟିଏ ମୁଣ୍ଡ

ସାତ ମାସରେ ୧୯୬ ମୃତ

କେନ୍ଦୁଝର: ବ୍ୟାପକ ସଚେତନତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୭ ମାସରେ ୩୫୧ଟି ଦୁର୍ଘଟଣା ଘଟି ୧୯୬ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୪ ଶହଜଣ ଆହତ ହୋଇଛନ୍ତି। ଏହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଅଧାଖଣ୍ଡିଆ ହୋଇ ପଡ଼ିଥିବା ରାଜପଥ। କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ଯେମିତି ମୃତ୍ୟୁଯନ୍ତା ପାଲଟିଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏହାସତ୍ତ୍ୱେ ରାଜପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ରାଜପଥ ଦୋହରୀକରଣ କାର୍ଯ୍ୟ କରୁଥିବା ଗାୟତ୍ରୀ କମ୍ପାନି ନିର୍ମାଣ କାର୍ଯ୍ୟ ସାରିନଥିଲେ ହେଁ ଏନ୍‌ଏଚ୍‌ଏଆଇ ସହଯୋଗରେ ଟୋଲ୍‌ ଆଦାୟ କରିଚାଲିଛି। ନିର୍ମାଣ ସଂପୂର୍ଣ୍ଣ କରିବା ପ୍ରତି ଆଦୌ ଗୁରୁତ୍ୱ ଦେଉନାହିଁ।
ରଗଡ଼ିଠାରୁ ରିମୁଳି ପର୍ଯ୍ୟନ୍ତ ୨୦ ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ଗାୟତ୍ରୀ କମ୍ପାନି ନେଇଥିଲା। ପାଖାପାଖି ୩୦ ପ୍ରତିଶତ ରାସ୍ତା ନିର୍ମାଣ କରିନାହିଁ। ବହୁ ସ୍ଥାନରେ ପୋଲ କାର୍ଯ୍ୟ ଖଣ୍ଡିଆ ହୋଇପଡ଼ିଛି। ସର୍ଭିସ ରୋଡ୍‌ଠାରୁ ଆରମ୍ଭ କରି ଡ୍ରେନେଜ୍‌, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ମଧ୍ୟ କରିନାହିଁ। ଅନେକ ସ୍ଥାନରେ ଇଂଜିନିୟରିଂ ପ୍ଲାନ ମଧ୍ୟ ଭୁଲ ଥିବାରୁ ଦୁର୍ଘଟଣାର କାରଣ ହେଉଛି। ବାଲିଆଗୋଡ଼ା ଓଭରବ୍ରିଜ ଡିଜାଇନ୍‌ ଭୁଲ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। କେତେକ ସ୍ଥାନରେ ରାଜପଥର କେବଳ ଗୋଟିଏ ପାର୍ଶ୍ୱ ନିର୍ମାଣ ହୋଇଥିବାରୁ ବାଧ୍ୟ ହୋଇ ରଙ୍ଗ ରୁଟରେ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ କରୁଛି। ଏହିପରି ରଙ୍ଗ ରୁଟରେ ଚଳାଚଳ ଯୋଗୁ କିଛିଦିନ ପୂର୍ବେ ରାଇସୁଆଁ ଥାନା ନିକଟରେ ଦୁଇଟି ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ରାସ୍ତା ଏପାଖରୁ ସେପାଖକୁ ଯିବା ପାଇଁ ବିଭିନ୍ନ ଜନବସତିରେ କଟିଂ ମଧ୍ୟ ନାହିଁ। ଉଦାହରଣ ସ୍ୱରୂପ ଧୃପଦା ପାହାଡ଼ ନିକଟରୁ ରାଇସୁଆଁ ଥାନା ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତା ହେବ। ଏହା ମଧ୍ୟରେ ଧୃପଦା, ବାଲିଆଗୋଡ଼ା, ରାଇସୁଆଁ, ଗୋପୀନାଥପୁର ଆଦି ଗାଁ ପଡୁଥିଲେ ମଧ୍ୟ ରାସ୍ତା ପାର ହେବା ପାଇଁ କୌଣସି ସ୍ଥାନରେ କଟିଂ ନାହିଁ। ଫଳରେ ଲୋକମାନେ ଡିଭାଇଡର ଡେଇଁ ରାସ୍ତା ପାରି ହେଉଛନ୍ତି। ଏହାକୁ ରୋକିବା ପାଇଁ ସଦର ପୁଲିସ ପକ୍ଷରୁ ଡିଭାଇଡର ମଧ୍ୟରେ ମାଟିଗଦା କରାଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୬ରେ ମୋଟ ୫୬୦ଟି ଦୁର୍ଘଟଣା ଘଟି ୨୪୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୬୧୬ ଜଣ ଆହତ ହୋଇଥିଲେ । ଜାତୀୟ ରାଜପଥରେ ୨୪୭ଟି, ରାଜ୍ୟ ରାଜପଥରେ ୧୨୧ଟି ଏବଂ ଅନ୍ୟାନ୍ୟ ଗ୍ରାମାଞ୍ଚଳ ରାସ୍ତାରେ ୧୯୩ଟି ଦୁର୍ଘଟଣା ଘଟିଥିଲା। ସେହିପରି ୨୦୧୭ ରେ ମୋଟ ୫୯୨ଟି ଦୁର୍ଘଟଣା ଘଟିଥିଲା। ସେଥିରୁ ଜାତୀୟ ରାଜପଥରେ ୩୦୮, ରାଜ୍ୟ ରାଜପଥରେ ୭୫ ଏବଂ ଗ୍ରାମାଞ୍ଚଳ ରାସ୍ତାରେ ୨୦୯ଟି ଦୁର୍ଘଟଣା ଘଟି ୩୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧୨ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର