ମମିତା ମେହେରା ହତ୍ୟା ମାମଲା: ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଖୋର୍ଦ୍ଧା କଂଗ୍ରେସ ପକ୍ଷରୁ ବିକ୍ଷୋଭ

୩ ଘଂଟା ରାସ୍ତାରେ ଧାରଣା ଦେଲେ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ

ଖୋର୍ଦ୍ଧା,: କଳାହାଣ୍ଡି ମହାଲିଙ୍ଗ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଶାସକ ଦଳର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଅନେକ ମନ୍ତ୍ରୀ ଓ ପଦସ୍ଥ ଅଧିକାରୀ ଜଡ଼ିତ । ଏହି ଘଟଣାକୁ ଶାସକ ବିଜେଡି ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି । ତୁରନ୍ତ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ଦାବି କରି ଆଜି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ସହରରେ ୩ଘଂଟା ଚକାଜାମ କରି ଧାରଣା ଦେଇଛନ୍ତି ।

ଆଜି ପୂର୍ବାହ୍ଣ ୧୦ଟାରେ କଂଗ୍ରେସ ଏବଂ ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ସେବାଦଳ ଭଳି ଛାମୁଆ ସଂଗଠନର ଶତାଧିକ କର୍ମକର୍ତା ଓ ସମର୍ଥକ ଆଜି ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ ନିକଟ ଖୋର୍ଦ୍ଧା-ନୟାଗଡ଼ ରାସ୍ତାରେ ଧାରଣା ଦେଇଥିଲେ । ଧାରଣା ଅପରାହ୍ଣ ଗୋଟାଏ ଯାଏଁ ଚାଲିଥିଲା । ଫଳରେ ଉଭୟପଟୁ ଶତାଧିକ ଟ୍ରକବସ୍ ଅଟକି ରହିଥିଲା ।

ଶାନ୍ତିଶୃଙ୍ଖଳା ପାଇଁ ଧାରଣାସ୍ଥଳରେ ଏଏସ୍ପି, ଏସ୍ଡିପିଓ, ଦୁଇ ଥାନା ଅଧିକାରୀଙ୍କ ସମେତ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା । ଗାଡ଼ିମୋଟର ଚଳାଚଳରେ ବ୍ୟାଘାତ ହେଉଥିବା ଦେଖି ପୁଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ତେବେ ଜିଲ୍ଲାପାଳ ସେମାନଙ୍କ ନିକଟକୁ ଆସି ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଲେଖାଯାଇଥିବା ଦାବିପତ୍ର ଗ୍ରହଣ କରିବା ପାଇଁ ବିକ୍ଷୋଭକାରୀମାନେ ଅଡ଼ି ରହିଥିଲେ ।  ଧାରଣା ସ୍ଥଳରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ପ୍ରାୟ ସାଢ଼େ ୧୨ଟା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ ଧାରଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ପରେ ବିକ୍ଷୋଭକାରୀମାନେ ଧାରଣାସ୍ଥଳରୁ ହଟିଥିଲେ । ତେବେ ଏହାପରେ ଟ୍ରାଫିକ୍ ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ୩୦-୪୦ ମିନିଟ୍ ସମୟ ଲାଗିଥିଲା ।

ରାଜ୍ୟ ମହିଳା କଂଗ୍ରେସର ସଭାପତି ବନ୍ଦିତା ପରିଡ଼ା ବିକ୍ଷୋଭ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜଣେ ଘନିଷ୍ଠ ସହଯୋଗୀ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମଧ୍ୟ । ମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟର ଅନ୍ୟମନ୍ତ୍ରୀ ଓ ପଦସ୍ଥ ଅଧିକାରୀ ଏହି ଶିକ୍ଷାନୁଷ୍ଠାନର କଳାକାରନାମାରେ ଜଡ଼ିତ ଅଛନ୍ତି ।  ପୂର୍ବରୁ ମାଧବୀ ଲତା, ବେବିନା, ଇତିଶ୍ରୀ, ପରୀ ହତ୍ୟା ଘଟଣା, ମହାଙ୍ଗା ଡବଲ ମର୍ଡର, ଏସିଏଫ୍ ମୌମ୍ୟରଂଜନଙ୍କ ମୃତ୍ୟୁରେ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ହାତ ରହିଛି । ଏହି ସବୁ ଘଟଣାକୁ ସରକାର ଚାପି ଦେଇଛନ୍ତି । ଏଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ, ଅଭିଯୁକ୍ତ ମନ୍ତ୍ରୀଙ୍କ ଇସ୍ତଫା କିମ୍ବା ବହିଷ୍କାର କରାଯାଉ ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ଶୁଭେନ୍ଦୁ ମହାନ୍ତି, ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସର କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ପ୍ରିୟାସ୍ମିତା ପଣ୍ଡା, ନିରୂପମା ପାତ୍ର, ସ୍ୱାଧୀନବାଳା ଦାସ, ଆଇନଜୀବୀ ତଥା ପିସିସି ସଦସ୍ୟ ଶିଶିର ପରିଡ଼ା, ପଦ୍ମଚରଣ ରାୟ, ଭୂଷଣ ଛୋଟରାୟ, ପ୍ରଦୋଷ ହରିଚନ୍ଦନ, ପ୍ରଦୋଶ ସାହୁ, ଜିତେନ୍ଦ୍ର ଚମ୍ପତ୍ତି, ମହମ୍ମଦ ଅକ୍ତର ହୁସେନ୍, ସୁନୀଲ ଛୋଟରାୟ, ସୁକାନ୍ତ ରାଉତ, ଦିଲିପ ସେଠୀ, ବିଭୂତି ହରିଚନ୍ଦନ, ପ୍ଲାବନ ପଟ୍ଟନାୟକ, ଅମିତ ମହାନ୍ତି, ଦ୍ୱାରିକାନାଥ ମହାନ୍ତି, ଜିତେନ୍ଦ୍ର ପ୍ରଧାନ, ବୁଲୁ ରାଉତ, ସୌଭାଗ୍ୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର