ବ୍ୟାସନଗର: ଶିକ୍ଷାର ପଦ୍ଧତି ବଦଳିଛି। ଶିକ୍ଷାର ମାନ ବି ପରିବର୍ତ୍ତନ ହୋଇଛି। ଶିକ୍ଷାର ଆବଶ୍ୟକତା ଏବେ ବାଧ୍ୟବାଧକତାରେ ପରିଣତ ହୋଇଛି। କାରଣ ଶିକ୍ଷା ଏବେ ବ୍ୟବସାୟ ସାଜିଛି। ସେଥିପାଇଁ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ବଦଳରେ ନମ୍ବର ମୁଁହା କରିଦିଆଯାଉଛି। ଭବିଷ୍ୟତ ପାଇଁ ଯୋଗ୍ୟତା ଜରୁରୀ। କିନ୍ତୁ ଦକ୍ଷତା ନଥିଲେ ଯୋଗ୍ୟତା ଆପେ ଆପେ ଲୁଚିଯିବ। ତେଣୁ ୯୦% ମାର୍କ୍ ରଖିବାକୁ ଛାତ୍ରଛାତ୍ରୀ ଆଗେଇବା ବେଳେ ନିଜର ଭିତରେ ଲୁଚି ରହିଥିବା ଦକ୍ଷତାକୁ ମଧ୍ୟ ପରିପ୍ରକାଶ କରାଇବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।
କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ (କେଜିଆଇ)ପକ୍ଷରୁ ବ୍ୟାସନଗର ସଂସ୍କୃତି ଭବନ ପରିସରରେ ଆୟୋଜିତ ପ୍ରଥମ ଏଜୁକେସନ୍ କନକ୍ଲେଭରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାମ୍ବାଦିକ, ଉଦ୍ୟୋଗପତି ଯୋଗଦେଇ ୯୦% ମାର୍କ୍ ମୁଁହା ଶିକ୍ଷା ପରିବେଶ ସାମାଜିକ ବିଦ୍ଧିବ୍ୟବସ୍ଥା ପ୍ରତି ଅନୁକୂଳ କି ନୁହେଁ ତାହା ଉପରେ ଆଲୋଚନା କରିଥିଲେ। ପ୍ରାୟ ତିନୋଟି ପର୍ଯ୍ୟାୟରେ ହୋଇଥିବା ଏହି ଆଲୋଚନାର ମୁଖ୍ୟ ବିଷୟ ଭାବେ ' ସଫଳତାର ଚାବିକାଠି କ'ଣ ୯୦% ମାର୍କ'କୁ ନିଆଯାଇଥିଲା। କନକ୍ଲେଭକୁ କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ୍ ଉଦଘାଟନ କରିଥିଲେ। ଆଲୋଚନାରେ ଭାଗ ନେବାପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ୍ ସଂସ୍କୃତି ଭବନରେ ଭରିଯାଇଥିଲେ। ପ୍ରଥମ ସୋପାନରେ ଆଲୋଚକ ଭାବେ ରଗଡି ସରକାରୀ ପଲିଟେକନିକର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର୍ ପୃଷ୍ଟି, କୋରେଇ କାହ୍ନୁଚରଣ ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ଖୁଣ୍ଟିଆ, ଝାଡେଶ୍ଵର ମହାବିଦ୍ୟାଳୟର ଅଧ୍ୟାପକ ଡ. ଅକ୍ଷୟ କୁମାର ପଣ୍ଡା, ଆକାଶ ଇନଷ୍ଟିଚ୍ୟୁଟର ପୁର୍ବତନ ଅଧ୍ୟାପକ ପ୍ରକାଶ କୁମାର ପାଇଟାଳଙ୍କ ସମେତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ରସାୟନ ବିଜ୍ଞାନର ଅଧ୍ୟାପକ ଶ୍ରୀ ଗୋବର୍ଦ୍ଧନ ଶେଖର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଶତ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ପ୍ରତିପାଦିତ କରେନାହିଁ।୯୦% ମାର୍କ୍ ଛାତ୍ରଛାତ୍ରୀଙ୍କୁ ଆଡମିସନ କ୍ଷେତ୍ରରେ ସହାୟକ ହୋଇଥାଏ କିନ୍ତୁ ସାମର୍ଥ୍ୟରେ ଏହା କେବେବି ମାପକାଠି ନୁହେଁ ବୋଲି କହିଥିଲେ।
/sambad/media/post_attachments/wp-content/uploads/2023/06/WhatsApp-Image-2023-06-13-at-11.22.11-e1686752078634.jpeg)
ଦ୍ୱିତୀୟ ସୋପାନରେ ଉଦ୍ୟୋଗପତି ନୃସିଂହ ନାଥ ନନ୍ଦ, ନିବେଦିତା ନାୟକ, ରାମ କିଙ୍କର ମିଶ୍ର, ସିଦ୍ଧାର୍ଥ ଭଟ୍ଟର ପ୍ରମୁଖ ଯୋଗଦେଇ ଚାକିରି କରିବାକୁ ପାଠ ପଢିବା ବଦଳରେ ଚାକିରି ଦେବାକୁ ପାଠ ପଢିବା ଉଚିତ୍ ବୋଲି ମତ ଦେଇଥିଲେ। ଚାକିରି ଦେବାପାଇଁ ଦକ୍ଷତା ଦରକାର। ଦକ୍ଷତା ଆଗରେ ୯୦% ମାର୍କର ଆବଶ୍ୟକତା ଫିକାପଡିଯାଏ। ତେଣୁ ୯୦% ମାର୍କ ମୁହାଁ ହୋଇ ନିଜର ଦକ୍ଷତାକୁ ପଛରେ ଛାଡିଦେଲେ କ୍ୟାରିୟର ଗଢିବା କଷ୍ଟକର ହୋଇପଡିବ। ଭାରତବର୍ଷରେ ଜଣେ ଉଦ୍ୟୋଗପତି ହେବାପାଇଁ ସମାନ ସୁଯୋଗ୍ ରହିଛି। ଯେଉଁମାନେ ସୁଯୋଗର ସଦୁପଯୋଗ କରିବେ ସେମାନେ ସଫଳ ହେବେ ବୋଲି ମତ ଦେଇଥିଲେ। କେଜିଆଇ ଅଧ୍ୟକ୍ଷ ଇଂ ଶ୍ରୀ ଦାସଙ୍କ ପରିଚାଳନାରେ ତୃତୀୟ ସୋପାନ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ନାରାୟଣ ପ୍ରସାଦ ଦାସ, ସମରେନ୍ଦ୍ର ସାହୁ, ଯାଜପୁରର ବିଡିଓ ସୌରଭ ଚକ୍ରବର୍ତ୍ତୀ ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଯୋଗଦେଇଥିଲେ। ଆଧୁନିକତାର ପରିବେଶ ଭିତରେ ଶିକ୍ଷାର ମୌଳିକ ଆବଶ୍ୟକତା ମଳିନ ପଡି଼ଯାଉଛି। ଇଞ୍ଜିନିୟର ଏବଂ ଡାକ୍ତର ହେବାପାଇଁ ଅଭିଭାବକ ଛାତ୍ରଛାତ୍ରୀଙ୍କୁ ବାଧ୍ୟକରିଦେଉଛନ୍ତି।ଛାତ୍ରଛାତ୍ରୀଙ୍କ ଭିତରେ ଲୁଚିଥିବା ଟ୍ୟାଲେଣ୍ଟ୍ କୁ ଏଡାଇ ମାର୍କ୍ ପଛରେ ଗୋଡାଇବାକୁ ପ୍ରବର୍ତ୍ତା ଯାଉଛି ଯାହା ଆଗାମୀ ଦିନରେ ସମାଜ ପାଇଁ ଏକ ବିପଦ ଆଣିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଛାତ୍ରଛାତ୍ରୀ ୯୦% ମାର୍କ୍ ରଖିବାକୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ତାଙ୍କ ଭିତରେ ରହିଥିବା ଦକ୍ଷତାକୁ ଶାଣିତ କରିବାର ଦାୟିତ୍ଵକୁ ଅବିଭାବକ ଭୁଲିଯାଉଛନ୍ତି। ଏପରିକି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଚିହ୍ନିବା ବଦଳରେ ସେମାନଙ୍କୁ ବହିଭିତରେ ସୀମିତ ରଖିବାକୁ ପ୍ରୟାସ କରିବା କେବଳ ଶିକ୍ଷାର ବ୍ୟବସାୟୀକରଣ ବୋଲି ଆଲୋଚକମାନେ କହିଥିଲେ।
ଏହି ଅବସରରେ କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲର +୨ ବିଜ୍ଞାନ ଟପ୍ପର ବିଜୟ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସଙ୍ଗେସଙ୍ଗେ ଯେଉଁମାନେ ଦଶମ ମାର୍କ ଅପେକ୍ଷା +୨ ରେ ଅଧିକ ପ୍ରତିଶତ ମାର୍କ ରଖିଛନ୍ତି ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସମାଜସେବାରେ ନିୟୋଜିତ କେନ୍ଦୁଝର ଜୟ ଦୁର୍ଗା ଫାଉଣ୍ଡେସନ, ମାନବ ସେବା ସମିତି, ଉତ୍ସର୍ଗ ଯାଜପୁର ହେଲ୍ପ ଲାଇନ, ବିଜୟା ଆଦର୍ଶ ଫାଉଣ୍ଡେସନ, ଚକାଡୋଳା ହେଲ୍ପ ଲାଇନ, ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ ଆଦି ସଂଗଠନ ଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/WhatsApp-Image-2023-06-13-at-11.22.10.jpeg)