ଖୋର୍ଦ୍ଧା ଜଙ୍ଗଲକୁ ନିଆଁ ଭୟ: ୪ ବର୍ଷରେ ୪୮୦ ଜଙ୍ଗଲ ନିଆଁ ଘଟଣା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବନଖଣ୍ଡରେ ଥିବା ୪୦୦ ବର୍ଗ କିଲୋମିଟର ସଂରକ୍ଷିତ ଜଙ୍ଗଲରେ ପ୍ରତିବର୍ଷ ନିଆଁ ଲାଗି ଶତାଧିକ ହେକ୍ଟର ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେଉଛି । ବର୍ତମାନ ବୋଲଗଡ଼, ବେଗୁନିଆ ବ୍ଲକରେ ଥିବା କେତେକ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବରବରା ଭଳି ଅନ୍ୟ ଜୈବ ବିବିଧତାପୂର୍ଣ୍ଣ ଜଙ୍ଗଲକୁ ଏହା ଗ୍ରାସିବା ଆଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ଦିଗରେ କୌଣସି ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିନାହିଁ ।

ଖୋର୍ଦ୍ଧା ଜିଲ୍ଲାର ପରିସୀମା ୨୮୧୩ ବର୍ଗ କିଲୋମିଟର । ଯଦି ବନଖଣ୍ଡର ପରିସୀମା ଦେଖାଯାଏ ତେବେ ନୟାଗଡ଼ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ବାଙ୍କୀ ଓ ପୁରୀ ଜିଲ୍ଲାର ଡେଲାଙ୍ଗ ରେଂଜ୍ ଏଥିରେ ସାମିଲ ରହିଛି । ତେବେ ଯଦି କେବଳ ଖୋର୍ଦ୍ଧା ଜିଲ୍ଲାର ପରିସୀମା ଓ ଜଙ୍ଗଲକୁ ଅନୁଶୀଳନ କରାଯାଏ ତେବେ ଏହା ମଧ୍ୟରୁ ଘଂଚ ଜଙ୍ଗଲ ୨୩ ବର୍ଗ କିମି ଅଂଚଳରେ ବ୍ୟାପି ଥିବା ବେଳେ ମଧ୍ୟମ ଘଂଚ ଜଙ୍ଗଲ ୧୯୧ ବର୍ଗ କିଲୋମିଟର, ଅନ୍ୟାନ୍ୟ ଜଙ୍ଗଲ ୧୮୦ ବର୍ଗ କିଲୋମିଟର ଏଭଳି ମୋଟ ୩୯୪ ବର୍ଗ କିଲୋମିଟର ଜଙ୍ଗଲ ରହିଛି । ଅର୍ଥାତ୍ ମୋଟ କ୍ଷେତ୍ରଫଳର ମାତ୍ର ୧୬ ପ୍ରତିଶତ ଜଙ୍ଗଲ ରହିଛି । ଏହା ମଧ୍ୟରୁ ବରୁଣେଇ, ବରବରା ଆଦି ୧୬୮୫୪ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି ।

ଖୋର୍ଦ୍ଧା ଡିଭିଜନ୍ ଅଧୀନରେ ୨୦୧୭ରୁ ୨୦୨୦ ୪ ବର୍ଷ ମଧ୍ୟରେ, ୨୦୧୭ରେ ୧୧୭ଥର , ୨୦୧୮ବର୍ଷରେ ୧୨୯ ଥର, ୨୦୧୯ରେ ୧୨୧ ଥର ଓ ୨୦୨୦ରେ ବିଭିନ୍ନ ସ୍ଥାନରେ ୧୧୩ ଥର ନିଆଁ ଲାଗିଛି । ଏଭଳି ଗତ ୪ ବର୍ଷ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡରେ ଛୋଟ ଓ ବଡ଼ ୪୮୦ରୁ ଉଦ୍ଧ୍ୱର୍ ଥର ନିଆଁ ଲାଗି ଶତାଧିକ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଛି । ୨୦୧୭େରେ ବଣୁଣେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ୩୦ ହେକ୍ଟର ଜଙ୍ଗଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

ଖୋର୍ଦ୍ଧା ବନଖଣ୍ଡ କାର୍ଯ୍ୟାଳୟରୁ ମିଳିଥିବା ସୂଚାନୁସାରେ, ଖୋର୍ଦ୍ଧା ରେଂଜ୍ ଅଧୀନସ୍ଥ ୫୫.୬୭ ବର୍ଗ କିମିରେ ଥିବା ବରୁଣେଇ, ନାଗାପଲ୍ଲୀ, ବ୍ରାହ୍ମଣଦେବୀ ସଂରକ୍ଷିତ ଜଙ୍ଗଲ, ବାଲୁଗାଁ ରେଂଜ୍ ଅଧୀନସ୍ଥ ୨୩୦.୩୪ ବର୍ଗକିମି ଅରାଙ୍ଗ, ବନକଡ଼, କଟୱାଲ, ଟମଣା, ରାଜିନି ସଂରକ୍ଷିତ ଜଙ୍ଗଲ, ଟାଙ୍ଗୀ ରେଂଜ୍ ଅଧୀନସ୍ଥ ୧୨୮.୫୯ ବର୍ଗ କିମି ଅଂଚଳରେ ଥିବା ପଟିଆ, କୁହୁଡ଼ି, ଧନୀ, ସୁଳିଆ, ଭୂଷଣ୍ଡପୁର, ରାମେଶ୍ୱର ସଂରକ୍ଷିତ ଜଙ୍ଗଲ, ରଣପୁର ରେଂଜ୍ର ୧୫୭.୪୨ ବର୍ଗ କିମି ଅଂଚଳରେ ଥିବା ଚମ୍ପାଗଡ଼, ଧନୀ, ମଲ, ମଣିନାଗ, ସାତଭାୟା ଓ ସୁଳିଆ ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ଜଙ୍ଗଲ ନିଆଁ ଭୟରହିଛି ।

କାମ୍ପା ପାଣ୍ଠିରୁ ପ୍ରତିବର୍ଷ ନିଆଁ ରୋକିବା ପାଇଁ ବ୍ଲୋଏର ଆଦି ଯନ୍ତ୍ର, ସ୍ୱତନ୍ତ୍ର ଟିମ୍ ଓ ଜଙ୍ଗଲ ଆଖପାଖ ଗାଁରେ ସତେନତା ସୃଷ୍ଟି କରିବା ନାମରେ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି । ଏପରିକି ଜଙ୍ଗଲରେ ନିଆଁ ଲାଗିଲେ ସୂଚନା ଦେବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଖୋର୍ଦ୍ଧା ବନଖଣ୍ଡରେ ଜଙ୍ଗଲ ନିଆଁ ରୋକିବାରେ ରାଜ୍ୟ ବନ ବିଭାଗ ଜାରି କରିଥିବା କୌଣସି ନିୟମ ସଠିକ ଭାବେ ପାଳନ କରାଯାଉନାହିଁ । ଫଳରେ ପ୍ରତିବର୍ଷ ନିଆଁ ଲାଗିବା ଘଟଣା ବଢ଼ି ଚାଲିଛି ।

ସମ୍ବନ୍ଧିତ ଖବର