ବନ୍ଦ ହୋଇଯିବ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ !

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କେବଳ ଖୋର୍ଦ୍ଧା ନୁହେଁ କଟକ ଜିଲ୍ଲାର ବାଙ୍କୀ, ନୟାଗଡ଼ ଜିଲ୍ଲାର ରଣପୁର, ଖଣ୍ଡପଡ଼ା, ସୁନାଖଳା, ପୁରୀ ଜିଲ୍ଲାର କଣାସର ସହସ୍ରାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଂଜୁରୀ ହୋଇଥିବା ଶଯ୍ୟା ସଂଖ୍ୟା ହ୍ରାସ ପାଇଥିବା ବେଳେ ଚିକିତ୍ସାଳୟରେ ପ୍ରସୂତି, ସୋନୋଗ୍ରାଫି, ଏକ୍ସରେ ଆଦି ନିଦାନ ସଂଖ୍ୟା ସହ ରୋଗୀଙ୍କ ଆସିବା ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୨୫୮ଟି ଶଯ୍ୟା ମଂଜୁର ହୋଇଥିଲା । ଏହା ମଧ୍ୟରୁ ମେଡିସିନ୍ ୫୦ ମଂଜୁର ହୋଇଥିବା ବେଳେ ବର୍ତମାନ ୩୦ଟି ଶଯ୍ୟା ରହିଛି । ସେହିଭଳି ସାଧାରଣ ଅସ୍ତ୍ରୋପଚାର ପାଇଁ ୪୦ଟି ଶଯ୍ୟା ମଂଜୁର ହୋଇଥିବା ବେଳେ ବର୍ତମାନ ୩୪ଟି କାର୍ଯ୍ୟକ୍ଷମ ରହିଛି । ସେହିଭଳି ଓ ଆଣ୍ଡ୍ ଜି ୱାର୍ଡରେ ୬୪ଟି ଶଯ୍ୟା ମଂଜୁର ହୋଇଥଇବା ବେଳେ ବର୍ତମାନ ୫୪ଟି ଶଯ୍ୟା ରହିଛି । କେବଳ ଏହାନୁହେଁ ଚିକିତ୍ସାଳୟରେ ମୋଟ ମଂଜୁର ଡାକ୍ତରଙ୍କ ମଧ୍ୟରୁ ୫୦ ପ୍ରତିଶତ ଖାଲି ରହିଛି । ୨୦୧୯-୨୦ରେ ଚିକିତ୍ସାଳୟର ନିଦାନ କେନ୍ଦ୍ରର ୮୫୧୭ଟି ଏକ୍ସରେ ରିପୋର୍ଟ ବାହାର କରାଯାଇଥିବା ବେଳେ ୨୦୨୦-୨୧ରେ ଏହା ହ୍ରାସ ପାଇ ୬୨୮୨ରେ ପହଂଚିଛି ।

ସେହିଭଳି ସୋନୋଗ୍ରାଫି ସଂଖ୍ୟା ୨୦୧୮-୧୯ରେ ୭୦୫ଟି ରିପୋର୍ଟ ଦିଆଯାଇଥିବା ବେଳେ ୨୦୧୯-୨୦ରେ ଏହା ହ୍ରାସ ପାଇ ୧୯୩ ଓ ୨୦୨୦-୨୧ରେ ଏହା ୧୬କୁ ପହଂଚିଛି । ଚିକିତ୍ସାଳୟରେ ଡାକ୍ତର ଓ ବୈଷୟିକ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ପରୀକ୍ଷାନିରୀକ୍ଷାର ଅଭାବ ଥିବା ଯୋଗୁଁ ରୋଗୀଙ୍କ ଆସିବା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ୨୦୧୮-୧୯ରେ ଚିକିତ୍ସାଳୟର ଏଲୋପାଥି ଓପିଡିକୁ ୩ଲକ୍ଷ ୨୬ ହଜାର ୩୧୯ଜଣ ରୋଗୀ ଆସିଥିବା ବେଳେ ଆୟୁଷ ଓପିଡିକୁ ୧୨୩୪୨ ରୋଗୀ ଆସିଥିଲେ ।

ପରବର୍ତୀ ୨୦୧୯-୨୦ ବର୍ଷ ଏହା ହ୍ରାସ ପାଇ ଯଥାକ୍ରମେ ୨ଲକ୍ଷ ୮୭ହଜାର ୩୧୦ ଓ ୧୨ହଜାର ୯୭ରେ ପହଂଚିଥିଲା ।୨୦୨୦-୨୧ ରେ ଏହା ସର୍ବନିମ୍ନ ୧ଲକ୍ଷ ୬୪ହଜାର ୬୪୪ ଓ ୯ହଜାର ୭୨୪ ହୋଇଛି । ଅର୍ଥାତ୍ ୨ବର୍ଷ ପୂର୍ବେ ଦୈନିକ ୧ହଜାର ରୋଗୀ ଚିକିତ୍ସାଳୟକୁ ଆସୁଥିବା ବେଳେ ଏବେ ଏହା ୪୫୧କୁ ହ୍ରାସ ପାଇଛି । ଯଦି ଏଭଳି ରୋଗୀଙ୍କ ଆସିବା ହ୍ରାସ ପାଏ ତେବେ ଚିକିତ୍ସାଳୟ ବନ୍ଦ ହେବା ସମ୍ଭାବନା ରହିଛି ।

ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସାମାଜିକ ସଂଗଠନ ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଏହାର ସମାଧାନ ପାଇଁ ପ୍ରଶାସନ ଅନେକ ଥର ପ୍ରତିଶ୍ରୁତି ମଧ୍ୟ ଦେଇଛି । କିନ୍ତୁ ଚିକିତ୍ସାଳୟ ସ୍ଥାପନ ହେବାର ପ୍ରାୟ ୨ ଦଶନ୍ଧୀ ବିତିଯାଇଥିଲେ ମଧ୍ୟ ସମସ୍ୟା ସମାଧାନ କରିବାରେ ସରକାରଙ୍କ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନାହିଁ ।

ସମ୍ବନ୍ଧିତ ଖବର