ଖୋର୍ଦ୍ଧା: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଟିସିପି)କୁ ସଫଳ ଭାବେ କାର୍ଯ୍ୟକାରୀ କରାଇବା ସହ ସଂଖ୍ୟାଧିକ ଲୋକଙ୍କୁ ତମାଖୁ ମୁକ୍ତ ଅଭିଯାନରେ ସମ୍ପୃକ୍ତ କରାଇଥିବାରୁ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପୁରସ୍କୃତ କରାଯାଇଛି। ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶାର ଡିଜିପି ସୁନୀଲ ବଂଶଲଙ୍କ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ଅବସରରେ ଡଃ. ନାୟକ କହିଛନ୍ତି ଯେ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାକୁ ସମ୍ପୂର୍ଣ୍ଣ ତମାଖୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଉଛି। ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଓ ଏନ୍ଟିସିପି ୟୁନିଟ୍କୁ ଏହି ସମ୍ମାନର ଶ୍ରେୟ ମିଳିବା ଉଚିତ। ସମସ୍ତଙ୍କୁ ସାଥିରେ ନେଇ ଜିଲ୍ଲାକୁ ଏକ ସୁସ୍ଥ ଜିଲ୍ଲାରେ ପରିଣତ କରିବାରେ ସେ ଉଦ୍ୟମ କରିବେ।