ଉଚିତ ତଦନ୍ତ ନ କରିବାରୁ ଆଇଆଇସିଙ୍କ ସମେତ ଅନ୍ୟ କିଛି ପୁଲିସ୍ ଅଧିକାରୀଙ୍କୁ ଅଫିସ୍ ଭିତରେ ତାଲା ପକାଇ ଅଟକ ରଖିଦେଲେ ଗ୍ରାମବାସୀ
ଖୋର୍ଦ୍ଧା: ଏକ ହତ୍ୟା ମାମଲାର ସନ୍ତୋଷଜନକ ତଦନ୍ତ ନ କରିବାରୁ ଗ୍ରାମବାସୀ ମିଶି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଆଇଆଇସିଙ୍କ ସମେତ ଅନ୍ୟ କିଛି ପୁଲିସ୍ ଅଧିକାରୀଙ୍କୁ ଗୋବିନ୍ଦପୁର ପଞ୍ଚାୟତ ଅଫିସ୍ ଭିତରେ ତାଲା ପକାଇ ଅଟକ ରଖି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପରିଛଳ ଗାଁର ଘଟିଥିବା ଏକ ହତ୍ୟାକାଣ୍ଡର ଉଚିତ ତଦନ୍ତ ହୋଇ ନ ଥିଲା । ଦୋଷୀକୁ ଧରିବାକୁ ଗ୍ରାମବାସୀ ବାରମ୍ବାର ପୁଲିସ୍ ନିକଟରେ ଦାବି କରିଥିଲେ ହେଁ କେହି କିଛି ଶୁଣି ନଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାଁ ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ପଞ୍ଚାୟତ ଅଫିସ ଆଗରେ ଏକ ବସ୍ ଡାକି ଏକଜୁଟ ହୋଇଥିଲେ। ଏହି ସମୟରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସମ୍ପୃକ୍ତ ବସ୍ ଡ୍ରାଇଭର ଏକ ଘଟଣାରେ ସମ୍ପୃକ୍ତ ଥିବା କହି ତାକୁ ଗିରଫ କରିବାକୁ ଆସିଥିବା କହିଥିଲା।
ପୁଲିସ୍ ବସ୍ ଡ୍ରାଇଭରଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡ଼ି ଦେଇଥିଲା। ପୁଲିସର ଏଭଳି କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ତ୍ରୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଲୋକେ ଥାନା ଆଇଆଇସି ସମେତ ଅନ୍ୟ କିଛି ପୁଲିସ୍ ଅଧିକାରୀଙ୍କୁ ପଞ୍ଚାୟତ ଅଫିସରେ ପୁରାଇ ତାଲା ପକାଇ ଦେଇଥିଲେ।