ଖୋର୍ଦ୍ଧା ସହରରେ ଜବରଦଖଲ: ବିଦ୍ୟୁତ୍ ପୋଲକୁ ମଧ୍ୟ ଛାଡ଼ିଲେନି 

ଖୋର୍ଦ୍ଧା: ଖୋର୍ଦ୍ଧା ସହର ପ୍ରଶାସନର ନିୟନ୍ତ୍ରଣରେ ନୁହେଁ ଜବରଦଖଲକାରୀଙ୍କ ନିୟନ୍ତ୍ରଣରେ ରହିଛି । ଖାଲିପଡ଼ିଥିବା ସରକାରୀ, ଗୋଚର, ଜଙ୍ଗଲ ଜମି ନୁହେଁ ଅଣଅଧିକୃତ ସରକାରୀ କୋଠା, ରାସ୍ତା, ନାଳ, ଏପରିକି ରାସ୍ତାକଡ଼ର ବିଦ୍ୟୁତ ଖୁଣ୍ଟ ମଧ୍ୟ ଜବରଦଖଲକାରୀଙ୍କ କବଳରୁ ରକ୍ଷାପାଇପାରିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏନେଇ କ୍ରମାଗତ ଭାବେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଖୋର୍ଦ୍ଧା ସହରର ଜବରଦଖଲ ସମସ୍ୟା ଏପରି ଭାବେ ବଢ଼ିଚାଲିଛି ଯେ ପ୍ରଶାସନ ଏହା ସମ୍ମୁଖରେ ନିଷ୍କ୍ରିୟ ହୋଇପଡ଼ିଛି ।

ସହର ବାହାରେ ଥିବା ସରକାରୀ, ଜଙ୍ଗଲ ଜମି ଗୁଡ଼ିକ ଲଘୁ ଖଣିଜ ମାଫିଆଙ୍କ କବ୍ଜାରେ ରହିଥିବା ବେଳେ ସହର ମଧ୍ୟରେ ଅନେକ ଦେବୋତ୍ତର, ସରକାରୀ ଜମି ସାଧାରଣ ଲୋକଙ୍କ କବ୍ଜାରେ ରହିଛି । ଖୋର୍ଦ୍ଧା ସହରର ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଡ଼କର ପ୍ରଶସ୍ତିକରଣ ଶେଷ ହୋଇ ୧ ବର୍ଷ ବିତିଯାଇଛି । କିନ୍ତୁ କ୍ଷୁଦ୍ରଜଳସେଚନ ବିଭାଗ କାର୍ଯ୍ୟାଳୟ ନିକଟରେ ରାସ୍ତା ଉପରକୁ ମାଡ଼ି ବସିଥିବା ଦୋକାନଘରକୁ ଏଯାଏଁ ହଟାଯାଇପାରିନାହିଁ । ସେହିଭଳି ଚଣ୍ଡିଚୁଆ ଛକ ଠାରୁ ନୂଆ ବସଷ୍ଟାଣ୍ଡ ଛକ ଯାଏଁ ରାସ୍ତାର ପ୍ରଶସ୍ତୀକରଣ ଗତ ୧ ବର୍ଷ ଧରି ଚାଲୁଛି । ଏଲ୍ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଜବରଦଖଲ ଯୋଗୁଁ ଏହାର ପ୍ରଶସ୍ତିକରଣ ଅଧାପନ୍ତରିଆ ହୋଇପଡ଼ିରହିଛି ।

ବର୍ତ୍ତମାନ ସହରର ମଧ୍ୟସ୍ଥଳରେ ରହିଥିବା ଶ୍ରୀରାମନଗରର ସରକାରୀ ଗୋଚର ଜମି ଉପରେ କ୍ରମାଗତ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ବର୍ତ୍ତମାନ ଅବୈଧ ନିର୍ମାଣକୁ ରୋକା ଯାଇପାରିନାହିଁ । ଅପରପକ୍ଷରେ ସହରର ମୁଖ୍ୟବଜାର, ପୁରୁଣା ବସଷ୍ଟାଣ୍ଡ ନିକଟରେ ଦୋକାନଗୁଡ଼ିକ ରାସ୍ତା ଉପରକୁ ଏଭଳି ମାଡ଼ିଆସିଛନ୍ତି ଯେ ରାସ୍ତାକଡ଼ର ବିଦ୍ୟୁତ୍ ଖୁଂଟଗୁଡ଼ିକୁ ମଧ୍ୟ ଛାଡ଼ିନାହାନ୍ତି । ଏନେଇ ଖୋର୍ଦ୍ଧା ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଏହା ଏକ ଗୁରୁତର ଘଟଣା । ଏଭଳି ହେବା କଥା ନୁହେଁ, ପ୍ରଥମତଃ ଏହା ବେଆଇନ ଓ ଦ୍ୱିତୀୟରେ ଏହାଦ୍ୱାରା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏନେଇ ସେ ତଦନ୍ତ କରି ପଦକ୍ଷେପ ନେବେ ।

ଯଦିଓ ବିଦ୍ୟୁତ୍ ଖୁଣ୍ଟର ଜବରଦଖଲ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛି, କିନ୍ତୁ ସହରର ଅନ୍ୟ ଜବରଦଖଲ ହଟାଇବା ସମ୍ପର୍କରେ ପୌର ପ୍ରଶାସନ, ରାଜସ୍ୱ ବିଭାଗ ଓ ପୂର୍ତ ବିଭାଗ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନାହାନ୍ତି । ଜବରଦଖଲ ହଟାଇବା ନେଇ ଗୋଟିଏ ବିଭାଗ ଅନ୍ୟ ଉପରେ ଦୋଷ ଦେଉଛି ।

ସମ୍ବନ୍ଧିତ ଖବର