ମହିଳାଙ୍କଠାରୁ ଠକେଇ:ଏଜେଣ୍ଟ ଗିରଫ

ଯୋଡ଼ା: ଯୋଡ଼ା ଥାନା ବିଲେଇପଦା ଫାଣ୍ତି ଅଧୀନ ଗୋବର୍ଦ୍ଧନପୁର ଗ୍ରାମରେ ଜଣେ ମହିଳାଙ୍କଠାରୁ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ହରିଶ ମୁଣ୍ତା। ତା’ ଘର ଚମ୍ପୁଆ ଥାନା ରିମୁଳି ନିକଟ ଦୁଦ୍‌କୁଣ୍ତି ଗ୍ରାମରେ। ସେ ସେପ୍‌ ସଫ୍‌ର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ପୁଲିସ କହିଛି।
ପୁଲିସ ସୂଚନା ଅନୁଯାୟୀ ଗିରଫ ହରିଶ ସେହି ଗ୍ରାମର ମାନ୍ଦଇ ମୁଣ୍ତାଙ୍କୁ ପ୍ରଲୋଭନ ଦେଖାଇ ୩୦ ହଜାର ଟଙ୍କା ନେଇଥିଲେ। ସେପ ସଫ୍‌ରେ ଏହି ଟଙ୍କା ଜମା କରି ୩ ଟି ଆଇଡି ଖୋଲିଲେ ମାସିକ ୫ ହଜାର ଟଙ୍କା ମିଳିବ ବୋଲି କହିଥିଲେ। ଦେଢ଼ବର୍ଷ ମଧ୍ୟରେ ମାନ୍ଦଇ ମୁଣ୍ତାଙ୍କ ବ୍ୟାଙ୍କ ଖାତାକୁ ମାତ୍ର ୨୬୦ ଟଙ୍କା ସେ ସଫ୍‌ ପକ୍ଷରୁ ଆସିଥିଲା। ଏଥିରେ ସନ୍ଦେହ କରି ମାନ୍ଦଇ ଟଙ୍କା ଫେରାଇବାକୁ ଏଜେଣ୍ଟ ହରିଶକୁ କହିଥିଲେ। ସେ ଟଙ୍କା ନ ଦେଇ ଓଲଟା ଗାଳିଗୁଲଜ କରିବା ସହ ଧମକ ଦେବାରୁ ମାନ୍ଦଇ ଏନେଇ ବିଲେଇପଦା ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ। ଏହାର ତଦନ୍ତ ଆରମ୍ଭ କରି ସେହି ଗ୍ରାମର କଲେଇ ମୁଣ୍ତାଙ୍କଠାରୁ ମଧ୍ୟ ହରିଶ ୫ ହଜାର ଟଙ୍କା ନେଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହି ଠକେଇ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବିଲେଇପଦା ଫାଣ୍ତି ଅଧିକାରୀ ରଞ୍ଜନ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର