ଆନନ୍ଦପୁର: କେଉଁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଭାଣ୍ଡରିଦିହା ପଞ୍ଚାୟତର ତୋରାଣିଆପାଳ ବସନ୍ତପୁରା ବିଦ୍ୟାଳୟ ପରିସରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାମ ବାସନ୍ତୀ ଜେନା ଓ ତାଙ୍କ ଘର ତୋରାଣିଆପାଳରେ ବୋଲି ଜଣାଯାଇଛି। ଘଷିପୁରା ପୁଲିସର ତଦନ୍ତ ଆରମ୍ଭ କରିଛି।
ବାସନ୍ତୀ ଜେନାଙ୍କ ବୟସ ୪୫ ବର୍ଷ ବୋଲି କୁହାଯାଉଛି। ବସନ୍ତପୁରା ବିଦ୍ୟାଳୟ ପରିସରରେ ବାସନ୍ତୀ ଜେନାଙ୍କ ଝୁଲନ୍ତା ଅବସ୍ଥାରେ ସକାଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଘଷିପୁରା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ ହତ୍ୟା ନେଇ ପରିବାର ଲୋକେ ସନ୍ଦେହ କରୁଥିବା ଅଭିଯୋଗ ହୋଇଛି।
ବାସନ୍ତୀଙ୍କର ଶବ ବିଦ୍ୟାଳୟର ଭୋଜନକେନ୍ଦ୍ରରେ ଝୁଲୁଥିବା ବେଳେ, ନିକଟରେ ତାଙ୍କ ଛତା ଓ ଚପଲ ରଖାଯାଇଥିଲା। ବାସନ୍ତୀଙ୍କର ପରିବାର ଲୋକଙ୍କର ସୂଚନା ଅନୁଯାୟୀ, ବାସନ୍ତୀ ଗତ ୧୩ ବର୍ଷ ପୂର୍ବେ ବସନ୍ତପୁରା ଗାଁର ଅଶୋକ ଜେନାଙ୍କ ସହ ଅନ୍ୟତ୍ର ରହୁଥିଲେ। ସେବେଠାରୁ ବାସନ୍ତୀଙ୍କର କୌଣସି ଖୋଜଖବର ନଥିବା ବେଳେ, ଆଜି ହଠାତ୍ ସ୍କୁଲ୍ ପରିସରରୁ ତାଙ୍କର ମୃତଦେହ ମିଳିବା କାରଣରୁ ବାସନ୍ତୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Keojhar-police-station.jpg)