୩୦ ଫୁଟ ଗଭୀର କୂଅରେ ପଡ଼ିଗଲେ ମହିଳା, ସାରା ରାତି ରହିବା ପରେ ଉଦ୍ଧାର ହେଲେ

ହରିଚନ୍ଦନପୁର : ଗତକାଲି ରାତି ଅନ୍ଧାର ଓ ବର୍ଷା, ପବନରେ ଚାଲି କରି ଯାଉଥିବା ଜଣେ ମହିଳା ଏକ ୩୦ ଫୁଟ ଗଭୀର ପରିତ୍ୟକ୍ତ ଶୁଖିଲା କୂଅରେ ପଡ଼ିିଯାଇଥିଲେ। ରାତି ୭ଟାରୁ ସେ କୂଅରେ ପଡିଥିିଲେ ମଧ୍ୟ କାହାରି ସହାୟତା ପାଇନଥିଲେ। ରାତିସାରା କୂଅ ଭିତରେ ସେ କଟାଇଥିଲେ। ୧୨ ଘଣ୍ଟା ପରେ ଆଜି ସକାଳେ ସ୍ଥାନୀୟ ଲୋକ ଜାଣି ଖବର ଦେବା ପରେ ଦମକଳବାହିନୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ଗ୍ରାମର ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଶଗଡ଼ଗୋଡ଼ା ଗ୍ରାମର ସୀତା ହେମ୍ବ୍ରମ(୪୫) ନିଜ ଝିଅ ଘରକୁ ଯିବା ପାଇଁ ଗତକାଲି ସଂଧ୍ୟାରେ ଭଗାମୁଣ୍ଡାଠାରେ ବସ୍‌ରୁ ଓହ୍ଲାଇଥିଲେ। ସେତେବେଳେ ମେଘ ପବନ ମାଡ଼ି ଆସିବା ସହ ବିଜୁଳି ମାରୁଥିଲା। ସୀତା ସେହି ଅନ୍ଧାର ଭିତରେ ଝିଅ ଘରକୁ ତରତର ହୋଇ ଯାଉଥିବା ବେଳେ ୩୦ ଫୁଟ ଗଭୀର ଏକ ପରିତ୍ୟକ୍ତ ଶୁଖିଲା କୂଅ ଭିତରେ ପଡ଼ିିଯାଇଥିଲେ। ସେ କୂଅ ଭିତରେ ଥାଇ ପାଟି କରି ଡାକିଥିଲେ ମଧ୍ୟ କେହି ଜାଣି ପାରିନଥିଲେ। ରାତି ତମାମ ସେ ସେହି ପରିତ୍ୟକ୍ତ କୂଅ ଭିତରେ ପଡ଼ି ରହିଥିଲେ। ରାତି ପାହିବାରୁ ସେ ସହାୟତା ପାଇଁ ଚିତ୍କାର କରିଥିଲେ। ରାସ୍ତାରେ ଯାଉଥିବା ଲୋକେ ପାଟି ଶୁଣି କୂଅ ନିକଟକୁ ଯାଇଥିଲେ।

କୂଅ ଭିତରେ ଜଣେ ମହିଳା ପଡ଼ିଥିବା ଦେଖି ହରିଚନ୍ଦନପୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ସୀତାଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। କୂଅ ଭିତରେ ମହିଳା ଜଣକ ପଡ଼ି ଯାଇଥିଲେ ମଧ୍ୟ ତାଙ୍କ ଦେହରେ କୌଣସି କ୍ଷତ ହୋଇନଥିବା ଓ ୧୨ ଘଣ୍ଟା କୂଅ ଭିତରେ କାଟିଥିଲେ ମଧ୍ୟ ସେ ସୁସ୍ଥ ଥିବା ଡାକ୍ତର ରାଜେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର