ଆରମ୍ଭ ହେଲା ଖରିଫ ଋତୁ ପାଇଁ ଧାନମଣ୍ଡି

ପ୍ରଥମ ଦିନରେ ୪୫ଜଣ ଚାଷୀ ବିକ୍ରି କଲେ ୧୩୩୬ କ୍ୱିଂଟାଲ୍ ଧାନ

ଖୋର୍ଦ୍ଧା: ଖରିଫ ଋତୁ ପାଇଁ ସରକାରୀ ଧାନସଂଗ୍ରହ କାର୍ଯ୍ୟକ୍ରମ ଦୀର୍ଘ ୨୩ ଦିନ ପରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି । ଆଜି ବିଭିନ୍ନ ବ୍ଲକରେ ଜିଲ୍ଲାପାଳ ଓ ବିଧାୟକମାନେ ମଣ୍ଡିର ଉଦ୍ଘାଟନ କରିଛନ୍ତି ।

ମିଳିଥିବା ସୂଚନାନୁସାରେ, ଆଜି ଟାଙ୍ଗୀ ଠାରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ମଣ୍ଡିର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଖୋର୍ଦ୍ଧା ବ୍ଲକରେ ଖୋର୍ଦ୍ଧା ବିଧାୟକ, ବେଗୁନିଆ-ବୋଲଗଡ଼ରେ ବେଗୁନିଆ ବିଧାୟକ ଓ ଚିଲିକା-ବାଲୁଗାଁ ଏବଂ ବାଣପୁରରେ ଚିଲିକା ବିଧାୟକଙ୍କ ଦ୍ୱାରା ଓ ଭୁବନେଶ୍ୱର ବ୍ଲକରେ ଯୋଗାଣ ନିଗମ ଅଧ୍ୟକ୍ଷଙ୍କ ଦ୍ୱାରା ମଣ୍ଡି ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ୧୧ଟି କୃଷି ପ୍ରାଥମିକ ସମବାୟ ସମିତି ଭାଗ ନେଇଥିବା ବେଳେ ୪୫ଜଣ ଚାଷୀ ୧୩୩୬.୧୨ କ୍ୱିଂଟାଲ୍ ଧାନ ବିକ୍ରି କରିଥିଲେ । ଏହା ମଧ୍ୟରୁ ସୋମନା ଶାସନ ମଣ୍ଡିରେ ୪ଜଣ ଚାଷୀ ୧୩୪.୫୪ କ୍ୱିଂଟାଲ୍ ଧାନ, ସରାଟ ସମବାୟ ସମିତିରେ ୨ଜଣ ଚାଷୀ ୪୧.୩୭ କ୍ୱିଂଟାଳ୍ ଧାନ, ଗେରିଡ଼ିପାଂଚଣରେ ୨ଜଣ ଚାଷୀ ୬୫.୨୧ କ୍ୱିଂଟାଲ୍ ଧାନ, ଦେଓଗାଁରେ ୩ଜଣ ଚାଷୀ ୯୪.୪୮ କ୍ୱିଂଟାଲ୍ ଧାନ, କାଶୀପୁର(ନଂ-୧)ରେ ଜଣେ ଚାଷର ୩୯.୯୯ କ୍ୱିଂଟାଲ୍ ଧାନ, ବୋଲଗଡ଼ରେ ଜଣେ ଚାଷୀ ୪୦ କ୍ୱିଂଟା, ଦିବ୍ୟସିଂହପ୍ରସାଦରେ ୩ଜଣ ଚାଷୀ ୭୬.୫୧ କ୍ୱିଂଟାଲ୍, ଗୋଳବାଇରେ ୩ଜଣ ୬୨.୭୬ କ୍ୱିଂଟାଲ୍, ବଡ଼ପୋଖରିଆରେ ୨ଜଣ ଚାଷୀ ୬୩.୮୬ କ୍ୱିଂଟାଲ୍ ଧାନ ବିକ୍ରି କରିଛନ୍ତି ।

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅନାମ ଚରଣ ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ ଆଜି ବିଶ୍ୱ କୃଷକ ଦିବସ ଓ ଆସନ୍ତା କାଲି ଓଡ଼ିଶାର ଲକ୍ଷ୍ମୀଙ୍କ ପୂଜା । ଏହାକୁ ଦୃଷ୍ଟିରେ ରଖି ଆଜି ମଣ୍ଡି ଆରମ୍ଭ କରାଯାଇଛି । ଚାଷୀଙ୍କୁ ଟୋକେନ୍ ଦେବାରେ ବିଳମ୍ବ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଆଜି ଠାରୁ ପ୍ରତିବ୍ଲକରେ ବୁଧବାର ମଣ୍ଡି ଆରମ୍ଭ କରାଯାଇଛି । ଜିଲ୍ଲାରେ ରବିବାର ଓ ଗୁରୁବାର ମଣ୍ଡି ବନ୍ଦ ରହିବ । ଅନ୍ୟ ୫ ଦିନ ବିଭିନ୍ନ ଦିନରେ ଅଲଗା ଅଲଗା ସ୍ଥାନରେ ମଣ୍ଡି ସ୍ଥାପନ କରାଯାଇଛି । ଏହି ଦିନ ଟୋକେନ୍ ମିଳିଥିବା ଚାଷୀ ନିର୍ଦ୍ଧାରିତ ମଣ୍ଡିରେ ଯାଇ ଧାନ ବିକ୍ରି କରିବେ ।

ସୂଚନାଯୋଗ୍ୟ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ୪୩,୩୪୨ ଚାଷୀ ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ ବିକ୍ରି କରିବା ପାଇଁ ପଂଜୀକରଣ କରିଛନ୍ତି । ୧୬ଜଣ ମିଲର ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର