ବିଧବାଙ୍କୁ ସଧବା ସଜେଇଲେ ଭିଏଲ୍‌ଡବ୍ଲ୍ୟୁ:୨ ମାସ ହେଲା ବିଧବା ଭତ୍ତା ବନ୍ଦ

କେନ୍ଦୁଝର: ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଥିବା ବେଳେ ସରକାରୀ କର୍ମଚାରୀଙ୍କ ବେପରୁଆ ରିପୋର୍ଟ ଜଣେ ବିଧବାଙ୍କୁ ସଧବା ସଜାଇଛି। ଫଳରେ ମହିଳା ଜଣକ ସାମାଜିକ ସମ୍ମାନ ହରାଇବା ସହ ଲୋକଲଜ୍ଜ୍ୟାରେ ଘରୁ ବାହାରି ପାରୁ ନାହାନ୍ତି । ତାଙ୍କ ବିଧବା ଭତ୍ତା ମଧ୍ୟ ବନ୍ଦ ହୋଇଯାଇଛି। ତାଙ୍କ ରୋଜଗାରରେ ପରିବାର ପ୍ରତିପୋଷଣ ହେଉଥିଲା । ହେଲେ ବର୍ତ୍ତମାନ ତାଙ୍କ ପରିବାର ନାହିଁନଥିବା ସମସ୍ୟା ଦେଇ ଗତି କରୁଛନ୍ତି। ଏପରି ଅଭାବାନୀୟ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ୍‌ ମହାଦେଇଯୋଡ଼ା ମୁଣ୍ଡାସାହିରେ।
ମିଳିଥିବା ସୂଚନା ଅନୁଯାୟୀ,ଏହି ଗ୍ରାମର ମହିଳା ମାଧୁରୀ (ଛଦ୍ମନାମ) ୧୫ ବର୍ଷ ପୂର୍ବେ ଶମ୍ଭୁନାଥ ମୁଣ୍ଡାଙ୍କୁ ବିବାହ କରିଥିଲେ। ସ୍ୱାମୀ- ସ୍ତ୍ରୀ ଦୁହେଁ ଦିନ ମଜୁରିଆ ହୋଇଥିଲେ ମଧ୍ୟ ତାଙ୍କ ରୋଜଗାରରେ ପରିବାର ସୁଖଶାନ୍ତିରେ ଚାଲିଥିଲା। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ । କିଛି ଦିନ ପରେ ଶମ୍ଭୁନାଥଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ମାଧୁରୀଙ୍କୁ ଦୁଃଖ ଦେଇଥିଲା। ହେଲେ ସେ ଭାଙ୍ଗି ପଡ଼ିିନଥିଲେ । ଦୁଇପୁଅଙ୍କୁ ଭଲ ମଣିଷ କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ । ଦୁଇ ପୁଅଙ୍କୁ ପାଠ ପଢିବା ପାଇଁ ଆଶ୍ରମ ସ୍କୁଲରେ ଛାଡ଼ିଥିଲେ । ମାଧୁରୀ ବିଧବା ହୋଇଥିବାରୁ ତାଙ୍କୁ ୩ ଶହ ଟଙ୍କା ବିଧବା ଭତ୍ତା ମିଳୁଥିଲା । ତେବେ ୨ ମାସ ହେଲା ତାଙ୍କୁ ଭତ୍ତା ପ୍ରଦାନ କରାଯାଉ ନାହିଁ।ା ଏ ନେଇ ସଂପୃକ୍ତ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ରାଜେନ୍ଦ୍ର ଦିଗିଙ୍କୁ ମାଧୁରୀ ପଚାରିବାରୁ ସେ କହିଲେ,‘ତୁମେ ଦ୍ୱିତୀୟ ବିବାହ କରିଛ।ଏ ନେଇ ବିଡିଓଙ୍କୁ ରିପୋର୍ଟ ଦେଇଛି ।

ତୁମର ଭତ୍ତା ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ମାଧୁରୀ ୧୩ ବର୍ଷ ହେଲା ବିଧବା ଜୀବନ ବିତାଉଛନ୍ତି । ସେ ଦ୍ୱିତୀୟ ବିବାହ କରି ନାହାନ୍ତି । ଭିଏଲ୍‌ଡବ୍ଲ୍ୟୁ କୌଣସି ତଦନ୍ତ ନକରି ଏପରି ଦାୟିତ୍ୱହୀନ ରିପୋର୍ଟ ଦେବା ଯୋଗୁ ମାଧୁରୀ ଆଜି ଲୋକ ଲଜ୍ୟାରେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଗ୍ରାମବାସୀ ତାଙ୍କୁ ନେଇ ନାନା କଥା ହେଉଛନ୍ତି। ବିଧବା ଭତ୍ତା ତ ବନ୍ଦ ହୋଇଗଲା । ବର୍ତ୍ତମାନ ସେ କାମ କରିବାକୁ ବାହାରକୁ ଯାଇପାରୁ ନାହାନ୍ତି। ଘରେ ଖାଇବା ପାଇଁ କିଛି ନାହିଁ । ତେଣୁ ନବମ ଶ୍ରେଣୀରେ ପଢୁଥିବା ତାଙ୍କ ବାଡପୁଅ ଗ୍ରୀଷ୍ମଛୁଟିରେ ଘରକୁ ଆସିଥିବା ବେଳେ ଘରର ଅବସ୍ଥା ଦେଖି ସେ ଦିନ ମଜୁରି କାମ କରିବାକୁ ଯାଉଛି। ସେହି ରୋଜଗାରରେ ତାଙ୍କ ଘରେ ଚୁଲି ଜଳୁଛି । ଦାୟିତ୍ୱହୀନ ଭାବେ ରିପୋର୍ଟ ଦେଇ ଗୋଟିଏ ନାରୀର ସାମାଜିକ ସମ୍ମାନ ଏବଂ ତାଙ୍କର ହକ ଛଡାଇ ନେଇଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଏ ସଂପର୍କରେ ଭିଏଲ୍‌ଡବ୍ଲ୍ୟୁ ଶ୍ରୀ ଦିଗିଙ୍କୁ ପଚରାଯିବାରୁ ସେ କହିଲେ, ଗାଁ ଲୋକେ ମାଧୁରୀ ଦ୍ୱିତୀୟ ବିବାହ କରିଥିବା କହିବାରୁ ତାଙ୍କର ବିଧବା ଭତ୍ତା ବନ୍ଦ କରାଯାଇଛି । ଯଦି ସେ ଦ୍ୱିତୀୟ ବିବାହ କରି ନାହାନ୍ତି ତେବେ ପୁଣି ଭତ୍ତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ହେଲେ ତାଙ୍କର ସାମାଜିକ ସମ୍ମାନ କିପରି ଫେରିବ ? ଏହି ଘଟଣାର ୨ ମାସ ପରେ ମଧ୍ୟ ନାରୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭାଗ ତାଙ୍କ ନିକଟରେ ପହଞ୍ଚି ନାହିଁ।ା ଏ ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅହଲ୍ୟା ଧଳଙ୍କୁ ପଚାରିବାରୁ ସେ କହିଥିଲେ, ତାଙ୍କ ପାଖରେ ସୂଚନା ନଥିିଲା । ହେଲେ ବର୍ତ୍ତମାନ ପଦକ୍ଷେପ ନେବାକୁ କହିଥିଲେ ।

ସମ୍ବନ୍ଧିତ ଖବର