କେନ୍ଦୁଝର,: ଖରା ନଆସୁଣୁ ଜଳ ସଂକଟ। ଆଗକୁ ଜଳ ସମସ୍ୟା ଭୟଙ୍କର ହେବାର ସଙ୍କେତ ମିଳିଲାଣି। ପାଣି ପାଇଁ କେନ୍ଦୁଝର ସହର ଉପକଣ୍ଠ ନରଣପୁର ପଞ୍ଚାୟତ ହଳଦିଆଟାଙ୍ଗିରୀ ଗ୍ରାମର ମହିଳାମାନେ ରାସ୍ତାରୋକ କରିଛନ୍ତି। ଆଜି ମହିଳାମାନେ ପାଣି ପାଇଁ ଦୀର୍ଘ ତିନିଘଣ୍ଟା ଧରି କେନ୍ଦୁଝର-ଭୁବନେଶ୍ବର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ହାଣ୍ଡି, ଗରା, ମାଠିଆ, କଳସ ଧରି ପିଲାଛୁଆଙ୍କ ସହ ରାସ୍ତାରେ ବସି ରହିଥିଲେ।
ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ସଦର ବ୍ଲକ ଭାରପ୍ରାପ୍ତ ବିଡିଓ ଭାଗବତ ନାଏକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ। ହେଲେ ସେମାନେ କାହାରି କଥା ଶୁଣିନଥିଲେ। ବହୁ ସମୟ ଧରି ରାସ୍ତାରୋକ ହେବା ପରେ ଶ୍ରୀ ନାଏକ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ମହିଳାମାନେ ରସ୍ତାରୁ ହଟିଥିଲେ। ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପ୍ରଶାସନ ପ୍ରତିଶ୍ରୁତି ପାଳନରେ ଖିଲାପ ହେଲେ ପୁଣି ରାସ୍ତାରୋକ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ପାଣି ପାଇଁ ମହିଳାଙ୍କ ରାସ୍ତାରୋକ
/sambad/media/post_attachments/wp-content/uploads/2019/03/keo12.jpg)
/sambad/media/agency_attachments/2024-07-24t043029592z-sambad-original.webp)
