ଖୋର୍ଦ୍ଧାବାସୀଙ୍କ ସହ ଧୋକା: ୧୬ ନମ୍ବର ଜାତୀୟ ରାଜପଥରେ ଫ୍ଲାଏଓଭର ନିର୍ମାଣ ସ୍ଥାନରେ ଅଣ୍ଡରପାସ୍

ଖୋର୍ଦ୍ଧାବାସୀଙ୍କ ବିରୋଧ ପରେ କାମ ଅଟକିଲା 

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା । ଏହାର ସଦରମହକୁମା ଖୋର୍ଦ୍ଧା ସହର କ୍ରମାଗତ ଭାବେ ପ୍ରାଶାସନିକ ଅବହେଳାର ଶିକାର ହୋଇଆସିଛି । ଖୋର୍ଦ୍ଧା ଗ୍ରାମାଂଚଳର “ଜୀବନରେଖା’ କୁହାଯାଉଥିବା ୧୬ ନମ୍ବର ଜାତୀୟ ରାଜପଥର ନିର୍ମାଣରେ ମଧ୍ୟ ଖୋର୍ଦ୍ଧା ସହର ପ୍ରତି ଅବହେଳା କରାଯାଇଛି । ଜାତୀୟ ରାଜପଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଛକରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଏନେଇ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । କିନ୍ତୁ ଗତକାଲି ରାତିରେ ହଠାତ୍ ସେଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫ୍ଲାଏଓଭର ବଦଳରେ ଏକ ଅଣ୍ଡରପାସ୍ ନିର୍ମାଣ ଆରମ୍ଭ କରିବା ଖୋର୍ଦ୍ଧାବାସୀଙ୍କୁ ଚକିତ କରିଛି । ଆଜି ଖୋର୍ଦ୍ଧା ସହରର ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଏହି ନିର୍ମାଣକୁ ବିରୋଧ କରି ଧାରଣା ଦିଆଯାଇଛି ।

ସୂଚନାନୁସାରେ, ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଳା ହେବା ପରେ ୧୯୯୫ରେ ଖୋର୍ଦ୍ଧା ସହର ଏନ୍ଏସିରୁ ପୌର ପରିଷଦକୁ ଉନ୍ନୀତ ହୋଇଥିଲା । ଖୋର୍ଦ୍ଧା ପୌରପରିଷଦ ଘୋଷଣା ହେବା ପରେ ଏହାର ଜନସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ୩୦ ହଜାରରୁ ବୃଦ୍ଧି ପାଇ ପ୍ରାୟ ୧ଲକ୍ଷରେ ପହଂଚିଛି । ଜନସଂଖ୍ୟା ବୃଦ୍ଧି ସହ ବାସଗୃହ ନିର୍ମାଣ ଓ ନୂତନ ସରକାରୀ କାର୍ଯ୍ୟାଳୟ ଜାତୀୟ ରାଜପଥର ଉଭୟ କଡ଼ରେ ବୃଦ୍ଧି ପାଇଛି । ଖୋର୍ଦ୍ଧା ସହରର ଦକ୍ଷିଣ ପାର୍ଶ୍ୱରେ ଏସପି କାର୍ଯ୍ୟାଳୟ ସହ ନୂତନ ଯୋଗାଣ ବିଭାଗ କାର୍ଯ୍ୟାଳୟ, ମିନି ଷ୍ଟାଡିଅମ୍ ସହ ଜନବସତି ବଣିଆଟାଙ୍ଗୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସେହିଭଳି ଉତ୍ତର ପଟରେ ଖୋର୍ଦ୍ଧା ସହ ପଲ୍ଲା ଠାରୁ ବୃଦ୍ଧି ପାଇ ତରତୁଆ ଯାଏଁ ବଢ଼ିଛି । ଜନସଂଖ୍ୟା ଓ ତା ସହିତ ଗାଡ଼ିମୋଟର ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ୧୬ ନମ୍ବର ଜାତୀୟ ରାଜପଥକୁ ସଂଲଗ୍ନ କରି ଏହାର ଉନ୍ନୟନ ପାଇଁ ଯୋଜନା କରାଯାଇଥିଲା । ଏହି ସମୟରେ ଖୋର୍ଦ୍ଧା ଜିଲ୍ଳାପାଳ କାର୍ଯ୍ୟାଳୟ ନିକଟ ଛକରେ ଏକ ଫ୍ଲାଏ ଓଭର ନିର୍ମାଣ କରିବାକୁ ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ଦାବି ହୋଇଆସୁଥିଲା । କେବଳ ଏହାନୁହେଁ ଏହାଠାରୁ ମାତ୍ର ୧୦୦ ମିଟର ଦୂରରେ ଗଡ଼ ଖୋର୍ଦ୍ଧା ନିକଟରେ ବ୍ଲାକସ୍ପଟ ରହିଥିବା ଓ ପ୍ରତିବର୍ଷ ସଂଖ୍ୟାଧିକ ଦୁର୍ଘଟଣା ଓ ମୃତ୍ୟୁ ଘଟୁଥିବାରୁ ଏଠାରେ ଏକ ଫ୍ଲାଏ ଓଭର ନିର୍ମାଣ ପାଇଁ ମଧ୍ୟ ଜିଲ୍ଲା ଉନ୍ନୟନ ବୈଠକରେ ଏକାଧିକ ଥର ପ୍ରସ୍ତାବ ଆଗତ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତମାନ ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଠାରୁ ତାପଙ୍ଗଗଡ଼ ମଧ୍ୟରେ ତିନି ତିନିଟି ଅଣ୍ଡରପାସ୍ ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଛି ।

ପଲ୍ଲାଛକ ଓ ତାପଙ୍ଗଗଡ଼ ଛକ ଠାରେ ଅଣ୍ଡରପାସ୍ ପାଇଁ ସ୍ଥାନୀୟ ଲୋକଙ୍କ ଦାବି ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଳାପାଳ କାର୍ଯ୍ୟାଳୟ ଛକଠାରେ ପୂର୍ବର ସମସ୍ତ ପ୍ରତିଶ୍ରୁତିକୁ ଏଡ଼ାଇ ଦେଇ ଏକ ଅଣ୍ଡରପାସ୍ ନିର୍ମାଣ ଆରମ୍ଭ ହୋଇଛି । ଗତକାଲି ରାତିରେ ନିର୍ମାଣ ପାଇଁ ରାସ୍ତା ଖୋଳାଯାଇଥିଲା । ଆଜି ସକାଳେ ଏହା ଦେଖି ସହରର ବିଭିନ୍ନ ସାମାଜିକ, ନାଗରିକ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତା ନିର୍ମାଣସ୍ଥଳରେ ଏକଜୁଟ ହୋଇ ବିରୋଧ କରିଥିଲେ । ପରେ ନିର୍ମାଣକାରୀ ସଂସ୍ଥା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଲାଏସେନିଂ ଅଧିକାରୀ ଆସି ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫ୍ଲାଏଓଭର ସ୍ଥାନରେ ଅଣ୍ଡରପାସ୍ ନିର୍ମାଣ ଖୋର୍ଦ୍ଧାବାସିନ୍ଦାଙ୍କ ପ୍ରତି ବିଶ୍ୱାସଘାତ ବୋଲି ନିଜ ଜିଦରେ ଅଡ଼ିରହିବାରୁ ନିର୍ମାଣ କାମ ସ୍ଥଗିତ ରହିଥିଲା । ପ୍ରତିବାଦକାରୀଙ୍କ କହିବା କଥା ହେଲା ଏହି ଛକ ଦେଇ ପଶ୍ଚିମ ଓଡ଼ିଶାର ୧୨ଟି ଜିଲ୍ଲାର ଶତାଧିକ ଯାନବାହନ ଦୈନିକ ଚଳାଚଳ କରେ । ଏହାର ଚାରିପଟରେ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ଓ ଜିଲ୍ଲାର ସର୍ବବୃହତ୍ ଉଦ୍ୟାନ ଜାନକୀ ବଲ୍ଲଭ ସ୍ମୃତିଉଦ୍ୟାନ ଆଦି ରହିଛି । ଏଭଳି ପରିସ୍ଥିିତିରେ ଏଠାରେ ଏକ ଫ୍ଲାଏଓଭର ନିର୍ମାଣ ଯୁକ୍ତି ସଂଗତ । କିନ୍ତୁ କାହାରି ନିର୍ଦ୍ଦେଶରେ ଏଠାରେ ଏକ ଭେହିକଲ୍ ଅଣ୍ଡରପାସ୍ ନିର୍ମାଣ କରାଯାଉଛି ।

ଯଦି ଜାତୀୟ ରାଜପଥ କର୍ତୃପକ୍ଷ ସେଠାରେ ଫ୍ଲାଏଓଭର ନିର୍ମାଣ ନକରନ୍ତି ତେବେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ । ଆଜିର ଧାରଣାସ୍ଥଳରେ ସମାଜସେବୀ ସଂଜୟ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ବରିଷ୍ଠ ଓକିଲ ଶକ୍ତିଶଙ୍କର ମିଶ୍ର, ଶିଶିର ପରିଡ଼ା, ଯୁବ କଂଗ୍ରେସର ପ୍ଲାବନ ପଟ୍ଟନାୟକ, ବିଜେପି ଜିଲ୍ଲାସଭାପତି ରଶ୍ମୀରଂଜନ ମହାପାତ୍ର, ନାଗରିକ ସଂଗଠନର ନରେନ୍ଦ୍ର ପୃଷ୍ଟି, ଅବନୀ ଜେନା, ପ୍ରକାଶ ସାମନ୍ତରାୟ, ଏମ୍ଡି କେପାତୁଲ୍ଲା, ଶିଳାଦିତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଧାରଣାସ୍ଥଳରେ ପହଂଚିବା ସହ ଘଟଣା ସମ୍ପର୍କରେ ଜାତୀୟ ରାଜପଥର ଆଂଚଳିକ ପ୍ରମୁଖଙ୍କ ସହ କଥାବାର୍ତା କରିବା ସହ ସାଂସଦ ଓ ସ୍ଥାନୀୟ ବିଧାୟକଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଥିଲେ । ଏହାପରେ ପ୍ରତିବାଦୀକାରୀଙ୍କ ପକ୍ଷରୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜାତୀୟ ରାଜପଥର ଆଂଚଳିକ ଅଧିକାରୀଙ୍କୁ ଏନେଇ ଲିଖିତ ଦାବି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର