ହାଟଡିହି: କେନ୍ଦୁଝର ଜିଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି।  ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ।

Advertisment

ମଙ୍ଗଳବାର ରାତିରୁ  କେହି ଦୁର୍ବୁତ୍ତ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ। ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ମୟୂରନଚା ଗ୍ରାମରେ ରହୁଥିଲେ। ବୁଧବାର ଗାଁ ଲୋକ ଯାଇଥିବାବେଳେ ଘରେ କେହି ଲୋକ ନଥିଲେ। ଗ୍ରାମରକ୍ଷୀଙ୍କ ନାମଧରି ଡାକିଥିଲେ ବି କେହି ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ। ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହିତ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୁଲିସ ଶବକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି। ହତ୍ୟାର କାରଣ ଅସ୍ପଷ୍ଟ ଅଛି।