ସାରୁଅ ଜମି ଦୁର୍ନୀତି ମାମଲାକୁ ନେଇ ମୁହଁ ଖୋଲିଲେ ରବି ସେଠୀ : ମନା କରିବା ପରେ ବି କମ୍ପାନି ମୋ ନାମରେ ଜମି କିଣିଛି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି ଦୁର୍ନୀତି ମାମଲାରେ ମୁହଁ ଖୋଲିଛନ୍ତି ଡ୍ରାଇଭର ରବି ସେଠୀ । ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କ ନାମରେ ବେଆଇନ୍ ଭାବେ ସାରୁଅରେ ଅନୁସୂଚିତ ଜାତିର ଲୋକଙ୍କ ମାଲିକାନାରେ ଥିବା ଜମି କିଣିଛି । ରବି ସେଠୀଙ୍କ ନାମରେ ଜମି କିଣିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ କହିବା ସମୟରେ ସେ ମନା କରିଥିଲେ । ହେଲେ କର୍ତ୍ତୃପକ୍ଷ ତାଙ୍କ ଚାକିରି ଛଡେଇ ନେବାର ଧମକ ଦେଇ ଜମି କିଣିଛନ୍ତି । ନିକଟରେ ତାଙ୍କ ନାମରେ ସାରୁଅ ବ୍ୟତୀତ ପୁରୀରେ କମ୍ପାନି ଜମି କଣିଥିବା ଜାଣିବା ପରେ ସେ ମୁହଁ ଖୋଲିଛନ୍ତି।

ଚାକିରି ଚାଲି ଯିବା ଭୟରେ କମ୍ପାନି କର୍ତ୍ତୃପକ୍ଷ ଯେଉଁଠି କହିଲେ ସେଇଠି ସେ ଦସ୍ତଖତ କରିଥିଲେ । ବେଆଇନ୍ ଜମି କିଣିବା ନେଇ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଥିଲେ । ରବି ସେଠୀ ଓରଟେଲ୍ କମ୍ୟୁନିକେସନରେ ୨୦୦୦ ମସିହାରୁ ୨୦୧୭ ଯାଏଁ ଡ୍ରାଇଭର ଭାବେ କାମ କରୁଥିଲେ । ସେ ଜଣେ ଅନୁସୂଚିତ ଜାତିର ବ୍ୟକ୍ତି ହୋଇଥିବାରୁ ତାଙ୍କ ନାମରେ ଜମି କିଣିବାକୁ ବାଧ୍ୟ କରିଥିଲେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର କର୍ତ୍ତୃପକ୍ଷ ।

ଯେହେତୁ ସାରୁଅ ଜମି ଅନୂସୁଚିତ ଜାତିର ଲୋକଙ୍କର ତେଣୁ ତାଙ୍କ ନାଁରେ କିଣା ଯାଇଛି । ଏହାସହ ପୁରୀ ଜିଲ୍ଲାରେ ମଧ୍ୟ ତାଙ୍କ ନାଁରେ କମ୍ପାନି ଜମି କିଣିଥିବା ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣାଇଛନ୍ତି ରବି ସେଠୀ । ପୁରୀରେ ଜମି କିଣିବା ବାବଦରେ ତାଙ୍କୁ କିଛି ଜଣା ନାହିଁ  ଏବଂ ରବି ସେଠୀଙ୍କୁ ବେଆଇନ୍ ଭାବେ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର