କେନ୍ଦୁଝର: ଅଦିନିଆ ବର୍ଷାରେ ଗମନାଗମନ ବ୍ୟାହତ। ବିଚ୍ଛିନ୍ନ ହୋଇଗଲା ଗାଁ। ବର୍ଷାଦିନ କଥା ତ ନକହିବା ଭଲ। ଖାସ ଏହି ସମସ୍ୟାକୁ ନେଇ ଭୋଟ ବର୍ଜନ ପାଇଁ ଚେତାବନୀ ବି ଦେଇଛନ୍ତି ଗାଁ ଲୋକେ। ପ୍ରଶାସନକୁ ଜଣାଇଛନ୍ତି। ତଥାପି ସେମାନଙ୍କ ସମସ୍ୟା ଦୂର ହୋଇପାରିନାହିଁ। ଏହା ହେଉଛି ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର କେନ୍ଦୁଘାଟି ଗ୍ରାମର ଦୁଃଖ। ଏଯାଏ ଏହି ଗାଁକୁ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଏହି କାରଣରୁ କେହି ରୋଗରେ ପଡ଼ିଲେ ଖଟିଆରେ ବୋହିବାକୁ ପଡୁଛି ତ ପୁଣି ଗର୍ଭବତୀଙ୍କୁ ବାଇକରେ ବସାଇ ନିଆଯାଉଛି। ତଥାପି ପ୍ରଶାସନ ବେପରବାୟ। ଗ୍ରାମରେ ପ୍ରାୟ ୨ଶହ ପରିବାର। ସମସ୍ତେ ଆଦିବାସୀ ଶ୍ରେଣୀର। ବର୍ଷା ତିନିମାସ ହୁଲିଡଙ୍ଗାରେ ସେମାନଙ୍କ ଜୀବନ ହଲୁଥାଏ। ଜୀବନକୁ ପାଣି ଛଡ଼ାଇ ପାହାଡ଼ି ନଦୀର ପ୍ରଖର ସ୍ରୋତରେ ଡଙ୍ଗାରେ ଭାସିଥାନ୍ତି।

Advertisment

୩-୪ ଦିନ ଲଗାଣ ବର୍ଷା ହେଲେ ଗ୍ରାମବାସୀ ବିଚ୍ଛିନ୍ନ ହୋଇଯାନ୍ତି। ଖରାଦିନ ପାଇଁ ମାଟି ମୋରମ ପକାଇ ସେଥିରେ ଲୋକେ ଗାଡ଼ିମଟର ଯିବାର ବ୍ୟବସ୍ଥା କରନ୍ତି। ଏବେ ବର୍ଷା ହେବାରୁ ତାହା ଧୋଇଯାଇ ଅବସ୍ଥା ସାଂଘାତିକ ହୋଇଯାଇଛି। ନା ଚାଲି ଯାଇପାରୁଛନ୍ତି ନା ଗାଡ଼ି ଡଙ୍ଗା ଚାଲୁଛି। ଅକଳିଆ ପରିସ୍ଥିତିରେ ପଡ଼ିଛନ୍ତି ଗ୍ରାମବାସୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନ‌ାରେ କାର୍ଯ୍ୟାଦେଶ ପାଇଥିବା ଲୋକେ ଘର ନିର୍ମାଣ କରୁଛନ୍ତି। ପାଗ ଶୁଖିଲା ଥିଲାବେଳେ ଏହି ବାଟରେ ସେମାନେ ଗାଡ଼ିରେ ଘର ନିର୍ମାଣ ସାମଗ୍ରୀ ନେଉଥିଲେ। ଏବେ ତାହା ବି ବନ୍ଦ। ଟ୍ରାକ୍ଟର ଆଉ ଯାଇପାରୁନି। ଏହା ତ ଗଲା ଗାଁର ସାମୂହିକ ଦୁଃଖ। ମାଟ୍ରିକ ପରୀକ୍ଷା ଦେଉଥିବା ଏହି ଗାଁର ଛାତ୍ରଛାତ୍ରୀ ଫୁଲଝର ଗ୍ରାମରେ ରହିବାକୁ ବାଧ୍ୟ ହେଉଛନ୍ତି। ସେଠା‌ରୁ ପରୀକ୍ଷା ଦେବାକୁ ଯାଉଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।