ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଖରିଫ ଋତୁରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ଓ ଲକ୍ଡାଉନ୍ ଯୋଗୁଁ ଅନେକ ଚାଷୀ ନିଜ ଧାନ ବିକ୍ରି କରିପାରିନାହାନ୍ତି । ଏପରିସ୍ଥଳେ ଜିଲ୍ଲାରେ ରବି ଋତୁରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ମେ’ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ଧାନ ସଂଗ୍ରହ ଜୁନ୍ ମାସ ଯାଏଁ ଚାଲିବାକୁ ଥିବା ବେଳେ ବର୍ଷା ଋତୁ ଯୋଗୁଁ ଧାନକିଣାରେ ଚାଷୀ ହଇରାଣ ହେବା ଆଶଙ୍କା ସୃଷ୍ଟି ହୋଇଛି ।
୨୦୧୯-୨୦ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୮ଟି ପ୍ରାଥମିକ ସେବା ସମବାୟ ସମିତିକୁ ଦାୟିିତ୍ୱ ଦିଆଯାଇଥିଲା । ୨୦୧୯ ଡିସେମ୍ବର ୯ ତାରିଖରେ ପ୍ରଥମେ ୫ଟି ମଣ୍ଡି ଖୋଲାଯାଇଥିବା ବେଳେ ପରେ ପର୍ଯ୍ୟାୟକ୍ରମେ ଜିଲ୍ଲାରେ ମଣ୍ଡି ଖୋଲାଯାଇଥିଲା ।
ତେବେ ଧାନ ସଂଗ୍ରହ ଜାନୁଆରି ଦ୍ୱିତୀୟ ସପ୍ତାହରୁ ଫେବ୍ରୁଆରି ଶେଷ ଯାଏଁ ଜୋର ଧରିଥିବା ବେଳେ ଟୋକେନ୍କୁ ନେଇ ପରିଚାଳନାଗତ ଅବ୍ୟବସ୍ଥାରେ ଅନେକ ଚାଷୀ ଧାନ ବିକ୍ରି କରିପାରିନଥିଲେ । ଏଣୁ ଏହାକୁ ମାର୍ଚ୍ଚ ଶେଷ ଯାଏଁ ବୃଦ୍ଧି କରାଯାଇଥିଲା । ମାର୍ଚ୍ଚ ୨୨ ତାରିଖ ଠାରୁ କୋଭିଡ୧୯ ମହାମାରୀ ଯୋଗୁଁ ଲକ୍ଡାଉନ୍ ଆରମ୍ଭ ହୋଇଥିବା ଯୋଗୁଁ ଅନେକ ଚାଷୀ ମଣ୍ଡିରେ କିମ୍ବା ବାହାର ବ୍ୟବସାୟୀଙ୍କୁ ଧାନ ବିକ୍ରି କରିପାରିନଥିଲେ ।
ସୂଚନାନୁସାରେ, ଖରିଫ ଋତୁରେ ୩୮୨୭୬ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜୀକରଣ କରିଥିଲେ । ସେମାନଙ୍କ ଠାରୁ ୯ଲକ୍ଷ ୪୪ ହଜାର କ୍ୱିଂଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ଖରିଫ ଧାନ ସଂଗ୍ରହ ଶେଷ ହେବା ବେଳକୁ ୩୪,୦୮୦ଜଣ ଚାଷୀଙ୍କ ଠାରୁ ୧୩ଲକ୍ଷ ୭୦ହଜାର ୭୭୭ କ୍ୱିଂଟାଲ୍୍ ଧାନ କିଣାଯାଇଥିଲା । ଯଦିଓ ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଧାନ କିଣାଯାଇଥିବା ଯୋଗାଣ ବିଭାଗ କହିଛି ତେବେ ଜିଲ୍ଲାରେ ୪ହଜାରରୁ ଉର୍ଦ୍ଧ୍ୱ ଚାଷୀ ଧାନ ମଣ୍ଡିରେ କିମ୍ବା ବାହାର ବ୍ୟବସାୟୀଙ୍କୁ ବିକ୍ରି କରିପାରିନାହାନ୍ତି । ଏନେଇ ଗତକାଲି ଜିଲ୍ଲା ଯୋଜନା କମିଟି ବୈଠକରେ ଚିନ୍ତା ପ୍ରକଟ କରାଯାଇ, ଚାଷୀଙ୍କ ଠାରୁ ଧାନ କିଣିବା ବ୍ୟବସ୍ଥା ନିମନ୍ତେ ସରକାରଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ବର୍ତ୍ତମାନ ମେ’ମାସ ୨୦ ତାରିଖରୁ ରବି ଋତୁରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ୧୭ ଅପ୍ରିଲ୍ ସୁଦ୍ଧା ୨୩୩୫ଜଣ ଚାଷୀ ପଂଜୀକରଣ କରିଛନ୍ତି । ଏନେଇ ସମବାୟ ସମିତିର ରେଜିଷ୍ଟାର ଖୋର୍ଦ୍ଧା ଡେପୁଟି ରେଜିଷ୍ଟାର୍ଙ୍କୁ ଚିଠି ଲେଖି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (ଏସ୍ଓପି) ଧାନମଣ୍ଡି ସ୍ଥାପନ ହୋଇଥିବା ପ୍ରତ୍ୟେକ ସେବା ସମବାୟ ସମିତିରେ ଅତିକମ୍ରେ ୧ଲିଟର ଓଜନର ଆଲ୍କହଲ୍ ଯୁକ୍ତ ସାନିଟାଇଜର ରଖିବା, ଧାନ ସଂଗ୍ରହରେ ନିୟୋଜିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଚାଷୀ ଓ ଅନ୍ୟ କର୍ମଚାରୀ ସ୍ୱଚ୍ଛତା ନିୟମ ମାନିବା, ମାସ୍କ ଆଦି ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରତି ସେବା ସମବାୟ ସମିତି ୧୦ଜଣ ଲେଖାଏଁ ସର୍ବାଧିକ ୩୦ରୁ ଅଧିକ ଚାଷୀଙ୍କ ଠାରୁ ଧାନ କିଣିବା ଉପରେ କଟକଣା କରାଯାଇଛି । ସକାଳ ୭ଟାରୁ ମଧ୍ୟାହ୍ଣ ୧୨ଟା ଯାଏଁ ଧାନ ସଂଗ୍ରହ ହେବ । ଶାରୀରିକ ସମ୍ପର୍କ ହ୍ରାସ କରିବାକୁ ବାୟୋ ମେଟ୍ରିକ୍ ସ୍କାନର ବ୍ୟବହାର କରାଯିବ । ଯେଉଁ ସମବାୟ ସମିତି ଏହି ନିୟମର ଉଲ୍ଲଂଘନ କରିବେ ସେହି ସମବାୟ ସମିତିରେ ଧାନମଣ୍ଡି ବନ୍ଦ କରିଦିଆଯିବ ।