ପୁଲିସ୍‌ ଉପସ୍ଥିତିରେ ହଣାକଟା: ଘସିପୁରାବାସୀ ଆତଙ୍କିତ

ଆନନ୍ଦପୁର: ଘସିପୁରା ବସ୍‌ଷ୍ଟାଣ୍ଡରେ ଗତକାଲି ଖଣ୍ଡା ବୁଲିଲା। ଶୈଲଙ୍ଗ ଛକରେ ୬ଜଣ ହଣା ଖାଇଲେ। ପୁଲିସ୍‌ ଉପସ୍ଥିତିରେ ସବୁକିଛି ଘଟିଲା। ଆଉ ଏବେ ଖାଲି ଲୋକ ଦେଖାଣିଆ ଭାବେ ଅଭିଯୁକ୍ତମାନଙ୍କୁ ଖୋଜିବାର ବାହାନା ଚାଲିଛି। ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଗତକାଲିର ଘଟଣା ପରେ ଘସିପୁରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ୍‌ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି।
ଗତକାଲି ଦିନ ୧୨ଟାରୁ ଘସିପୁରା ବସ୍‌ଷ୍ଟାଣ୍ଡରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ବସ୍‌ଷ୍ଟାଣ୍ଡରେ ଠେଙ୍ଗା, ବାଡି, ଖଣ୍ଡା, ଭୁଜାଲି ବୁଲିଥିବାବେଳେ ଦୋକାନବଜାର ବନ୍ଦ ହୋଇ ଯାଇଥିଲା। ପୁଲିସ୍‌ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଘଉଡାଇବା ପରିବର୍ତ୍ତେ ନିରବ ଦର୍ଶକ ସାଜିଥିଲା। ଅପରାହ୍‌ଣ ପ୍ରାୟ ୪ଟାବେଳେ ଆନନ୍ଦପୁର ପୌରଉପାଧ୍ୟକ୍ଷ ସୁରେଶ ସାହୁ ନିଜ ବୋଲେରୋରେ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ତାଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା। ବସ୍‌ଷ୍ଟାଣ୍ଡରେ ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ଉପାଧ୍ୟକ୍ଷଙ୍କ ଗାଡ଼ିକୁ ଭାଙ୍ଗିବା ସହିତ ଘଉଡ଼ାଇଥିଲେ। ଏହି ସମୟରେ ସେଠାରେ ମଧ୍ୟ ପୁଲିସ ଉପସ୍ଥିତ ରହି ସବୁ ଦେଖୁଥିବାବେଳେ କୌଣସି ପଦକ୍ଷେପ ନେଇନଥିଲା। ଗଣ୍ଡଗୋଳ ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୁଲିସ ନିରବ ହୋଇ ଛିଡ଼ା ହୋଇଥିବା ଦେଖି ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଗତକାଲି ଶୈଲଙ୍ଗ ନିକଟରେ ଏକ କାରରେ ଥିବା ୬ଜଣଙ୍କୁ ଅଟକାଇ ଭୁଜାଲି ଓ ଖଣ୍ଡାରେ ହାଣି ପକାଇଥିଲେ।

ଏହି ଆକ୍ରମଣ ପଛରେ ପଦନା ଓ ସାଇଁକୁଳର ଅନେକ ଯୁବକ ସାମିଲ ରହିଥିବା ନେଇ ଆହତ ହୋଇଥିବା ସତ୍ୟବ୍ରତ ଜେନା ପ୍ରକାଶ କରିଛନ୍ତି। ଏନେଇ ପୁଲିସ୍‌ ତିନୋଟି ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ପୁଲିସ୍‌ ପକ୍ଷରୁ ତିନୋଟି ଟିମ୍‌ ଗଠନ କରାଯାଇ ଆକ୍ରମଣକାରୀଙ୍କୁ ଧରିବାପାଇଁ ପଦନା, ଘସିପୁରା, ଘଟଗାଁ ଅଞ୍ଚଳରେ ତନାଘନା ଚାଲିଥିବା ନେଇ ଆନନ୍ଦପୁର ଏସ୍‌ଡିପିଓ ମହେଶ୍ୱର ସେଠୀ ସୂଚନା ଦେଇଛନ୍ତି। ଖୁବ୍‌ଶ୍ରୀଘ୍ର ଆକ୍ରମଣକାରୀମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ତାଙ୍କୁ ମାରିବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିବା ନେଇ ଉପାଧ୍ୟକ୍ଷ ଶ୍ରୀସାହୁ ଗଣମାଧ୍ୟମକୁ କହିଛନ୍ତି। ସେ ଏନେଇ ପୁଲିସ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର