ବର୍ଷା ଋତୁ ଆରମ୍ଭ ନହେଉଣୁ ନର୍ଦ୍ଦମା ଜଳରେ ଉବୁଟୁବୁ ଖୋର୍ଦ୍ଧା ସହର

ଖୋର୍ଦ୍ଧା: ନୂଆ ପୌର ପରିଷଦ ଗଠିତ ହେଲା। ସହରର ଯାହା ବିକାଶ କାମ ଅଧାପନ୍ତରିଆ ରହିଛି ତାକୁ ପୂରଣ କରିବି ବୋଲି ପ୍ରତିଶ୍ରୁତି ଦେଇ ପୌର ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟ ଜିତିଲେ। ନୂତନ ପୌର ପରିଷଦର ଗଠନ ହେବା ପରେ ପ୍ରଥମ ବୈଠକରେ ସହରର ନାଳନର୍ଦ୍ଦମା ନେଇ ଚିନ୍ତା ପ୍ରକଟ କରି ତୁରନ୍ତ ସମାଧାନ କରିବାକୁ ପ୍ରସ୍ତାବ ଗୃହିତ ହେଲା। ଏହା ମଧ୍ୟରେ ୧ ମାସ ବିତିଗଲାଣି, କିନ୍ତୁ ଖୋର୍ଦ୍ଧା ସହରର ନର୍ଦ୍ଧମା ସମସ୍ୟାର ସମାଧାନ ପାଇଁ କାଣିଚାଏ ପଦକ୍ଷେପ ନିଆଯାଇପାରିଲା ନାହିଁ। ଦୁଇଦିନ ବର୍ଷାରେ ସହର ଗତ ୪ ଦିନ ଧରି ନର୍ଦ୍ଦମା ଜଳରେ ଉବୁଟୁବୁ ହେଉଛି। ୧୨ ତାରିଖରେ ବାତ୍ୟା ଅଶନି ପାଇଁ ଖୋର୍ଦ୍ଧା ସହରରେ ଦୁଇଦିନ ବର୍ଷା ହୋଇଥିଲା। ବର୍ଷା ଅତୀତ ହୋଇ ଏହା ମଧ୍ୟରେ ୩ଦିନ ବିତିଯାଇଛି, କିନ୍ତୁ ସହରର ପ୍ରବେଶ ରାସ୍ତା ତଥା ଖୋର୍ଦ୍ଧା-ନୟାଗଡ଼ ରାଜପଥ ଗୋଡ଼ିପୋଖରୀ ଠାରୁ ମାରୁୱାଡ଼ିପଟ୍ଟିରେ ନର୍ଦ୍ଦମା ଜଳ ଯେଉଁଭଳି ଭାବେ ଢ଼େଉ ଖେଳି ରାସ୍ତା ଉପରେ ଯାଉଛି ସେଥିରୁ ନେତା ଓ ପ୍ରଶାସନର ଆନ୍ତରିକତା ସ୍ପଷ୍ଟ ବାରି ହେଉଛି। ଖୋର୍ଦ୍ଧା ସହରରେ ୨୪୩.୮୩ କିଲୋମିଟର ନର୍ଦ୍ଦମା ନିଷ୍କାସନ ପାଇଁ ନାଳ ରହିଛି ବୋଲି ନଥିପତ୍ର କହୁଛି। କିନ୍ତୁ ବାସ୍ତବରେ ୮୦ କିମି ନର୍ଦ୍ଦମା ଆଖିକୁ ଦେଖାଯାଉଥିବା ବେଳେ ବଳକା ଜବରଦଖଲ ହୋଇଛି କିମ୍ବା ପୋତି ହୋଇଯାଇଛି। ପୌର ପରିଷଦ ନିର୍ବାଚନ ପୂର୍ବରୁ ମୁକୁନ୍ଦପ୍ରସାଦ ନିକଟରେ ଜବରଦଖଲ ହଟାଯାଇ ନର୍ଦ୍ଦମା ନାଳ ନିର୍ମାଣ ଆରମ୍ଭ ହୋଇଥିଲା, ଏହା ବର୍ତ୍ତମାନ ଯାଏଁ ଶେଷ ହୋଇନାହିଁ। କେବଳ ଏହାନୁହେଁ, ୨୦୨୧-୨୨ ପୌର ପରିଷଦର ସୂଚନାନୁସାରେ, ଖୋର୍ଦ୍ଧା ସହରରେ ୯୧୧୩ଟି ପରିବାର ମଧ୍ୟରୁ ୬୨୪୫ଜଣଙ୍କ ଘରେ ଶୌଚାଳୟର ବ୍ୟବସ୍ଥା ରହିଛି। ପ୍ରାୟ ୩ ହଜାର ପରିବାର ଦୈନିକ ଶୌଚ ପାଇଁ ଖୋଲାପଡ଼ିଆ ଉପରେ ନିର୍ଭର କରୁଛନ୍ତି।

ଦୁଇଦିନ ପୂର୍ବେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ସହରର ପରିମଳ ଓ ନର୍ଦ୍ଦମା ନିଷ୍କାସନର ଦୁରବସ୍ଥା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ପ୍ରଶାସନକୁ କହିଥିଲେ। ଏଭଳି ସମୟରେ ବର୍ଷା ପୂର୍ବରୁ ଅନନ୍ତଃ ଯେଉଁ ନାଳ ଗୁଡ଼ିକ ରହିଛି ସେଗୁଡ଼ିକର ସଫା କରିବା ନେଇ ବ୍ୟବସ୍ଥା କରାଯିବା କଥା କିନ୍ତୁ ତାହା ହୋଇ ପାରିନାହିଁ। ଖୋର୍ଦ୍ଧା ସହର ବିଜ୍ଞପିତ ଅଞ୍ଚଳରୁ ପୌର ପରିଷଦ ହୋଇ ଏହା ମଧ୍ୟରେ ପ୍ରାୟ ୩୦ ବର୍ଷ ବିତିବାକୁ ବସିଛି, କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲର ସଦର ମହକୁମାରେ ନର୍ଦ୍ଦମା ନିଷ୍କାସନ ପାଇଁ ନାଳ ନିର୍ମାଣ ହୋଇ ପାରିନାହିଁ। ୨୦୧୯ରେ ନର୍ଦ୍ଦମା ନିର୍ମାଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଥିଲା, ତାକୁ ୩ ବର୍ଷ ପୂରିବାକୁ ବସିଲାଣି, କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷ ଭାବେ ବର୍ତ୍ତମାନର ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମତ୍ର ଦାୟିତ୍ୱ ସମ୍ଭାଳିଥିଲେ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଥରେ ନୁହେଁ ତିନି ତିନିଥର ପୌର ପରିଷଦକୁ ନିଜ ହାତରେ ରଖିଥିଲେ। ପ୍ରତ୍ୟେକ ଜିଲ୍ଲାସ୍ତରୀୟ ବୈଠକରେ ସହରର ନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥା ନେଇ ଆଲୋଚନା ହେଉଛି ଓ ଏହାର ସମାଧାନ ପାଇଁ ବୈଠକରେ ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ କୌଣସି ସୁଫଳ ମିଳୁନାହିଁ।

ସମ୍ବନ୍ଧିତ ଖବର