ହରିଚନ୍ଦନପୁରରେ ଜଳସଂକଟ: ଲୋକଙ୍କୁ ଭରସା ଚୁଆପାଣି

ହରିଚନ୍ଦନପୁର: ଖରା ଆରମ୍ଭରୁ ଦେଖାଦେଇଛି ଜଳ ସଂକଟ। ହରିଚନ୍ଦନପୁର ବ୍ଲକ୍‌ ହୁଣ୍ଡା ପଞ୍ଚାୟତ ଗଜାଆମ୍ବ ଗ୍ରାମର ଭାଲିଆଗଡ଼ା ଓ ରେବଣାପଳାଶପାଳ ପଞ୍ଚାୟତ ଅସନବାହାଳି ଗ୍ରାମର ଘୁଟମୁହିଁ ସାହିରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ଲୋକେ ଚୁଆପାଣି ପିଇ ଶୋଷ ମେଣ୍ଟାଉଛନ୍ତି।
ଭାଲିଆଗଡ଼ା ସାହିରେ ୧୨ଟି ପରିବାର ବସବାସ କରୁଛନ୍ତି। ସାହିଠାରୁ କିଛି ଦୂରରେ ଏକ ନଳକୂପ ରହିଛି। ଖରାଦିନେ ନଳକୂପରୁ ଠିକ୍‌ରେ ପାଣି ବାହାରୁ ନଥିବାରୁ ବାଧ୍ୟ ହୋଇ ଲୋକେ ଚୁଆପାଣି ପିଉଛନ୍ତି। ଦୂଷିତ ପାଣି ପିଇ ଲୋକେ ଚର୍ମରୋଗ ସମେତ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତୁରନ୍ତ ସାହିରେ ଏକ ନଳକୂପ ଖନନ କରିବାପାଇଁ ଭଜମନ ବେହେରା, ହାଡ଼ିବନ୍ଧୁ ବେହେରା, ସୁଶୀଲ ବେହେରା, ବିଦେଶୀ ବେହେରା, ଗୋଲଖ ବେହେରା, ସରୋଜ ବେହେରା, ହାର ବେହେରା, ଜାହାଜ ବେହେରା, ବୁଦୁନି ବେହେରା ପ୍ରମୁଖ ଦାବି କରିଛନ୍ତି।
ସେହିପରି ଘୁଟମୁହିଁ ସାହିରେ ୨୨ଟି ପରିବାର ବସବାସ କରୁଛନ୍ତି। ଏଠାରେ ଆଦୌ ନଳକୂପ ନାହିଁ। ସାହିବାସୀ ବର୍ଷତମାମ ଚୁଆପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି। ଖରାଦିନେ ଚୁଆରୁ ଶୁଖିଗଲେ ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ କରାଯାଉଥିବା ସାହିବାସୀ ଜଣାଇଛନ୍ତି। ସାହିରେ ଏକ ନଳକୂପ ଖନନ ପାଇଁ ପ୍ରଶାସନ ନିକଟରେ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ‌ନିଆଯାଉ ନାହିଁ। ତୁରନ୍ତ ଏଠାରେ ଏକ ନଳକୂପ ଖନନ କରିବାକୁ ସାହିର କୃଷ୍ଣଚନ୍ଦ୍ର ମାଝୀ, ଦଶରଥ ମାଝୀ, ଭରତ ମାଝୀ, ଶାଙ୍ଖ ମାଝୀ, ଭୈରବ ମାଝୀ, ଗୋବିନ୍ଦ ମାଝୀ, ପଞ୍ଚୁ ମାଝୀ, ରବି ମାଝୀ, ରାଜେଶ କୁମାର ମାଝୀ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର