ହତ୍ୟା ପରେ ମହିଳାଙ୍କୁ ଜାଳିଦେଲେ

ଜଙ୍ଗଲରୁ ମିଳିଲା ପୋଡ଼ା ମୃତ ଦେହ; ପୁଲିସ୍‌ର ତନାଘନା

ଯୋଡା : ବାମେବାରୀ ଥାନା କାଳିଆପାଳ-ଜାମିରିଡିହି ଜଙ୍ଗଲ ରାସ୍ତାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ ପୁଲିସ ଜବତ କରିଛି। ମହିଳା ଜଣଙ୍କୁ ଦୁବୃର୍ତ୍ତମାନେ ହତ୍ୟା କରିବା ପରେ ତାଙ୍କୁ ପୋଡି ଦେଇଥିବା କୁହାଯାଉଛି। ମୃତ ମହିଳାଙ୍କର ପରିଚୟ ମିଳିନଥିବାରୁ ମାଜିଷ୍ଟ୍ରେଟ୍‌ ତଥା ବଡ଼ବିଲ ଅତିରିକ୍ତ ତହସିଲ୍‌ଦାର ମଧୁସ୍ମିତା ବିଶି ଏବଂ ବାମେବାରୀ ଥାନା ଆଇଆଇସି ପ୍ରକାଶ ଜେମ୍‌ସ ଟପୋଙ୍କ ଉପସ୍ଥିତିରେ ମୃତ ଦେହକୁ ଜବତ କରାଯାଇ ଟାଟା ଷ୍ଟିଲ ହସ୍‌ପିଟାଲର ଶବ ସଂରକ୍ଷଣ ଗୃହଠାରେ ରଖାଯାଇଛି।

ବାମେବାରୀ ଥାନା ଆଇଆଇସି ଶ୍ରୀ ଟପୋଙ୍କ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗ୍ରାମର କେତେକ ବ୍ୟକ୍ତି ଜଙ୍ଗଲରୁ ଜାଳକାଠ ନେଇ ଫେରୁଥିବା ବେଳେ ଜଙ୍ଗଲ ରାସ୍ତାରେ ଏକ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହଟି ନିଆଁରେ ସଂପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ପାଇଥିଲା। ମୃତ ଦେହ ପାଖରେ ଚୁଡି ପଡିଥିବା ଦେଖି ଶବଟି ଜଣେ ମହିଳାଙ୍କର ବୋଲି ପୁଲିସ ସନ୍ଦେହ କରିଛି। ଶରୀରଟି ସଂପୂର୍ଣ୍ଣ ଜଳି ଯାଇଥିବାରୁ ମୃତକଙ୍କୁ ଚିହ୍ନଟ କରାଯାଇପାରିନାହିଁ। ଆଖପାଖ ଥାନାକୁ ଖବର ଦେଇ ପୁଲିସ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖିଛି। ପ୍ରାଥମିକ ତଦନ୍ତରୁ ମହିଳାଙ୍କର ମୃତ୍ୟୁ କାରଣ ସଂପର୍କରେ ପୁଲିସ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନାହିଁ। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଥିବାରୁ ପୁଲିସ ଏହାକୁ ଅସ୍ୱୀକାର ବି କରିନାହିଁ। ଏ ନେଇ ଆଜି ବାମେବାରୀ ଥାନା କେସ୍‌ ନଂବର ୫/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ମହିଳାଙ୍କ ମୃତ୍ୟୁ କାରଣ ଜଣାପଡିବ ଏବଂ ସେହି ଅନୁସାରେ ପୁଲିସ ତଦନ୍ତ କରିବ ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର