ଖରସ୍ରୋତା ଜଳବିବାଦ: ପ୍ରକଳ୍ପ କ୍ଷେତ୍ରରେ ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ

ପୁଲିସ କର୍ଡନ, ୧୪୪ ଭାଙ୍ଗି ଆକ୍ରମଣ, ଭାଙ୍ଗିଲେ ଗାଡି, ଟ୍ୟାଙ୍କର, ଆମ୍ବୁଲାନ୍ସ, ନଦୀକୁ ଫିଙ୍ଗିଲେ ଯନ୍ତ୍ରାଂଶ

ଆଳି: ଖରସ୍ରୋତା ମେଗାପାନୀୟ ଜଳପ୍ରକଳ୍ପ ନିର୍ମାଣ ସ୍ଥଳୀକୁ ଆଜି ଭାଙ୍ଗିରୁଜି ଛାରଖାର କରିଦେଇଛନ୍ତି ପ୍ରକଳ୍ପ ବିରୋଧୀ ଆନ୍ଦୋଳନକାରୀ। ପୁଲିସ କର୍ଡନ, ବ୍ୟାରିକେଡ୍‌ ଓ ୧୪୪ ଧାରା ଭଙ୍ଗକରି ଆନ୍ଦୋଳନକାରୀ ମାନେ ଲଙ୍କାକାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣ, ଢେଲାମାଡରେ ପୁଲିସ ବାହିନୀ ଛତ୍ରଭଙ୍ଗ ଦେଇଥିଲେ। ହଜାରହଜାର ସଂଖ୍ୟାରେ ମହିଳା, ପୁରୁଷ, ଏପରିକି ପିଲାଛୁଆ ନିର୍ମାଣ ସ୍ଥଳୀକୁ ଧସେଇ ପଶି ନାହିଁ ନଥିବା କାଣ୍ଡ କରିଥିଲେ। ପାନୀୟ ଜଳ ପ୍ରକଳ୍ପ ନିର୍ମାଣକ୍ଷେତ୍ରରେ ଥିବା କମ୍ପାନୀର ଗାଡି, ଆମ୍ବୁଲାନ୍ସ, ପାଣି ଟ୍ୟାଙ୍କର, ଡିଜେଲ ଟ୍ୟାଙ୍କର ଗୁଡିକୁ ଭାଙ୍ଗି ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଗୁଡିକୁ ଫିଙ୍ଗି ଦେଇଥିଲେ ନଦୀଗର୍ଭକୁ। ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡରେ ପ୍ରକଳ୍ପ ନିର୍ମାଣସ୍ଥଳୀ ଧ୍ବସ୍ତବିଧ୍ବସ୍ତ ହୋଇପଡିଥିବା ବେଳେ ପ୍ରକଳ୍ପ କ୍ଷେତ୍ରଠୁ ଖରସ୍ରୋତା ଉପକଣ୍ଠସ୍ଥ ଗାଁ ଯାଏଁ ଏନେଇ ଉତ୍ତେଜନା ଲାଗିରହିଛି। ୨୦୧୯ ଅକ୍ଟୋବର ୮ ଠାରୁ ମେଗାପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ମଙ୍ଗଳବାର ଠୁ ପ୍ରକଳ୍ପ କାମ ଆରମ୍ଭ ସହିତ ଆନ୍ଦୋଳନକାରୀଙ୍କୁ ଗିରଫଦାରୀ ପରେ ଭଦ୍ରକ ଜିଲ୍ଲାକୁ ପାଣି ନଦେବା ଯିଦ୍‌କୁ ସଂଗ୍ରାମ ସମିତି ଆହୁରି ଜୋରଦାର କରିଥିଲା। ବୁଧବାର ଆନ୍ଦୋଳନ ସ୍ଥଗିତ ରଖି ସଂଗ୍ରାମ ସମିତି ଶକ୍ତରଣନୀତି ପ୍ରସ୍ତୁତ କରିଥିଲା। ଆଜିପାଇଁ ମହାସଂଗ୍ରାମର ଡାକରା ଦିଆଯାଇଥିଲା।

Sambad

ସକାଳୁସକାଳୁ ଆନ୍ଦୋଳନକାରୀ ମାନେ ଅଚ୍ୟୁତପୁର ଛକରେ ପହଞ୍ଚି ଯାଇଥିଲେ। ଆଳି, କନିକାର ଗାଁଗାଁରୁ ଲୋକ ଆସି ସଂଗ୍ରାମ ସମିତି ନେତୃତ୍ବରେ ସଜବାଜ ହେଉଥିବାବେଳେ ଜିଲ୍ଲାର ସବୁ ତହସିଲଦାର, ବିଡିଓ, ଉପଜିଲ୍ଲାପାଳ, ପୁଲିସ ଅଧିକାରୀ ଆନ୍ଦୋଳନ ନିୟନ୍ତ୍ରଣ ପାଇଁ ବରୁଣାଡିହା-ଭାରିଗଦା ଛକରେ ସସସ୍ତ୍ର ପୁଲିସ ଫଉଜ ସହ ଡେରା ପକାଇଥିଲେ। ଅଚ୍ୟୁତପୁର ପଟରୁ ହଠାତ ମାଡି ଆସିଲେ ଶହଶହ ମହିଳା, ପୁରୁଷ ଆନ୍ଦୋଳନକାରୀ। ସକାଳ ଠିକ୍ ୧୦ ଟା ୨୮ ମିନିଟରେ ପୁଲିସ ସହିତ ଭାରିଗଦା-ବରୁଣାଡିହା ଛକରେ ହେଲା ମୁହାଁମୁହିଁ। ଏପଟେ ବରୁଣାଡିହା ପଟୁ ମାଡି ଆସିଲେ ଆନ୍ଦୋଳନକାରୀ। ଉଭୟ ପଟରୁ ଆନ୍ଦୋଳନକାରୀ ମାନେ ପୁଲିସ ବଳୟ ଭାଙ୍ଗି ପ୍ରକଳ୍ପ ନିର୍ମାଣ କ୍ଷେତ୍ରକୁ ମାଡିଯିବା ପାଇଁ ଉଦ୍ୟମ କଲେ। ପୁଲିସ ସହିତ ବଚସା, ଧସ୍ତାଧସ୍ତି ହେଲା। ପ୍ରଚଣ୍ଡ ଖରାରେ ରାଜରାସ୍ତାରେ ଦୀର୍ଘ ଏକଘଣ୍ଟା ୨୮ ମିନିଟ ନାରାବାଜି କରିବା ପରେ ୧୧ ଟା ୫୬ ମିନଟରେ ହଠାତ୍‌ ବରୁଣାଡିହା ପଟୁ ପ୍ରକଳ୍ପ କ୍ଷେତ୍ର ଆଡକୁ ଉଗ୍ରରୂପ ଧରି ମୁହାଁଇଥିଲେ ହଜାରହଜାର ମହିଳା, ପୁରୁଷ, ଶିଶୁ ଆନ୍ଦୋଳନକାରୀ। ପୁଲିସର ତିନି ଥାକିଆ ବ୍ୟାରିକେଡ୍‌ ଭାଙ୍ଗି ପ୍ରକଳ୍ପ କ୍ଷେତ୍ରରେ ରଚିଥିଲେ ଲଙ୍କାକାଣ୍ଡ।

ସମ୍ବନ୍ଧିତ ଖବର