ସହରରେ କିରାସିନିର ବିଚିତ୍ର ବିକ୍ରି: କେଉଁଠି ଲିଟର ୪୦ ତ ପୁଣି କେଉଁଠି ୨୦ ଟଙ୍କା

ବିକ୍ରି ନ ହୋଇ ପଡିଛି ୧୨ ହଜାର ଲିଟର କିରାସିନି

ରାଉରକେଲା: ମହାମାରୀ କରୋନା ଲକ୍‌ଡାଉନ୍‌ରେ ଗରିବ ହିତାଧିକାରୀଙ୍କୁ ସରକାର ଏକକାଳୀନ ୩ ମାସର ଚାଉଳ, ଗହମ ଏବଂ କିରାସିନି ଯୋଗାଇ ଦେଇଛନ୍ତି। ଏଥିସହ କେନ୍ଦ୍ର ସରକାର ମାଗଣାରେ ମୁଣ୍ଡ ପିଛା ମାସିକ ୫ କେଜି ଚାଉଳ ଓ କାର୍ଡ ପିଛା କେଜିଏ ଡାଲି ମଧ୍ୟ ଦେଇଛନ୍ତି। ହିତାଧିକାରୀମାନେ ଚାଉଳ, ଗହମ ଓ ଡାଲି ପାଇ ସାରିଥିବାବେଳେ ଏଯାଏଁ ମିଳିନି ତିନି ମାସର କିରାସିନି। ସେପଟେ ଲିଟର ପିଛା ଧାର୍ଯ୍ୟ ଦର ତାଳ ମେଳ ନଥିବାରୁ ଅଧିକାଂଶ ହିତାଧିକାରୀ କିରାସିନି କିଣିବାକୁ ଅମଙ୍ଗ ହେଉଛନ୍ତି। କିଛି ହିତାଧିକାରୀ କାହିଁକି କେଉଁଠି ୪୦ ଟଙ୍କା ତ ପୁଣି ୩୦ ଓ ୨୦ ଟଙ୍କାରେ ବିକ୍ରି ‌ହେଉଛି ବୋଲି ରିଟେଲରଙ୍କୁ ଗୋଡେଇ ତୋଡେଇ ପ୍ରଶ୍ନ କରୁଛନ୍ତି।

ରିଟେଲରମାନେ ସେମାନଙ୍କୁ କିଛି ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଚୁପ୍‌ ରହୁଛନ୍ତି। ବଡ ବଡିଆ ବାବୁ ଓ ରାଜନୈତିକ ଦଳର ନେତାଙ୍କ ଭିତିର ସଲାସୁତୂରା ଯୋଗୁଁ ସାଧାରଣ ଖାଉଟିଙ୍କୁ ଏଭଳି ଚଢ଼ା ଦରରେ କିଣିବାକୁ ପଡୁଥିବା ଅଭିଯୋଗ ହେଉଛି। ଚଢ଼ା ଦର ଯୋଗୁଁ ଏପ୍ରିଲ ଓ ମଇ ମାସର କିରାସିନି ଅଦ୍ୟାବଧି କିଛି ରିଟେଲର ବାଣ୍ଟି ପାରି ନାହାନ୍ତି। ସେମିତି ସାଧାରଣ ଲୋକଙ୍କ ପାଇଁ ଆସିଥିବା ୧୨ ହଜାର ଲିଟର କିରାସିନି ବିକ୍ରି ନ ହୋଇ ପଡି ପଡିଛି। ସେପଟେ ମେ ଓ ଜୁନ୍‌ ମାସରେ ଆସିଥିବା କୋଟାର ଲିଟର ପିଛା ଦର ୧୬ରୁ ୧୭ ଟଙ୍କା ରହିଛି। ଲିଟର ପିଛା ଦରର ଏଭଳି ତାରତମ୍ୟ ଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି।

ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଅନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ହୋଲ୍‌ସେଲ୍‌ ବେପାରୀଙ୍କୁ ଦୁଇ ମାସ କୋଟରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି। ସରକାର ସେମାନଙ୍କ କ୍ଷତି ଭରଣା କରିବେ କି ନାହିଁ କିଛି ସ୍ପଷ୍ଟ ହୋଇ ନାହିଁ। ସହକାରୀ ଯୋଗାଣ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଉରକେଲାରେ ମୋଟ ୬୭ ହଜାର ୯୭୧ଙ୍କୁ ରାସନ କାର୍ଡ ମିଳିଛି। କାର୍ଡ ପିଛା ୧ ଲିଟର ୮୦୦ ମିଲିଟର କରି ମାସକୁ ୧ ଲକ୍ଷ ୨୪ ହଜାର ୩୬୯.୯୫୦ ଲିଟର କିରାସିନି ବଣ୍ଟନ ହେଉଛି। ସହରର ମୋଟ ୧୬୮ ରିଟେଲର ଖାଉଟି ସାମଗ୍ରୀ ବଣ୍ଟନ କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୩୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ।

ଚାରି ହୋଲସେଲର ଓରାମପଡାର ମିଞ୍ଜ ଏଜେନ୍ସି, ଏସ୍‌ଟିଆଇ ଛକର ପର୍‌ସିସ୍‌ ଏଜେନ୍ସି, ବେଦବ୍ୟାସ ଝାରତରଙ୍ଗର ନେହା ଏଜେନ୍ସି, ବେଦବ୍ୟାସର ହରିରାମ୍‌ ଆଣ୍ଡ ସନ୍ସ କିରାସିନି ରିଟେଲରମାନଙ୍କୁ ଯୋଗାଣ କରୁଛନ୍ତି। ମିଞ୍ଜ, ନେହା ଓ ହରିରାମ୍‌ ଝାରସୁଗୁଡା, ପରସିସ୍‌ ପାରାଦୀପ ଡିପୋରୁ କିରାସିନି ଆଣିଥାନ୍ତି। ମାର୍ଚ୍ଚ ମାସରେ ପାରାଦୀପରୁ ଆସୁଥିବା କିରାସିନି ଲିଟର ପିଛା ଦର ୩୭ ଟଙ୍କା ୧୪ ପଇସା ରହିଥିଲା। ଝାରସୁଗୁଡା ଦର ଲିଟର ପିଛା ୩୫ ଟଙ୍କା ୫୮ ପଇସା ରହିଥିଲା। ମେ ମାସରେ ଏହି ଦର ହ୍ରାସ ‌ହୋଇଥିଲା। ଝାରସୁଗୁଡାରୁ ଆସିଥିବା କିରାସିନି ଲିଟର ପିଛା ୧୫ ଟଙ୍କା ୨୬ ପଇସା ଥିଲାବେଳେ ପାରାଦୀପରୁ ଆସିଥିବା କିରାସିନି ୧୫ ଟଙ୍କା ୮୨ ପଇସା ରହିଛି।

ସମ୍ବନ୍ଧିତ ଖବର