କରୋନାର ୨ୟ ଲହର: ଗ୍ରାମାଞ୍ଚଳରେ ୬ ନୂତନ ସଂକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧାଗ୍ରାମାଞ୍ଚଳରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଆଜି ୬ଜଣ ସଂକ୍ରମିତ ହୋଇଛନ୍ତି । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮ରେ ପହଞ୍ଚିଛି। ।

ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ଆଜି ବାଲିଅନ୍ତା ଓ ଖୋର୍ଦ୍ଧାରୁ ସର୍ବାଧିକ ୨ଜଣ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଟଣୀ ଓ ଚିଲିକା-ବାଲୁଗାଁରୁ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଆଜି ୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜି ଗ୍ରାମାଞ୍ଚଳରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ୯ଟି ସିଏଚ୍ସିରେ ୬୬୦ଟି ରାପିଡ୍ ଆଣ୍ଟିଜେ ପରୀକ୍ଷଣ ଓ ୩୩୪ଟି ଆର୍ଟିପିସିଆର୍ ପରୀକ୍ଷଣ ହୋଇଥିଲା ।

ସେହିଭଳି ଜିଲ୍ଲାରେ ଚାଲିଥିବା ଟିକାକରଣ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି କହିଛନ୍ତି ଯେ ଆଜି ପ୍ରଥମସ୍ତର କରୋନା ଯୋଦ୍ଧାଙ୍କ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ୧୬୧ଜଣ ନେଇଛନ୍ତି । ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀଙ୍କ ମଧ୍ୟରେ ୯ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦେଇଛନ୍ତି । ୪୫ ବର୍ଷ ବୟସରୁ ଉର୍ଧ୍ବ ୨୭୮୧ଜଣ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବେଳେ ୩୯ ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଛନ୍ତି । ୬୦ ବର୍ଷରୁ ଉର୍ଧ୍ବ ୧୪୩୦ଜଣ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବେଳେ ୪୩୭ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଛନ୍ତି । ସେହିଭଳି ୧୮ବର୍ଷରୁ ୪୪ ବର୍ଷ ମଧ୍ୟରେ ୬୮ଜଣ ଟିକା ନେଇଛନ୍ତି । ଆଜି ୪୬୨୭ଜଣଙ୍କୁ ଟିକା ଦେବା ଲକ୍ଷ୍ୟ ରହିଥିଲା ଓ ୪୯୨୫ଜଣଙ୍କୁ ଟିକା ଦିଆଯାଇଛି ଅର୍ଥାତ୍ ୧୦୬ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ।

ସମ୍ବନ୍ଧିତ ଖବର