ଖୋର୍ଦ୍ଧା ରକ୍ତଭଣ୍ଡାରେ ଦୈନିକ ରକ୍ତ ଆବଶ୍ୟକତା ୮ ୟୁନିଟ୍ , ସଂଗ୍ରହ ହେଉଛି ୬ ୟୁନିଟ୍

ସ୍ୱେଚ୍ଛାସେବୀଙ୍କୁ ରକ୍ତଭଣ୍ଡାର ଆସି ରକ୍ତଦାନ କରିବାକୁ ଅନୁରୋଧ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ସହରରେ ଥିବା ରକ୍ତଭଣ୍ଡାରେ ଦୈନିକ ୮ ୟୁନିଟ ରକ୍ତ ଆବଶ୍ୟକ ହେଉଥିବା ବେଳେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ କେବଳ ୫-୬ ୟୁନିଟ୍ ସଂଗ୍ରହ କରାଯାଇପାରୁଛି । ଏଣୁ ଆବଶ୍ୟକତା ମେଂଟାଇବା ପାଇଁ ସ୍ୱେଚ୍ଛାସେବୀ ଓ ସହୃଦୟ ବ୍ୟକ୍ତି ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ରକ୍ତଭଣ୍ଡାର ପକ୍ଷରୁ ଅନୁରୋଧ କରାଯାଇଛି ।

ସୂଚନାନୁସାରେ, ଆଜି ରକ୍ତଭଣ୍ଡାରରେ ବି ନେଗେଟିଭ୍ ୨ ୟୁନିଟ୍‌, ଓ ନେଗେଟିଭ୍ ଗୋଟିଏ, ଏବି ପଜିଟିଭ୍ ୩ଟି, ଓ ପଜିଟିଭ୍ ୧୧ଟି, ଏ ପଜିଟିଭ୍ ୫ଟି ଓ ବି ପଜିଟିଭ୍ ୫ଟି ଏଭଳି ମୋଟ ୨୬ ୟୁନିଟ୍ ରକ୍ତ ରହିଛି । ରକ୍ତଦାନ ଶିବିର ବନ୍ଦ ରହିଥିବାରୁ ଅଧିକ ରକ୍ତ ସଂଗ୍ରହ ହୋଇପାରୁନଥିବାରୁ ଯେଉଁମାନଙ୍କୁ ରକ୍ତ ଆବଶ୍ୟକ ସେମାନଙ୍କ ସମ୍ପର୍କୀୟଙ୍କୁ ରକ୍ତ ଦେବାକୁ କୁହାଯାଉଛି । ତେବେ ଜିଲ୍ଲାରେ ନିୟମିତ ରକ୍ତ ଆବଶ୍ୟକ କରୁଥିବା ୫୬ଜଣ ଥାଲେସିମିଆ ରେଗୀଙ୍କ ନିମନ୍ତେ ରକ୍ତର ଆବଶ୍ୟକତା ମେଂଟିବାରେ ସମସ୍ୟା ରହିଛି । ମାର୍ଚ୍ଚ ୨୪ ତାରିଖ ଠାରୁ ଅପ୍ରିଲ୍ ୨ ତାରିଖ ସୁଦ୍ଧା ମୋଟ ୭୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୭୬ଜଣଙ୍କୁ ରକ୍ତ ପ୍ରଦାନ କରାଯାଇଛି । ଏହା ମଧ୍ୟରେ ୨୧ଜଣ ଥାଲେସିମିଆ ରୋଗୀ ଅଛନ୍ତି ।

ସେହିଭଳି ଦୈନିକ ୭ରୁ ୮ ୟୁନିଟ୍ ରକ୍ତ ଆବଶ୍ୟକ ହେଉଥିବା ବେଳେ ୪ରୁ୫ ୟୁନିଟ୍ ସଂଗ୍ରହ କରାଯାଇପାରୁଛି । ଏହା ସହ ଦୈନିକ ୩ଜଣ ଥାଲେସିମିଆ ରୋଗୀଙ୍କୁ ରକ୍ତ ପ୍ରଦାନ କରାଯାଉଛି । କରୋନା ମହାମାରୀ ସମୟରେ ରକ୍ତ ନିଅଂଟକୁ ଭରଣା କରିବାକୁ ସ୍ୱେଚ୍ଛାସେବୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ରକ୍ତଭଣ୍ଡାର କର୍ତୃପକ୍ଷ ଓ ସମ୍ବାଦ ଆମଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର