ପତ୍ନୀହନ୍ତାକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଚମ୍ପୁଆ: ଯୌତୁକ ପାଇଁ ପତ୍ନୀ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ଅଧିକ ଏକବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପତ୍ନୀହନ୍ତା ସ୍ୱାମୀ ହେଉଛି ଯୋଡ଼ା ଥାନା ଅଧୀନ ବିଲେଇପଦା ଗୌଡ଼ ବସ୍ତିର ଗୋପ ବାରିକ (୩୦)। ୨୦୧୪ ମାର୍ଚ୍ଚ ୧୪ ତାରିଖରେ ଗୋପ ତା’ର ନବବିବାହିତ ପତ୍ନୀ ଦମୟନ୍ତୀ ବାରିକଙ୍କୁ ବିଷ ଦେଇ ହତ୍ୟା କରିଥିଲା।

ଅଧିକ ଏକଲକ୍ଷ ଟଙ୍କା ଓ ହିରୋହୋଣ୍ଡା ବାଇକ୍‌ ଯୌତୁକ ଦେବା ପାଇଁ ସେ ବାରମ୍ବାର ଦାବି କରୁଆସୁଥିଲା। ଦମୟନ୍ତୀଙ୍କ ପରିବାର ତାହା ଦେବାକୁ ଅକ୍ଷମ ହୋଇଥିଲେ। ଶେଷରେ ଗୋପ ନିଜ ପତ୍ନୀଙ୍କ ଜୀବନ ନେଇଯାଇଥିଲା। ଏନେଇ ଦମୟନ୍ତୀଙ୍କ ବାପା କବିବର ବାରିକଙ୍କ ଏତଲାକ୍ରମେ ଯୋଡ଼ା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗୋପକୁ ଗିରଫ କରିଥିଲା। ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଡ. ପବିତ୍ର ମୋହନ ସାମଲ ଏହି ମାମଲାର ବିଚାର କରି ମୋଟ ୧୪ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ଆସାମୀକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ମଧୁସୂଦନ ପତି ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର