ଖରସ୍ରୋତା ଆନ୍ଦୋଳନ, ବଳଦେଲେ ବିରୋଧୀ

ରାଜକନିକା/ଆଳି: ରାଜକନିକାର ଖରସ୍ରୋତା ଠାରେ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ଗୋଟିଏପଟେ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ରାଜନୈତିକ ଦଳ ଗୁଡ଼ିକ ପ୍ରକଳ୍ପସ୍ଥଳ ଅନୁଧ୍ୟାନ କରିବା ଖରସ୍ରୋତା ଆନ୍ଦୋଳନକୁ ତୀବ୍ର କରିଛି। ଆଜି ବିରୋଧୀ ବିଜେପି ଓ କଂଗ୍ରେସର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ଆନ୍ଦୋଳନରେ ବସିଥିବା ଖରସ୍ରୋତା ବଂଚାଅ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ସେପଟେ ମିଳିତ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୁଲିସ ପ୍ରଶସାନର ଦମନଲୀଳାକୁ ବିରୋଧ କରିଛନ୍ତି। ଆଜି ମଧ୍ୟାହ୍ନରେ ପ୍ରଥମେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ରାଜ୍ୟ ମହିଳା ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ, ଉପ ସଭାନେତ୍ରୀ ପ୍ରଭାତି ପରିଡ଼ା, ସମ୍ପାଦିକା ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ସମ୍ପାଦିକା ପିଙ୍କି ପ୍ରଧାନ, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ଦୁର୍ଯ୍ୟୋଧନ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ବିଷ୍ଣୁ ଦାସ, ଜିଲ୍ଲା ପ୍ରଭାରୀ ଯତୀନ୍ ମହାନ୍ତି, ଜିଲ୍ଲା ସଭାପତି କିଶୋର ପଣ୍ତା, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ବ୍ରଜସୁନ୍ଦର ଭୂୟାଁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ଯୁବମୋର୍ଚ୍ଚା ସଭାପତି ବିନ୍ଦୁ ସାଗର ଦାସ, ସାଧାରଣ ସମ୍ପାଦକ ଶଶାଙ୍କ ସେଖର ସେଠୀ ପ୍ରମୁଖ ବରୁଣାଡିହା ଛକ ଠାରେ ପହଞ୍ଚି ନିର୍ମାଣାଧୀନ ପାନୀୟଜଳ ପ୍ରକଳ୍ପ ସ୍ଥାନକୁ ଯିବାକୁ ଚାହିଁ ଥିଲେ।

ମାତ୍ର ପୁଲିସ୍‌ ତାହାକୁ ବାରଣ କରିଥିଲା। ପ୍ରାୟ ୧୦ ମିନିଟରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା କରିବା ପରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅନୁମତି କ୍ରମେ ପୁଲିସ ପ୍ରତିନିଧି ଦଳକୁ ଛାଡ଼ିଥିଲା। ଭିତରକୁ ଯାଇ ପ୍ରତିନିଧି ଦଳ ପ୍ରକଳ୍ପ ବିଷୟରେ କଂପାନି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ସହିତ ପ୍ରକଳ୍ପ ଫଳକ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେଠାରୁ ଫେରି ଅଚ୍ୟୁତପୁର ଠାରେ ଧାରଣାରେ ବସିଥିବା ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ପ୍ରସଙ୍ଗରେ ସାଧାରଣ ସଂପାଦକ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଭଦ୍ରକ ଜିଲ୍ଲାକୁ ଅନେକ ବିକଳ୍ପ ଥିବା ସତ୍ତ୍ବେ ଭୂତଳ ଜଳ ସଂକଟରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାରୁ କାହିଁକି ପାଣି ନିଆଯାଉଛି ତାହା ବୁଝି ହେଉନାହିଁ। ଏହାଦ୍ବାରା ସ୍ଥାନୀୟ ‌ଲୋକଙ୍କ ଜୀବନ-ଜୀବିକା ଏବଂ ବିଶ୍ବପ୍ରସିଦ୍ଧ ଭିତରକନିକା ଜୈବ ବିବିଧତା ବିପନ୍ନ ହେବାର ଆଶଙ୍କା ଥିବା ଶ୍ରୀ ହରିଚନ୍ଦନ କହିବା ସହିତ ପ୍ରଶାସନର ଦମନ ନୀତି ବିରୋଧରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି | ପରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ମୁଖପାତ୍ର ଜ୍ଞାନଦେବ ବେହୁରା, ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ମୁଖପାତ୍ର ଅମୀୟ ପାଣ୍ତବ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜିଲ୍ଲା ଉପ–ସଭାପତି ପ୍ରଫୁଲ୍ଲ ଦାସ ପ୍ରମୁଖଙ୍କୁ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ପ୍ରକଳ୍ପ ସ୍ଥଳକୁ ଯାଇ ବିଭାଗୀୟ ଯନ୍ତ୍ରୀ ଲଳିତ ମୋହନ ମହାନ୍ତିଙ୍କ ଠାରୁ ପ୍ରକଳ୍ପ ସମ୍ବନ୍ଧୀୟ କାଗଜପତ୍ର ଦେଖିଥିଲେ।

ଏଥିରେ ଖରସ୍ରୋତା ନଦୀରେ କେଉଁ ସ୍ଥାନରେ ପ୍ରକଳ୍ପ ହେବ ବୋଲି ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନ ଥିବାରୁ ରାଜକନିକାର ଭାରିଗଦା ଠାରେ କାହିଁକି ପ୍ରକଳ୍ପ କରାଗଲା ବୋଲି ପ୍ରଶ୍ନ କରିବା ସହିତ ପ୍ରକଳ୍ପ ସମ୍ବନ୍ଧୀୟ ସୂଚନା ଫଳକ ମରାଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କୁ ଭେଟିବା ସହିତ ପୁଲିସର ଦମନଲୀଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ କାନୁନ୍‌ଗୋ କହିଛନ୍ତି ଯେ  ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା ନ କରି ତରବରିଆ ଭାବେ ପ୍ରକଳ୍ପ କାର୍ଯ୍ୟ ବଳପୂର୍ବକ କରାଇନେବା ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଧରାପକାଇ ଦେଉଛି। ଆଜି ଗାନ୍ଧିବାଦୀ ନେତ୍ରୀ ତଥା ସାମାଜିକ କର୍ମୀ କ୍ରିଷ୍ଣା ମହାନ୍ତି ମଧ୍ୟ ସେଠାରେ ପହଞ୍ଚି ଆନ୍ଦୋଳକାରୀଙ୍କୁ ସମର୍ଥନ ଜଣାଇବା ସହିତ ଏହି ଆନ୍ଦୋଳନ ସହ ଶେଷ ପର୍ଯ୍ୟନ୍ତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରକଳ୍ପ ବିରୋଧରେ ଆଜି ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର